ଭୁବନେଶ୍ୱର,୦୮/୦୭: ସରକାରୀ  ଓ ବେସରକାରୀ ହସ୍ପିଟାଲରେ ପୁଳାପୁଳା  ଡେଙ୍ଗୁ ରୋଗୀ । ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୦୦ ପାର କରିଛି ।  ହେଲେ ବିଏମ୍‌ସି ଚେତୁନି । କେବଳ  ସଚେତନତା କାର୍ଯ୍ୟକ୍ରମ କରି ହାତ ଝାଡ଼ି  ଦେଇଛି । ପ୍ରତିଦିନ ୬/୭ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ପଟିଆ, ଜାଗମରାରେ ସର୍ବାଧିକ ଡେଙ୍ଗୁ ରୋଗୀ ଦେଖିବାକୁ  ମିଳିଛି । ଆଇଆର୍‌ସି ଭିଲେଜ୍‌ରେ ସ୍ଥିତି  ସାଂଘାତିକ ରହିଛି । ବସ୍ତି, ଆପାର୍ଟମେଣ୍ଟ,  ସରକାରୀ କାର୍ଯ୍ୟାଳୟ ସବୁଠି ଡେଙ୍ଗୁ  ମଶାଙ୍କ ଆତଙ୍କ ଦେଖିବାକୁ ମିଳିଛି । 

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି,  ନିୟମିତ ମଶା ଧୂଆଁ ଦିଆହେଉନି । ମଶା  ତେଲ ପଡୁନି । ବିଏମ୍‌ସି ପକ୍ଷରୁ କେବଳ ଫଟୋ ଉଠାଚାଲିଛି । ବିଏମ୍‌ସି ପକ୍ଷରୁ  ବିଭିନ୍ନ ସ୍କୁଲରେ ସଚେତନତା କରାଯାଇଛି । ଅର୍ବାନ ମେଟ୍ରୋପଲିଟାନ୍‌ ସର୍ଭେଲାନ୍ସ ୟୁନିଟ୍‌  ପକ୍ଷରୁ ଏକ ଘରୋଇ ବିଦ୍ୟାଳୟରେ  ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।  ଡେଙ୍ଗୁ ମଶା ଲାର୍ଭା କିପରି ନଷ୍ଟ କରାଯିବ  ତାହା ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଛି ।