କୋରାପୁଟ, ୧୪/୦୨ : କୋଟିଆରେ ଆରମ୍ଭ ହୋଇଛି କୃଷି ବିପ୍ଳବ। ପାରମ୍ପରିକ ଧାନ, ମାଣ୍ଡିଆ ପରେ ଔଷଧୀୟ ଗୁଳ୍ମଲତା ଚାଷ ପ୍ରତି ଚାଷୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି। କୋଟିଆ ସହ ଗୁମଲପଦର, ଫୁଲପଦର, କୋଡ଼ିଆମ୍ବରେ ‘କ୍ୟାମୋମାଇଲ୍‌’ ଚାଷ କରାଯାଉଛି । ଔଷଧୀୟ ଚା’ରୂପେ ବ୍ୟବହୃତ ଏହି ଗୁଳ୍ମରେ ରହିଛି ବିଭିନ୍ନ ରୋଗ ପ୍ରତିରୋଧକାରୀ ଶକ୍ତି । ନନ୍ଦପୁର ବ୍ଲକର ନିଲାଦାରାପୁଟରେ ମଧ୍ୟ ଏହି ଚାଷ ଆରମ୍ଭ ହୋଇଛି । ଚାଷୀଙ୍କ ଆଗ୍ରହ ବଢୁଥିବାରୁ ତେଲ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ଉପରେ ଓରମାସ୍‌ ବିଚାର କରୁଛି । ଏ ବର୍ଷ ୩ କ୍ୱିଣ୍ଟାଲ ଉତ୍ପାଦନ ଲାଗି ଲକ୍ଷ୍ୟ ରହିଥିବା ଓରମାସ୍‌ ଡେପୁଟି ସିଇଓ ଉମା ମହେଶ କହିଛନ୍ତି । 

କ୍ୟାମୋମାଇଲ୍‌ ଏକ ଔଷଧୀୟ ଚାରା । ଏହାର ବୈଜ୍ଞାନିକ ନାମ ‘ମାଟ୍ରିକାରିଆ କ୍ୟାମୋମାଇଲ୍‌’ । ଚାଷ ପାଇଁ ଥଣ୍ଡା ଓ ଅପେକ୍ଷାକୃତ ମଧ୍ୟମ ଜଳବାୟୁ ଉତ୍କୃଷ୍ଟ । ଏହାର ଫୁଲ ଚା’ ରୂପେ ବ୍ୟବହାର ହେଉଥିବା ବେଳେ ଏଥିରୁ ବିଭିନ୍ନ ରୋଗ ଲାଗି ଔଷଧ ତିଆରି କରାଯାଉଛି । କୋଟିଆର ମହିଳା ଚାଷୀ କାଞ୍ଚନ ତାଡ଼ିଙ୍ଗି କହିଛନ୍ତି, ଧାନ ଅମଳ ପରେ ପଡ଼ିଆ ପଡ଼ୁଥିବା ଗଡ଼ାଣିଆ ଜମିରେ ଚାଷ କରୁଛନ୍ତି । ଏଥିରେ ଖର୍ଚ୍ଚ କମ୍‌, ଲାଭ ଅଧିକ । ଜମି ବି ଉର୍ବର ରହୁଛି । ଏଠାକାର ପାଣିପାଗ ଓ ମାଟି ଏହି ଚାଷ ପାଇଁ ଅନୁକୁଳ ଥିବାରୁ ପରୀକ୍ଷାମୂଳକ ଭାବେ ଚାଷ ଆରମ୍ଭ କରାଯାଇଥିଲା । ସଫଳତା ମିଳିବାରୁ ଚାଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି । ବିହନ ବୁଣିବା ପରେ ଚଛରେ ଫୁଲ ଆସିଥାଏ । ୯୦ରୁ ୧୦୦ ଦିନ ମଧ୍ୟରେ ଫୁଲ ତେଳିବା ଯୋଗ୍ୟ ହୋଇଥାଏ । ଏହାକୁ ଶୁଖାଇ ବଜାରରେ ବିକ୍ରି କରୁଛନ୍ତି । ଦର ରହିଛି କେଜି ୫୦୦ ଟଙ୍କା । ଚାଷ ଠିକ ଥିଳେ ଗୋଟିଏ ଏକରରୁ ପ୍ରାୟ ଦେଢ କ୍ୱିଣ୍ଟାଲ ଅମଳ ହେଉଛି । ଫୁଲରେ ଥିବା ଔଷଧୀୟ ଗୁଣ ନିଦ୍ରାହୀନତା, ପେଟ ଯନ୍ତ୍ରଣା, ବଦହଜମ ଓ ଚର୍ମ ରୋଗ ଉପଶମରେ ଲାଭଦାୟକ । 

