କଟକ,୧୪/୦୪(ସୁକେଶ ରଞ୍ଜନ ବେହେରା): କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତର ହେବା ପରେ ଦୁଇ ସହରକୁ ମିଶାଇ ‘ଗ୍ରେଟର୍ କଟକ’ର ସ୍ୱପ୍ନ ତିଆରି ହୋଇଥିଲା । କିନ୍ତୁ ଏ ଭିତରେ ୮ ଦଶନ୍ଧି ବିତିବାକୁ ଯାଉଛି । କଟକଭୁବନେଶ୍ୱରକୁ ଟ୍ୱିନ୍ ସିଟି ଭାବେ ବିକଶିତ କରିବାକୁ ଶାସନକଳର ପ୍ରଚେଷ୍ଟା ଏବେ ଯାଏ ବାସ୍ତବରେ ଦେଖିବାକୁ ମିଳିନାହିଁ । କଟକର ପୁରୁଣା ସୀମା ବାହାରେ ନୂଆ ଅଞ୍ଚଳ ସୃଷ୍ଟି କରିବା, ଗ୍ରେଟର୍ କଟକ ଗଠନ କରି ଟ୍ରାଫିକ, ଆବାସ, ପ୍ରଶାସନ ଓ ଔଦ୍ୟୋଗିକ ସୁବିଧା ବଢାଇବାକୁ ବିଶେଷ ଯୋଜନା ହୋଇନାହିଁ । ଅବଶ୍ୟ କଟକ ଆଖପାଖ ଇଲାକା ବହୁମାତ୍ରାରେ ବିକଶିତ ହୋଇସାରିଛି । ମହାନଦୀ ପାର୍ଶ୍ବରେ ଜଗତପୁର ଓ ଚୌଦ୍ୱାରକୁ ଟପି ମଙ୍ଗୁଳି ଯାଏ, କାଠଯୋଡ଼ି ପାର୍ଶ୍ବରେ ତ୍ରିଶୁଳିଆରୁ ରାମଦାସପୁର ଭାୟା ବାଙ୍କୀକୁ ଛୁଇଁଲାଣି । ହେଲେ ଏହି ସବୁ ଅଞ୍ଚଳ ଟ୍ୱିନ୍ ସିଟି କରିଡର୍କୁ ଆସିପାରିନି ।
ଆଗକୁ ବିଧାନସଭା କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି । ନିର୍ବାଚନ ପୂର୍ବରୁ ଏକ ନୂଆ ରୂପ ସାମ୍ନାକୁ ଆସିବ । ତେଣୁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ‘ଗ୍ରେଟର୍ କଟକ’ ଯୋଜନାକୁ ପ୍ରଶାସନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । କଟକ ମହାନଗର ନିଗମ(ସିଏମ୍ସି ) ପକ୍ଷରୁ ବାରଙ୍ଗ, ବୟାଳିଶମୌଜା, ଚୌଦ୍ୱାର ପାର୍ଶ୍ବର କିଛି ଅଞ୍ଚଳ ନିଜ ସୀମାକୁ ଆଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆସରିଛି । ତେଣୁ ଆଗକୁ ସିଏମ୍ସିର କିଛି ନୂଆ ୱାର୍ଡ ମଧ୍ୟ ଯୋଡ଼ି ହେବାର ଯୋଜନା ରହିଛି । ଏବେ ସିଏମ୍ସି ୧୯୨.୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ବେଳେ ସହର ସୀମା ପୁନଃନିର୍ଦ୍ଧାରଣ ହେବା ପରେ କାୟା ନିଶ୍ଚିତ ଭାବେ ବୃଦ୍ଧି ପାଇବ। କେବଳ ସିଏମ୍ସି ନୁହେଁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଆଠଗଡ଼, ବୟାଳିଶମୌଜା, ସାଲେପୁର ସୀମା ପର୍ଯ୍ୟନ୍ତ ମାଡ଼ିସାରିଛି । ତେଣୁ ଏ ବୃହତ ଭୂଖଣ୍ଡକୁ ଗ୍ରେଟର୍ କଟକରେ ଅନ୍ତର୍ଭୁକ୍ତ କରିବାର ସୁଯୋଗ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କଟକ ସହରକୁ ଯୋଡ଼ି ଆଉ ଏକ ନୂଆ ନିର୍ବାଚନ ମଣ୍ଡଳୀ ସୃଷ୍ଟି କରାଯିବାର ଯୋଜନା ମଧ୍ୟ କରାଯାଉଛି। ଯେଉଁଥିରେ କଟକ ସିଡିଏ, ତ୍ରିଶୁଳିଆ, ବାରଙ୍ଗ ବ୍ଲକ୍ର କିଛି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ ବୋଲି ଶୁଣାଯାଉଛି । ଏହି ନୂଆ ନିର୍ବାଚନ ମଣ୍ଡଳୀ ହେଲେ ନିଶ୍ଚିତ ଭାବେ କଟକ ମହାନଗର ନିଗମ(ସିଏମ୍ସି) ସହ ଯୋଡ଼ିହେବ । ଏବେ ସିଏମ୍ସିରେ ୩ଟି ନିର୍ବାଚନ ମଣ୍ଡଳୀ- ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ସାମିଲ୍ ରହିଥିବା ବେଳେ ଆଉ ଏକ ନୂଆ ନିର୍ବାଚନ ମଣ୍ଡଳୀର ୱାର୍ଡ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି ।
ଦିନେ କଟକ ଥିଲା ଓଡ଼ିଶାର ପ୍ରାଣକେନ୍ଦ୍ର । ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା ପରେ ଅନେକ ସରକାରୀ ଦପ୍ତରକୁ ସେଠାକୁ ଉଠାଇ ନିଆଗଲା । ଭୁବନେଶ୍ୱରକୁ ସରକାରୀ ବ୍ୟବସ୍ଥା ସ୍ଥାନାନ୍ତରର ମୂଳଦୂଆ ପକାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ୧୯୫୭ ମସିହାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ସାର୍ ଚିନ୍ତାମନ୍ ଦେଶମୁଖ କଟକ ଆସିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଭୁବନେଶ୍ୱରକୁ ଉଠାଇ ନେବାକୁ ସ୍ଥାନ ନିରୂପଣ କରାଗଲା । ବର୍ଷକ ପରେ ୧୯୫୮ ମସିହାରେ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୯୭୫ ରୁ ୧୯୮୫ ମଧ୍ୟରେ ଅନେକ ସରକାରୀ ଦପ୍ତରକୁ ଭୁବନେଶ୍ୱର ଉଠାଇ ନିଆଗଲା । ତଥାପି ଓଡ଼ିଶା ହାଇକୋର୍ଟ, ପୁଲିସ ମୁଖ୍ୟାଳୟ, ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସା ବିଭାଗୀୟ ମୁଖ୍ୟଦପ୍ତର, ବାଣିଜ୍ୟକର ଆୟୁକ୍ତ କାର୍ଯ୍ୟାଳୟ, ଓଡ଼ିଶା ଲୋକସେବା ଆୟୋଗ, ନିବନ୍ଧନ ମହା ଅଧୀକ୍ଷକଙ୍କ ଦପ୍ତର ଅନେକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଆଜି ବି କଟକରେ ରହିଛି ।
ଅଧିକ ପଢ଼ନ୍ତୁ :- ନୂଆ ପାଞ୍ଜିରେ ଏବର୍ଷ ୪ଟି ପରାଗ ଓ ଗ୍ରହଣ, ଜାଣନ୍ତୁ କେବେ ପଡ଼ିବ...
ଅବଶ୍ୟ ଟ୍ୱିନ୍ ସିଟିର ଦୂରତ୍ୱ ହ୍ରାସ କରିବାକୁ ବିଜେପି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରକଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜନ୍ ଘୋଷଣା କରାଯାଇଛି । ଏହାସହ ରିଂରୋଡ୍ ସମ୍ପ୍ରସାରଣ, ମହାନଦୀ ରିଭର୍ଫ୍ରଣ୍ଟ୍ ଡେଭଲପମେଣ୍ଟ, ସିଡିଏର ମିସନ୍ ୨୦୩୦ରେ ପୁରୁଣା ସହରର ପ୍ଲାନିଂ ସୁଧାର, ରାସ୍ତା ଓ ପାର୍କିଂ ନିୟମ ବିକାଶ ଆଦି ଯୋଜନା କରାଯାଇଛି । କଟକ ସହରର ବିସ୍ତୃତ ବିକାଶ ଓ ସମନ୍ୱିତ ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି । ତେଣୁ ଏ ଯୋଜନାରେ ପାଦେ ଆଗକୁ ଯାଇ ଗ୍ରେଟର୍ କଟକ ଘୋଷଣା କରାଗଲେ ରାଜଧାନୀ ଭୁବନେଶ୍ୱର ଭଳି ଐତିହାସିକ କଟକ ସହରର ବିକାଶ ଆଗେଇ ପାରିବ ବୋଲି ସହରବାସୀ ମତ ଦେଉଛନ୍ତି ।