ନୂଆଦିଲ୍ଲୀ,୨୦/୧୨:  ସ୍କୁଲକୁ ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀର ଏକ ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ  ଜରିଆରେ ଏହି ଧମକ ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଜଧାନୀ ଦିଲ୍ଲୀରେ ସ୍କୁଲକୁ ଲଗାତାର ବୋମା ଧମକ ମିଳୁଛି। ଯାହାକୁ ନେଇ  ବର୍ତ୍ତମାନ ସ୍କୁଲ ପ୍ରଶାସନ, ଅଭିଭାବକ ଏବଂ ପୋଲିସ ଚିନ୍ତିତ ଥିବା ଜଣାପଡିଛି। ଏହାରି ମଧ୍ୟରେ ଆଜି ସକାଳ ପ୍ରାୟ ୫ .୧୫ ସମୟରେ ଦ୍ବାରକାର ଦିଲ୍ଲୀ ପବ୍ଲିକ ସ୍କୁଲକୁ ବୋମା ଧମକ ମିଳିଛି। ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୋଲିସ ଓ ଦଳକଳବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ରହିଛି । ସେପଟେ ଧମକପୂର୍ଣ୍ଣ ମେଲ ଆସିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ମାଧ୍ୟମରେ ପାଠ ପଢିବାକୁ ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରକାଶ ଥାଉକି,ଗତ ୧୦ ଦିନ ମଧ୍ୟରେ ୪ର୍ଥ ଥର ପାଇଁ  ଦିଲ୍ଲୀର ବିଦ୍ୟାଳୟରେ ବୋମା ଧମକ ଦେବା ଘଟଣା ସାମ୍ନାକୁ ଆସିଛି।  ହେଲେ ବର୍ତ୍ତମାନ ଯାଏଁ ପୋଲିସ ଏ ସମ୍ପର୍କରେ କୌଣସି ଠୋସ୍ ପଦକ୍ଷେପ ନେଇପାରି ନାହିଁ । ଏହାପୂର୍ବରୁ ଡିସେମ୍ବର ୧୭ ରେ ଦିଲ୍ଲୀର ଦୁଇଟି ବିଦ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଦିଲ୍ଲୀର ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ ଏବଂ  ସରସ୍ୱତୀ ବିହାରର ଏକ ବିଦ୍ୟାଳୟକୁ ଧମକ ଦିଆଯାଇଥିଲା। ସେହିପରି ପୂର୍ବରୁ ମଧ୍ୟ ୪୦ ରୁ ଅଧିକ ବିଦ୍ୟାଳୟକୁ ଏକକାଳୀନ ବୋମା ବିସ୍ଫୋରଣ ନେଇ ଧମକ ଦିଆଯାଇଥିଲା ।