କେସିଙ୍ଗା,୦୮/୦୬: ଭବାନୀପାଟଣାଠାରୁ ବ୍ରହ୍ମପୁର  ପର୍ଯ୍ୟନ୍ତ କେତେକ ସରକାରୀ ଓ ବେସରକାରୀ ଯାତ୍ରୀବାହୀ ବସ୍‌ ଭାୟା ନର୍ଲା ଓ ମ.ରାମପୁର ରାସ୍ତା ଦେଇ ଚଳାଚଳ  କରୁଛି । ହେଲେ ଭାୟା ପାଷ୍ଟିକୁଡ଼ି, ଉତ୍କେଲା, କେସିଙ୍ଗା,  ଅମାଠ ଛକ, ତୁଣ୍ଡଲା, ପଲମ, ଯୋରାଡବ୍ରା ରାସ୍ତାଦେଇ  ଭବାନୀପାଟଣା-ବ୍ରହ୍ମପୁର ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ  ବସ୍‌ ନଥିବା ଯୋଗୁଁ ଅଞ୍ଚଳବାସୀ ସିଧାସଳଖ ବ୍ରହ୍ମପୁର ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେସିଙ୍ଗା  ଅଞ୍ଚଳବାସୀଙ୍କ ପାଇଁ ବ୍ରହ୍ମପୁରକୁ ଯିବାକୁ ହେଲେ  ୩୫କିଲୋମିଟର ଭବାନୀପାଟଣା ସହରକୁ ଯିବାକୁ  ପଡ଼ିଥାଏ । ତେଣୁ ପାଷ୍ଟିକୁଡି, ଉତ୍କେଲା, କେସିଙ୍ଗା,  ଅମାଠ ଛକ, ତୁଣ୍ଡଲା, ପଲମ ଛକ, ଯୋରାଡବରା ଛକ  ଓ ମ.ରାମପୁର ରାସ୍ତାଦେଇ ଭବାନୀପାଟଣା-ବ୍ରହ୍ମପୁର  ପର୍ଯ୍ୟନ୍ତ ଏକ ସରକାରୀ ବସ୍‌ ଚଳାଚଳ କରିବା ପାଇଁ  ଦୀର୍ଘଦିନ ହେଲା ଦାବି ହୋଇଆସୁଛି । 

ପ୍ରକାଶ ଯେ,  ଭବାନୀପାଟଣାରୁ ବ୍ରହ୍ମପୁରକୁ ପ୍ରାୟ ପ୍ରତିଦିନ ରାଜ୍ୟ  ସଡ଼କ ପରିବହନ ନିଗମର ଏକ ସରକାରୀ ହାଇଟେକ୍‌  ବସ ନର୍ଲା ଓ ମ.ରାମପୁର ରାସ୍ତାଦେଇ ଦୀର୍ଘବର୍ଷ ହେଲା  ଚଳାଚଳ କରୁଛି । ଏହି ସରକାରୀ ବସ୍‌ ସହ ଆହୁରି  ଚାରିଟି ଘରୋଇ ବସ ମଧ୍ୟ ଏହି ରାସ୍ତାରେ ଯାତାୟାତ  କରୁଛି । ଏହି ହାଇଟେକ୍‌ ସରକାରୀ ବସ୍‌କୁ ଭବାନୀପାଟଣା  ଭାୟା କେସିଙ୍ଗା, ଅମାଠ ଛକ, ପଲମ ଛକ, ମ.ରାମପୁର  ଦେଇ ଚଳାଇବାକୁ କଳାହାଣ୍ଡି ତାଲୁକା ବାଣାୟତ ଓଡ଼ିଆ  ସମାଜ ଦାବି କରିଛି । ଏନେଇ ସମାଜ ପକ୍ଷରୁ ବାଣିଜ୍ୟ  ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିକଟରେ  ଦାବି ଉପସ୍ଥାପନ କରାଯାଇଛି । କଳାହାଣ୍ଡିରୁ ଅନେକ  ଯାତ୍ରୀ ବିଭିନ୍ନ କାର୍ଯ୍ୟରେ ଓ ଛାତ୍ରଛାତ୍ରୀ ପଢିବା ପାଇଁ  ବ୍ରହ୍ମପୁରକୁ ଯାଇଥାନ୍ତି । ସରକାରୀ ଓ ବେସରକାରୀ ବସ  ଗୋଟିଏ ମାର୍ଗରେ ଯାଉଥିବାରୁ ଅନ୍ୟମାନେ ଏହାର ସୁବିଧା  ପାଇପାରୁନାହାନ୍ତି । ସରକାରୀ ବସଟି ଭବାନୀପାଟଣାରୁ  ବାହାରି ଭାୟା କେସିଙ୍ଗା, ଅମାଠ ଛକ,ପଲମ୍‌ ଛକ,  ମ.ରାମପୁର ଦେଇ ବ୍ରହ୍ମପୁରକୁ ଚଳାଚଳ କଲେ  ଭବାନୀପାଟଣା ସମେତ କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ମ.  ରାମପୁର ଓ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ବ୍ଲକ ଅଞ୍ଚଳର  ଲୋକେ ଉପକୃତ ହୋଇପାରିବେ ବୋଲି ବାଣାୟତ ଓଡ଼ିଆ  ସମାଜର ସମ୍ପାଦକ ରମେଶ ଜେନା କହିଛନ୍ତି । ଏଣୁ  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ  ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।