ନୂଆଦିଲ୍ଲୀ,୨୪।୯: ତିହାର ଜେଲ ଭିତରେ ଥିବା ଆତଙ୍କୀ ଅଫଜଲ ଗୁରୁ ଏବଂ ମକବୁଲ ଭଟ୍ଟଙ୍କ କବରକୁ ହଟାଇବା କିମ୍ବା ସ୍ଥାନାନ୍ତର ଦାବିକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି। ବିଶ୍ୱ ବୈଦିକ ସନାତନ ସଂଘ ଦ୍ୱାରା ଦିଲ୍ଳୀ ହାଇକୋର୍ଟଙ୍କ ନିକଟରେ ଏହି ଆବେଦନ ଦାଖଲ କରାଯାଇଥିଲା। ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ ଜେଲ ଭିତରେ ଆତଙ୍କବାଦୀଙ୍କ କବରର ରହିବା ଠିକ୍ ନୁହେଁ। ଏହାଦ୍ବାରା ତାଙ୍କର ମହିମାମଣ୍ଡନ ହେବା ସହ ଜେଲ ନିୟମାବଳୀକୁ ମଧ୍ୟ ଉଲ୍ଲଂଘନ କରେ।
ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ‘ଆପଣ କୁହନ୍ତୁ କେଉଁ ଆଇନ ଉଲ୍ଲଂଘନ ହୋଇଛି ? କୋର୍ଟ କେବଳ ଭାବନା କିମ୍ବା ଇଚ୍ଛା ଉପରେ ଆଧାର କରି କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ। କବର ୨୦୧୩ରେ ହୋଇଥିଲା। ୧୨ ବର୍ଷ ପରେ ଏବେ ଏହି ମାମଲା କାହିଁକି ଉଠାଯାଉଛି? କୋର୍ଟ କହିଛନ୍ତି, ଆପଣ କହିଥିଲେ ଯେ ଲୋକମାନେ ‘ଜିୟାରତ/ତୀର୍ଥଯାତ୍ରା’ ପାଇଁ କବରକୁ ଯାଆନ୍ତି, କିନ୍ତୁ ଆପଣ କୌଣସି ପ୍ରମାଣ କିମ୍ବା ଠୋସ୍ ତଥ୍ୟ ପ୍ରଦାନ କରିନାହାଁନ୍ତି। ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ। ଶେଷକୃତ୍ୟ ପୂର୍ଣ୍ଣ ସମ୍ମାନର ସହିତ କରାଯାଇଥିଲା, ତେଣୁ ଏତେ ବର୍ଷ ପରେ ଏହାକୁ ଚ୍ୟାଲେଞ୍ଜ କରିବା ସହଜ ନୁହେଁ।"
ଉଲ୍ଲେଖନୀୟ ଯେ, ୨୦୦୧ ମସିହାରେ ଭାରତୀୟ ସଂସଦ ଆକ୍ରମଣରେ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଅଫଜଲ ଗୁରୁ। ସେ ଜମ୍ମୁ ଓ କାଶ୍ମୀରର ବଡଗାମ ଜିଲ୍ଲାର ସୋପୋର ନିକଟସ୍ଥ ଏକ ଗାଁରେ ଜନ୍ମଗ୍ରହଣ କରିଥିଲା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ିଥିଲା। ସେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସକ୍ରିୟ ଆତଙ୍କୀ ଥିଲା।୧୩ ଡିସେମ୍ବର ୨୦୦୧ରେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଏହା ପରେ, ଦିଲ୍ଲୀ ପୋଲିସ ୧୫ ଡିସେମ୍ବର ୨୦୦୧ରେ ଅଫଜଲ ଗୁରୁକୁ ଗିରଫ କରିଥିଲା। ଆତଙ୍କବାଦୀଙ୍କୁ ସହାୟତା କରିବାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସେଭଳି ମକବୁଲ ଭଟ୍ ଜଣେ କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ଥିଲା, ଯାହାଙ୍କୁ ଜମ୍ମୁ ଏବଂ କାଶ୍ମୀର ଲିବରେସନ ଫ୍ରଣ୍ଟ (JKLF)ର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ। ପୋଲିସକର୍ମୀଙ୍କୁ ହତ୍ୟା ଏବଂ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ଅଭିଯୋଗରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମକବୁଲକୁ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଯାଇଥିଲା।