ନୂଆଦିଲ୍ଲୀ,୧୨/୧୧; ଲାଲକିଲ୍ଲା । ନାମରେ 'ଲାଲ' ରଙ୍ଗ ଅଛି ହେଲେ ସେଠି କେବେ ରକ୍ତ ଛିଟା ପଡିନଥିଲା । ହେଲେ ସୋମବାର ସଂନ୍ଧ୍ୟାରେ ରକ୍ତାକ୍ତ ହୋଇଥିଲା ଲାଲକିଲ୍ଲା । ସବୁକିଛି ଧୂଆଁ ଧୂଆଁ ହୋଇ ଯାଇଥିଲା। ଫର ଫର ହୋଇ ଉଡୁଥିବା ତ୍ରିରଙ୍ଗା କଳା ଧୂଆଁରେ ଲୁଚି ଯାଇଥିଲା । ଯେଉଁ ଲାଲକିଲ୍ଲା ତଳେ ଛିଡ଼ା ହେଲେ ବୀରତ୍ୱ ଗାଥା ଦେଖିବାକୁ ମିଳେ, ମନରେ ଅଦ୍ୟମ ସାହସ ଭରିଯାଏ ସେଠି ଭୟ, ଆତଙ୍କ ଦେଖିବାକୁ ମିଳିଥିଲା । ବଞ୍ଚିବାକୁ ପ୍ରାଣ ବିକଳରେ ଜୀବନ ଧାଉଁଥିଲା । ଯେଉଁଠି ଅଗଷ୍ଟ ୧୫, ଜାନୁଆରୀ ୨୬ରେ ଜୟହିନ୍ଦ ନାରା ଦିଆଯାଏ ସେଠି ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର ଶୁଣାଯାଉଥିଲା । ପ୍ରତିଟି ଭାରତୀୟଙ୍କ ହୃଦୟ ଆଜି ଯନ୍ତ୍ରଣାରେ ଭରି ରହିଛି । ଯେଉଁଠି ଦିନେ ସାହସ, ଶକ୍ତି ମିଳୁଥିଲା ଆଜି ସେ ସ୍ଥାନ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ଥରେ ଭାବନ୍ତୁ ସେ ପରିବାର କଥା ଯିଏ ପୁଅକୁ ହରାଇଛି । ଯିଏ ତା' ସିନ୍ଦୂରକୁ ହରାଇଛି । ଯେଉଁ ବୁଢା ବାପା ସନ୍ତାନକୁ ହରାଇ ସ୍ତବ୍ଧ ହୋଇଛି । କେମିତି ସେମାନେ ଏ ସତକୁ ସ୍ୱୀକାର କରିବେ ଯେ ଦିଲ୍ଲୀ ଲାଲକିଲ୍ଲାରେ ସେ ଭୟଙ୍କର ବିସ୍ଫୋରଣ ସବୁ କିଛି ଛାରଖାର କରି ଦେଇଛି । ଘର, ସ୍ୱପ୍ନ ସବୁ ଉଜାଡ଼ି ଦେଇଛି ଲାଲାକିଲ୍ଲାର ସେ ସନ୍ଧ୍ୟାରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ । ସେ ଲାଲକିଲ୍ଲାକୁ ଦେଖି ଯେପରି ମନେ ହେଉଛି ସେ ବି କାନ୍ଦୁଛି ।

ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ଖାଲି ଦିଲ୍ଲୀ ନୁହେଁ ଦେଶକୁ ଦୋହଲାଇ ଦେଇଛି । ବିସ୍ପୋରଣ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ଦିଲ୍ଲୀଠୁ ଦୂରରେ ଥିବା ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଉତ୍ତରପ୍ରଦେଶ, ବିହାରର ଅନେକ ଜିଲ୍ଲାରୁ ଆସି ଶ୍ରମିକ, ଡ୍ରାଇଭର, ଦୋକାନ କରି ପେଟ ପୋଶୁଥିବା ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । କିଏ ଫ୍ରିଣ୍ଟି ପ୍ରେସ୍ କରି ତ କିଏ ଇ-ରିକ୍ସା ଚଳାଇ ପରିବାର ଚଳାଉଥିଲେ । ହେଲେ ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ସବୁ କିଛି ଛାରଖାର କରି ଦେଇଛନ୍ତି । କାହାର ଛୋଟ-ଛୋଟ ପିଲା ଥିଲା, କିଏ ବୁଢା ବାପାମାଆଙ୍କ ସାହାରା ଥିଲେ ବ୍ଲାଷ୍ଟ ସବୁକିଛି ଛଡାଇ ନେଇଛି । ଘଟଣା ପରେ ଦିଲ୍ଲୀର ଜେଏନ୍ଜେପି ହସ୍ପିଟାଲ ବାହାରେ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର । ସେ ଦୃଶ୍ୟ ହୃଦୟବିଦାରକ ।

