ଟେମ୍ପେ: ଆମେରିକାରେ ଏକ ଅଜଣା ଘଟଣାରେ ଜଣେ ପିଜା ଡେଲିଭରୀ ବୟଙ୍କୁ ବେପରୁଆ ଡ୍ରାଇଭିଂ ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଏହି ଗିରଫଦାରି ପରେ ପୁଲିସ ଅଧିକାରୀମାନେ ନିଜେ ଗ୍ରାହକଙ୍କ ଘରେ ପିଜା ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। 

ଘଟଣା ଅନୁଯାୟୀ, ଆରିଜୋନା ଅନ୍ତର୍ଗତ ଟେମ୍ପେରେ ଏକ ପିଜ୍ଜା ଡେଲିଭରୀ ବୟ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଗାଡି ଚଳାଉଥିବା ଦେଖି ପୁଲିସ ତାଙ୍କୁ ଅଟକାଇଥିଲା। ଯାଞ୍ଚ ସମୟରେ ତାଙ୍କ ପାଖରେ ଆବଶ୍ୟକିୟ କାଗଜ ପତ୍ର ନଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଗାଡ଼ିରେ ଥିବା ପିଜା ଗ୍ରାହକଙ୍କୁ ସମୟରେ ପହଞ୍ଚାଇବା ପାଇଁ ପୁଲିସ ନିଜେ ଦାୟିତ୍ୱ ନେଇଥିଲା। ଏହି ଅଭିନବ ପଦକ୍ଷେପକୁ ଟେମ୍ପେ ପୁଲିସ ପ୍ରଶାସନ ପୁଲିସ କ୍ୟାମେରାରେ ରେକର୍ଡ କରିଥିଲେ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଯାହା ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। 




ଭିଡିଓରେ ଦେଖାଯାଇଛି ଯେ ପୁଲିସ ଅଧିକାରୀମାନେ ଗ୍ରାହକଙ୍କ ଘରେ ପହଞ୍ଚି ପିଜା ହସ୍ତାନ୍ତର କରୁଛନ୍ତି, ଯାହା ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି ଘଟଣା ପୁଲିସର ସମାଜସେବା ମନୋଭାବକୁ ପ୍ରତିଫଳିତ କରିଛି ଏବଂ ଲୋକଙ୍କ ମନରେ ସକାରାତ୍ମକ ଛାପ ଛାଡ଼ିଛି। ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ପୁଲିସର ଏହି ମାନବୀୟ ପଦକ୍ଷେପର ପ୍ରଶଂସା କରିଛନ୍ତି। 

ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି ଯେ ପୁଲିସ କେବଳ ଆଇନ ପାଳନ କରାଇବା ନୁହେଁ, ସମୟ ଆସିଲେ ସମାଜ ପାଇଁ ଅତିରିକ୍ତ ଦାୟିତ୍ୱ ମଧ୍ୟ ନେଇପାରେ। ଏହି ଘଟଣା ଲୋକଙ୍କୁ ହସାଇବା ସହିତ ପୁଲିସ ଓ ଜନସାଧାରଣ ମଧ୍ୟରେ ଏକ ସୁସ୍ଥ ସମ୍ପର୍କକୁ ପ୍ରୋତ୍ସାହିତ କରିଛି।