ମନମୁଣ୍ଡା, ୯।୮ : ମନମୁଣ୍ଡା ଥାନା ଖଲିଆପାଲି ( ପୂରୁମୁଣ୍ଡା ) ପଞ୍ଚାୟତ ଜାତୀୟ ରାଜପଥ ଗୁଦୁଗୁଦା ଠାରେ ଥିବା କାଳିଆ ଢାବା କର୍ମଚାରୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପୀଡ଼ିତମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏତଲା ଦେବାର ଆଜକୁ ତିନି ଦିନ ହୋଇଯାଇଥିବାବେଳେ ତାହାର କପି ପୁଲିସ ଅଦ୍ୟାବଧି ଅଭିଯୋଗକାରୀଙ୍କୁ ପ୍ରଦାନ କରି ନାହିଁ। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାରି ପ୍ରତିବାଦ ରେ ଅଭିଯୋଗକାରୀ ଓ ସମସ୍ତ ପୀଡ଼ିତମାନଙ୍କ ସମେତ ଢାବା ମାଲିକ ମନମୁଣ୍ଡା ସହରରେ ପୁଲିସ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ଶୋଭାଯାତ୍ରାରେ ଯାଇ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅଭିଯୋଗ ଅନୁଯାୟୀ ଶଗଡ଼ା ଫାଣ୍ଡି ପୋଲିସଙ୍କ ସହ ସାଦା ପୋଷାକଧାରୀ କେତେ ଜଣ ଗୁରୁବାର ରାତିରେ କାଳିଆ ଢାବା କବାଟକୁ ବାଡେଇଥିଲେ । ଖାଇବାକୁ ମାଗିଥିଲେ । ଢାବା ବନ୍ଦ ହେଲାଣି ଓ ଖାଦ୍ୟ ନାହିଁ ବୋଲି କର୍ମଚାରୀ ମାନେ କହିଥିଲେ। ସେତିକିରେ ଫାଣ୍ଡି ପୋଲିସ ଓ ତାଙ୍କ ସହ ଥିବା ଅନ୍ୟମାନେ ଢାବା କର୍ମଚାରୀଙ୍କୁ ମାଡ ମାରିଥିଲେ।
ଏପରିକି ଢାବାର ଡ୍ର ରୁ ୬୨୦୦ ଟଙ୍କା ନେଇ ପଳାଇଯାଇଥିଲେ ଏବଂ ଜଣେ ଢାବା କର୍ମଚାରୀ ଶକ୍ତି ବେହେରା କୁ ନେଇଯାଇଥିଲେ ଓ ପରବର୍ତ୍ତୀ ସମୟ ରେ ଛାଡି ଦେଇଥିଲେ। ପୁଲିସର ମାଡ ରେ ୮ଜଣ ଢାବା କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି। ଢାବା ର କୌଣସି କର୍ମଚାରୀ ବିରୁଦ୍ଧରେ କିଛି ଅଭିଯୋଗ ନ ଥିବାବେଳେ ପୁଲିସର ଅମାନୁସିକ କାର୍ଯ୍ୟକଳାପ କୁ ସାଧାରଣ ରେ ନିନ୍ଦା କରାଯାଇଛି। , ପୀଡ଼ିତ କେଶନ ଭୋଇ ଏନେଇ ଥାନା ରେ ଏତଲା ଦେଇଥିଲେ । ତଥା କଥିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ନେଇ ସମସ୍ତ ପୀଡ଼ିତ ମାନେ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ମଧ୍ୟ ଅଭିଯୋଗ କରିବାକୁ ଯାଇଥିଲେ।