ସାକ୍ଷାତ କରିବା ପାଲଟିଲା କାଳ- ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ଉତ୍ତରପ୍ରଦେଶର ଦୁଇ ବନ୍ଧୁ ଲୋକେଶ ଅଗ୍ରୱାଲ ଏବଂ ଅଶୋକ କୁମାର ମଧ୍ୟ ଅଛନ୍ତି । ଦୀର୍ଘ ଦିନ ପରେ ସାକ୍ଷାତ ଉଦ୍ଦେଶ୍ୟରେ ଲୋକେଶ ଅଶୋକଙ୍କୁ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ୍ ପାଖକୁ ଡାକିଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ସେଠାରେ ମୃତ୍ୟୁ ସେମାନଙ୍କୁ ଅପେକ୍ଷା କରୁଥିଲା । ହସଖୁସିରେ ଗପ କରୁଥିବାବେଳେ ବିସ୍ଫୋରଣରେ ଲିଭିଯାଇଛି ସେମାନଙ୍କ ଜୀବନଦୀପ । ଲୋକେଶ ଏବଂ ଅଶୋକ ୟୁପି ଆମରୋହା ଜିଲ୍ଲା ହସନପୁରର ବାସିନ୍ଦା । ୫୪ ବର୍ଷୀୟ ଲୋକେଶଙ୍କର ସେଠାରେ ଖତ ଦୋକାନ ଥିଲା । ଅଶୋକ ଗୁର୍ଜର (୩୪) ଦିଲ୍ଲୀ ଟ୍ରାନ୍ସପୋର୍ଟ କମ୍ପାନିରେ ବସ୍ କଣ୍ଡକ୍ଟର ଭାବେ କାମ କରୁଥିଲେ । ଅଶୋକ ଅଧିକାଂଶ ସମୟରେ ନିଜ ଚାଷ ଜମି ଲାଗି ଲୋକେଶଙ୍କ ଦୋକାନରୁ ଖତ ନେଉଥିଲେ । ଏହି ସମୟେର ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ।

ଶାମଲୀର ନୌମାନଙ୍କ ଅଧୁରା କାହଣୀ- ଶାମଲୀର ୧୮ ବର୍ଷୀୟ ନୌମାନ ଅଂସାରୀ ଦିଲ୍ଲୀ କସମେଟିକ୍ସ ଜିନିଷ କିଣିବାକୁ ଆସିଥିଲେ । ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ସମ୍ପର୍କୀୟ ଭାଇ ଅମନ ଆହତ ହୋଇଛନ୍ତି । ଦିଲ୍ଲୀ ଲୋକନାୟକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପରିବାରକୁ ନୌମାନଙ୍କ ମୃତ୍ୟୁ ଖବର ଦିଆଯିବା ପରେ ସମ୍ପର୍ଣ୍ଣ ଭାଙ୍ଗି ପଡିଛନ୍ତି ଘର ଲୋକ ।ସେହିପରି ବିହାରର ପଙ୍କଜ ସାଇନି ଜଣେ କ୍ୟାବ ଡ୍ରାଇଭର ଭାବେ କାମ କରୁଥିଲେ । ଚାନ୍ଦିନୀ ଚୌକରେ ଜଣେ ଯାତ୍ରୀଙ୍କୁ ଛାଡି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ  ।ମୀରଠର ମୋହସିନ ୨ ବର୍ଷ ତଳେ ଦିଲ୍ଲୀ ଯାଇ ଇ-ରିକ୍ସା ଚଳାଇ ପରିବାର ଚଳାଉଥିଲେ । ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ପତ୍ନୀ ସୁଲତାନା ଏବଂ ବାପାମାଆ ଭାଙ୍ଗି ପଡିଛନ୍ତି । ସେହିପରି ଶୀବସ୍ତୀ ଗଣେଶପୁରର ୩୨ ବର୍ଷୀୟ ଦିନେଶ ମିଶ୍ରା ଚାବଡୀ ବଜାରରେ ପ୍ରିଣ୍ଟିଂ ପ୍ରେସରେ କାମ କରୁଥିଲେ । ସ୍ତ୍ରୀ ଓ  ୩ ପିଲାଙ୍କ ଖର୍ଚ୍ଚ ତୁଲାଇବାକୁ ଦିନରାତି କାମ କରୁଥିଲେ । ପିଲାଙ୍କୁ ପାଠ ପଢାଇ ମଣିଷ କରିବାକୁ ସ୍ୱପ୍ନ ଦେଖିଥିଲେ ହେଲେ ସବୁ କିଛି ଅଧୁରା ରହିଗଲା ।​​​​​​​
 

ରିପୋର୍ଟ ଅନୁସାରେ ଦିଲ୍ଲୀ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । କିଛି ଲୋକଙ୍କର ପରିଚୟ ମିଳିଛି କିଛି ଜଣଙ୍କର ମିଳିନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ହେଲେ ସେ ପରିବାର କେମିତି ବଞ୍ଚିବେ ଯିଏ ସେମାନଙ୍କ ସମ୍ପର୍କୀୟ ହରାଇଛନ୍ତି ।ଘଟଣାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି । ୟୁଏପିଏ ଆଧାରରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ବିସ୍ଫୋରଣକୁ ନେଇ ଏବେ ୪ଟି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ବିସ୍ଫୋରଣ କିପରି ହେଲା ? ଆତଙ୍କବାଦୀ ଆକ୍ରମଣ କି ? କାର୍‌ର ମାଲିକ କିଏ ? ଏବଂ କିଏ ଥିଲା ଟାର୍ଗେଟ ?