ପାଟଣାଗଡ ୨୪|୭(ଆପ୍ର) : କୁକୁରମୁଣ୍ଡା ଗାଁକୁ ନିର୍ମାଣ କରାଯାଇଥିବା ନୂତନ ରାସ୍ତା ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଏକ ପାର୍ଶ୍ୱ ଦବିଯାଇ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ।
ଦୀର୍ଘ ବର୍ଷରୁ ଏହି ରାସ୍ତା ଅବହେଳିତ ହୋଇ ପଡ଼ିରହିଥିଲା। ଅଞ୍ଚଳବାସୀଙ୍କ ଅଭିଯୋଗ ଆଧାରରେ ଗତ ୨ ମାସ ତଳେ ଏହାର ନିର୍ମାଣ କାର୍ଯ୍ୟ କରାଯାଇଥିଲା । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କାମ ହେଉଥିବା ନେଇ କୁକୁରମୁଣ୍ଡା ଓ କଉଡିଆ ଗ୍ରାମର କିଛି ଯୁବକ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଙ୍କ ସହ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ଵେ ବିଭାଗୀୟ ମୁଖ୍ୟଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ ତଦାରଖ କରିବାକୁ ଆସିନଥିବା ଅଭିଯୋଗ ହେଉଛି। ଯାହାଫଳରେ ଠିକାଦାର ଜଣକ ନିଜ ମନମୁତାବକ କାମ କରିଥିଲେ। ବର୍ଷାରେ ସେହି ରାସ୍ତାର ଗାଡଓ୍ବାଲ ପାର୍ଶ୍ୱର ମାଟି ଦବି ଯାଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଯାହା ଫଳରେ ସେହି ରାସ୍ତାଦେଇ ବର୍ତ୍ତମାନ ଗାଡ଼ି ଚଳାଚଳ ସମ୍ପୂର୍ଣ ଠପ୍ ହୋଇଯାଇଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।