ନୂଆଦିଲ୍ଲୀ, ୧୧/୧୧ : ସକାଳେ ଦିଲ୍ଲୀରେ ଏଣ୍ଟ୍ରି... ସନ୍ଧ୍ୟାରେ ବ୍ଲାଷ୍ଟ। ବଦରପୁରରୁ ଲାଲକିଲ୍ଲା ଯାଏଁ କେମିତି ପହଞ୍ଚିଲା  i20 କାର୍। ସିସିଟିଭି ଯାଞ୍ଚରୁ ବଡ଼ ଖୁଲାସା। ୧୪ ବର୍ଷ ପରେ ପୁଣି ଏକ ଭୟଙ୍କର ବିସ୍ଫୋରଣରେ ଜାତୀୟ ରାଜଧାନୀ ଦୋହଲି ଯାଇଛି। ସୋମବାର ସନ୍ଧ୍ୟାରେ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଶକ୍ତିଶାଳୀ ବମ୍ ବ୍ଲାଷ୍ଟ ହୋଇଛି। ଦିଲ୍ଲୀ ପୁଲିସ ସହ ଯାଞ୍ଚ ଏଜେନ୍ସି ଏହି ଘଟଣାର ଖୋଳତାଡ଼ କରୁଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ଲାଲକିଲ୍ଲା ଭଳି ଏକ ଭିଡ଼ ଅଞ୍ଚଳକୁ ବ୍ଲାଷ୍ଟ କରିଥିବା i20 କାର୍ ଆସିଲା କେମିତି ?  

ସିସିଟିଭି ଫୁଟେଜରୁ i20 କାର୍‌ର ସମ୍ପୂର୍ଣ୍ଣ ଗତିବିଧି ସାମ୍ନାକୁ ଆସିଛି। ବ୍ଲାଷ୍ଟ କରିଥିବା କାର୍ ସୋମବାର ସକାଳ ୮ଟାରେ ଦିଲ୍ଲୀରେ ଏଣ୍ଟ୍ରି କରିଥିଲା। ଏହାପରେ ବଦରପୁର ଦେଇ ଲାଲକିଲ୍ଲାରେ ପହଞ୍ଚିଥିଲା i20। 

ସକାଳ ୮ଟା ୪ : ବଦରପୁର ଟୋଲ୍ ଗେଟ୍ ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା କାର୍
ସକାଳ ୮ଟା ୨୦ : ଓଖଲା ଇଣ୍ଡଷ୍ଟ୍ରିଆଲ ଏରିଆ ପାଖ ପେଟ୍ରୋଲ ପମ୍ପ ନିକଟରେ ନଜର ଆସିଥିଲା କାର୍
ଦିପହର ୩ଟା ୧୯ : ଲାଲକିଲ୍ଲା ନିକଟ ପାର୍କିଂରେ ପହଞ୍ଚିଥିଲା କାର୍
ସନ୍ଧ୍ୟା ୬ଟା ୨୨ : ଲାଲକିଲ୍ଲା ନିକଟ ପାର୍କିଂରୁ ବାହାରିଥିଲା i20
ସନ୍ଧ୍ୟା ୬ଟା ୫୨ : i20 କାର୍‌ରେ ଭୟଙ୍କର ବିସ୍ଫୋରଣ 

ବିସ୍ଫୋରଣ ଘଟାଇଥିଲା i20 କାର୍‌ର ସମ୍ପୂର୍ଣ୍ଣ ମାଲିକାନା ଚେନ୍‌ର ମଧ୍ୟ ଖୁଲାସା ହୋଇଛି। ଏହି କାର୍ ପ୍ରଥମେ ମହମ୍ମଦ ସଲମାନ ନାମକ ଜଣେ ବ୍ୟକ୍ତି କିଣିଥିଲେ। ଏହାପରେ ସେ ନଦୀମ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ପରେ କାର୍‌କୁ ଫରିଦାବାଦ ସ୍ଥିତ ଏକ ସେକେଣ୍ଡ ହ୍ୟାଣ୍ଡ କାର୍ ଡିଲରକୁ ବିକ୍ରି କରାଯାଇଥିଲା। ଏହାପରେ କାର୍ ଡିଲର ଠାରୁ ଆମିର କିଣିଥିଲା। ଆମିର ଠାରୁ ଡାକ୍ତର ମହମ୍ମଦ ଉମର କିଣି ନେଇଥିଲା। ତେବେ ଆମିର ଓ ତାରିକ୍ ଦୁହେଁ ଫରିଦାବାଦ ମଡ୍ୟୁଲ୍ ସହ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଯାଞ୍ଚ ଏଜେନ୍ସି ଏନେଇ ଖୋଳତାଡ଼ କରୁଛି।