ଦେଶ ବିଦେଶରେ ଏହାର ଚାହିଦା ବଢିବାରେ ଲାଗିଛି । କୋଟିଆ, ଦେଓମାଳୀର ତଳେ ଗୁଲମପଦର, ଫୁଲପଦର ଓ କୋଡ଼ିଆମ୍ବରେ ପ୍ରାୟ ୨ ଏକରରେ ଚାଷ କରାଯାଉଛି । କେନ୍ଦ୍ରୀୟ ଔଷଧ ଓ ସୁଗନ୍ଧିତ ଉଦ୍ଭିଦ ପ୍ରତିଷ୍ଠାନ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସିଏସଆଇଆର ଅଧୀନରେ ଥିବା ଏହି ସଂସ୍ଥା ଉନ୍ନତମାନର ବିହନ ଏବଂ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରୁଛି । ଓରମାସ୍‌ ସହଯୋଗରେ ପଟ୍ଟାଙ୍ଗି ଏଗ୍ରୋ ପ୍ରଡ୍ୟୁସର କମ୍ପାନି ଉତ୍ପାଦିତ ଫୁଲ ସଂଗ୍ରହ ସହ ଉପଯୁକ୍ତ ବଜାର ବ୍ୟବସ୍ଥାରେ ସହଯୋଗ କରୁଛି । ସିଇଓ ଜେତାଲି ହନ୍ତାଳ କହିଛନ୍ତି, ଗତ ବର୍ଷ ୧ କ୍ୱିଣ୍ଟାଲ ଫୁଲ ଉତ୍ପାଦନ କରାଯାଇଥିଲା । ଏ ବର୍ଷ ୩ କ୍ୱିଣ୍ଟାଲ ଅମଳ ଲକ୍ଷ୍ୟ ରହିଛି । ଓରମାସ୍‌ ଡେପୁଟି ସିଇଓ ଉମା ମହେଶ କହିଛନ୍ତି, ଅଧିକରୁ ଅଧିକ ଚାଷୀ ଏହି ଚାଷ ଆପଣାଇଲେ ଉତ୍ପାଦନ ବଢିବ । ଯଦ୍ୱାରା ତେଲ ପ୍ରକ୍ରିୟାକରଣ ୟୁନିଟ୍‌ ବସାଇବା ଦିଗରେ ଉଦ୍ୟମ ହୋଇପାରିବ । ବିକ୍ରିବଟା ଭଲ ହେଲେ ଚାଷୀଙ୍କ ଆୟ ବଢିବ । ସେମାନଙ୍କ ଆର୍ଥିକ ମାନଦଣ୍ଡ ମଜଭୁତ ହେବ । ଏହି ଚାଷ ପାଇଁ କୋଟିଆ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବ ।

ଏହି ଖବରଟିକୁ ପଢନ୍ତୁ- ଲିଙ୍ଗରାଜ ମନ୍ଦିରରେ ପ୍ଲାଷ୍ଟିକ୍ ମନା, ପଲିଥିନରେ ଭୋଗ ନେଇପାରିବେନି ଶ୍ରଦ୍ଧାଳୁ