ଭୁବନେଶ୍ଵର, ୧୪/୦୨ : ରାତି ପାହିଲେ ଜାଗର। ଲିଙ୍ଗରାଜ ମନ୍ଦିରରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଜାଗର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଜାରି ହୋଇଛି ନୂଆ କଟକଣା । ମନ୍ଦିରକୁ ପ୍ଲାଷ୍ଟିକ୍ ମନା । କେବଳ ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ। ସେହିପରି ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ। ପ୍ରଦୂଷଣ ନିୟନ୍ତ୍ରଣ ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶାବଳୀ ଜାରି କରିଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଣିକି ଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ରେ ଭୋଗ ନେଇପାରିବେ ନାହିଁ। ପୂଜା ସାମଗ୍ରୀ, ପ୍ରସାଦସେବନ ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହୋଇଛି।
ପ୍ଲାଷ୍ଟିକ୍, ପଲିଥିନ୍ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି।
ଏହି ଖବରଟିକୁ ପଢନ୍ତୁ- ଅନିଶ୍ଚିତତାରେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ, ପ୍ରଶାସନର ପ୍ରୟାସ ସତ୍ତ୍ଵେ ସେବା ପୂଜା ସୁଯୋଗ ପାଉନାହାନ୍ତି କପିଳେଶ୍ୱରଙ୍କ ଖୁଣ୍ଟିଆ ସେବାୟତ