ନୂଆଦିଲ୍ଲୀ,୩୧/୧୦: ଦିଲ୍ଲୀ-ଏନ୍‌ସିଆରରେ ମୋବାଇଲ୍‌ ଟାୱାରରୁ  ଦାମୀ ଉପକରଣ ଚୋରି କରୁଥିବା ଏକ  ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି ।  ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ  ଅଦ୍ୟାବଧି ୫୨ ଜଣଙ୍କୁ ଗିରଫ କରିଛି ।  ଏହି ସମୟରେ ପୁଲିସ ୪୧୪ଟି ରିମୋଟ୍‌  ରେଡିଓ ୟୁନିଟ୍‌(ଆରଆରୟୁ), ୧୧୦ଟି  ବେସ୍‌ ବ୍ୟାଣ୍ଡ ୟୁନିଟ୍‌(ବିବିୟୁ), ୧୬୧ଟି  ବ୍ୟାଟେରୀ, ଆରଆରୟୁ ଟେଷ୍ଟିଂ ମେସିନ୍‌  ଜବତ କରିଛି । ଜବତ ସାମଗ୍ରୀର ମୂଲ୍ୟ  ୧୦ କୋଟିରୁ ଅଧିକ ହେବ । ଅଭିଯୁକ୍ତମାନେ  ମୋବାଇଲ୍‌ ଟାୱାରରୁ ବିଭିନ୍ନ ଦାମୀ  ଉପକରଣ ଚୋରି କରି ତାକୁ ହଂକଂ ଓ  ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ କରୁଥିଲେ ।  ସେଥିରୁ ସେମାନେ ବିପୁଳ ପରିମାଣର  ଟଙ୍କା ରୋଜଗାର କରିଥିବା ଆଶଙ୍କା  କରାଯାଉଛି । ଏମାନେ ଅତି କମ୍‌ରେ  ୨୫୦ରୁ ଅଧିକ ଚୋରିରେ ସଂପୃକ୍ତ ଥିବା  କୁହାଯାଉଛି । 

ସ୍ପେଶାଲ କମିଶନର ଅଫ୍‌  ପୁଲିସ(ଅପରାଧ) ଦେବେଶ ଶ୍ରୀବାସ୍ତବଙ୍କ  ଅନୁସାରେ, ଜବତ ଉପକରଣଗୁଡିକ  ମୋବାଇଲ୍‌ ଟାୱାରର କାର୍ଯ୍ୟ କରିବା ଲାଗି  ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଖୁବ୍‌ ଦାମୀ । ଉପକରଣଗୁଡି଼କୁ ଦକ୍ଷିଣ ପଶ୍ଚିମ ଦିଲ୍ଲୀର  ମହିପାଳପୁର ଓ ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରରେ ସାଗର ଭଟ୍ଟନାଗର ନାମକ ଜଣେ  ବ୍ୟକ୍ତିଙ୍କର ଗୋ-ଡାଉନ୍‌ରେ ରଖାଯାଇଥିଲା ।  ଜଣେ ଅଭିଯୁକ୍ତ ଜୁବେରଙ୍କ ଭାଇ ତାକୁ  ପୂର୍ବ ୟୁପି ଓ ବିହାରର ବିକ୍ରେତାଙ୍କ ନିକଟରୁ  ୟୁନିଟ୍‌ ପିଛା ୭୦ ହଜାର ଟଙ୍କା ଦେଇ  କିଣିଥିଲେ । ରେଳବାଇ ମାଧ୍ୟମରେ ତାକୁ  ଅନ୍ୟତ୍ର ପଠାଯିବାର ଥିଲା ।