ନୂଆଦିଲ୍ଲୀ, ୨୭/୦୨ : ଦିଲ୍ଲୀ ହାଇକୋର୍ଟ ଗୁରୁବାର ସୈନିକଙ୍କ ହକ୍‌ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି, କୌଣସି ରୋଗକୁ ‘ଲାଇଫ୍‌ଷ୍ଟାଇଲ୍‌ ଡିସଅର୍ଡର’ (ଜୀବନଶୈଳୀ ରୋଗ) ଦର୍ଶାଇବା କିମ୍ବା ପିସ୍‌ ପୋଷ୍ଟିଂ ସମୟରେ ତାହା ହୋଇଥିବା ଆଧାରରେ ସଶସ୍ତ୍ର ବଳର ଯବାନଙ୍କୁ ଦିବ୍ୟାଙ୍ଗତା ପେନ୍‌ସନ୍‌ ଦେବାକୁ ମନା କରାଯାଇପାରିବ ନାହିଁ । ଅଣ ଅପରେସନାଲ୍‌ କ୍ଷେତ୍ରରେ ମଧ୍ୟ ସୈନ୍ୟ ସେବା ଚାଲେଞ୍ଜପୂର୍ଣ୍ଣ ରହିଥାଏ । ଏଥିଯୋଗୁ ଗମ୍ଭୀର ରୋଗ ହୋଇପାରେ । ଏଥିସହ ଜଷ୍ଟିସ୍‌ ଭି.କାମେଶ୍ୱର ରାଓ ଏବଂ ଜଷ୍ଟିସ ମନପ୍ରୀତ ପ୍ରୀତମ ସିଂହ ଅରୋରାଙ୍କ ଡିଭିଜନ୍‌ ବେଞ୍ଚ ଆର୍ମଡ ଫୋର୍ସେସ୍‌ ଟ୍ରିବ୍ୟୁନାଲର ଏକ ରାୟକୁ ରଦ୍ଦ କରିଛନ୍ତି । ସେଥିରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଦିବ୍ୟାଙ୍ଗ ପେନ୍‌ସନ୍‌ ଆବେଦନ ଖାରଜ କରାଯାଇଥିଲା ।

ଆବେଦନକାରୀ ଅଧିକାରୀଜଣକ ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଆର୍ଟରି ଡିଜିଜ୍‌ ଦ୍ୱାରା ପୀଡ଼ିତ । ସେ ବାୟୁସେନାରେ ୪୦ ବର୍ଷରୁ ଅଧିକ ସମୟ ଧରି ସେବା ଦେଇଛନ୍ତି । ଜଏନିଂ ସମୟରେ ସେ ମେଡିକାଲ୍‌ ଭାବେ ଫିଟ୍‌ ଥିଲେ । କିନ୍ତୁ ୧୯୯୯ ମସିହାରେ ତାଙ୍କୁ ଉଚ୍ଚ ରକ୍ତଚାପ ହୋଇଥିଲା । ୨୦୧୬ରେ ଗମ୍ଭୀର କରୋନାରି ଆର୍ଟରୀ ଡିଜିଜ୍‌ କାରଣରୁ ତାଙ୍କୁ ଓପନ୍‌ ହାର୍ଟ ସର୍ଜରୀ କରାଇବାକୁ ପଡ଼ିଥିଲା । ତାଙ୍କର ଦିବ୍ୟାଙ୍ଗତା ୫୦ ପ୍ରତିଶତ ବୋଲି ଆକଳନ କରାଯାଇଥିଲା । ତଥାପି ପେନ୍‌ସନରୁ ବଞ୍ଚିତ କରାଯାଇଥିଲା।

ସେହି ମାମଲାର ଶୁଣାଣି କରି ହାଇକୋର୍ଟ ଆହୁରି କହିଥିଲେ ଯେ, ରୋଗ ଫିଲ୍ଡ ଏରିଆରେ କିମ୍ବା ପିସ୍‌ ପୋଷ୍ଟିଂ ସମୟରେ ହୋଇଥିଲା ତାହା ଗୁରୁତ୍ୱ ରଖେନାହିଁ । ମୁଖ୍ୟ ପ୍ରଶ୍ନ ହେଲା ରୋଗର ସେବା ପରିସ୍ଥିତି ସହ ସମ୍ବନ୍ଧ ରହିଛି କି ନାହିଁ । ସୈନ୍ୟ ଜୀବନରେ କଡ଼ା ଅନୁଶାସନ, ଦୀର୍ଘ ସମୟ ଧରି ଡ୍ୟୁଟି, ବାରମ୍ବାର ବଦଳି, ପରିବାରଠାରୁ ଦୂରରେ ରହିବା ଏବଂ ସବୁ ସମୟରେ ମୁତୟନ ଲାଗି ପ୍ରସ୍ତୁତି ଭଳି କାରଣରୁ ଯବାନଙ୍କ ଉପରେ ଶାରିରୀକ ଏବଂ ମାନସିକ ଚାପ ରହିଥାଏ । ଏହା ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ମେଡିକାଲ ବୋର୍ଡ ମଧ୍ୟ ଏହି ରୋଗ ଅଧିକାରୀଙ୍କ କୌଣସି ଦାୟିତ୍ୱହୀନତା କିମ୍ବା ଖରାପ ଅଭ୍ୟାସ ଯୋଗୁ ହୋଇନଥିବା ମାନିଛନ୍ତି । ଏଭଳିସ୍ଥିତିରେ ବିନା କୌଣସି ଠୋସ୍‌ କାରଣରେ ରୋଗକୁ କେବଳ ‘ଲାଇଫ୍‌ଷ୍ଟାଇଲ୍‌ ଡିସ୍‌ଅର୍ଡର’କହିବା ଆଇନ ଅନୁସାରେ ଠିକ୍‌ ନୁହେଁ । ଏଥିସହ କୋର୍ଟ ଅଧିକାରୀଙ୍କ ଆବେଦନକୁ ମଞ୍ଜୁର କରି ତାଙ୍କୁ ୫୦ ପ୍ରତିଶତ ଦିବ୍ୟାଙ୍ଗ ପେନ୍‌ସନ୍‌ ଆଜୀବନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବସର ତାରିଖରୁ ଅଦ୍ୟାବଧି ଯାଏ ଥିବା ବାକି ଅର୍ଥକୁ ୮ ସପ୍ତାହ ମଧ୍ୟରେ ପଇଠ କରିବାକୁ କହିଛନ୍ତି । ବିଳମ୍ବ ହେଲେ ବାର୍ଷିକ ୧୨ ପ୍ରତିଶତ ସୁଧ ଦେବାକୁ ହେବ ।

ଏହି ଖବରଟିକୁ ପଢନ୍ତୁ- ସୋସିଆଲ ମିଡିଆକୁ ଆଇଟି ମନ୍ତ୍ରୀଙ୍କ ତାଗିଦ୍, କଣ୍ଟେଣ୍ଟ କ୍ରିଏଟରଙ୍କ ସହ ଲାଭ ଶେୟାର କର