ନୂଆଦିଲ୍ଲୀ, ୦୪/୦୧ : ଘନ କୁହୁଡ଼ି ଚାଦର ତଳେ ଘୋଡ଼େଇ ହୋଇଛି ରାଜଧାନୀ। ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ପ୍ରବଳ ଜାଡ଼। ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ। ନୂଆବର୍ଷ ଠାରୁ ଉତ୍ତର ଭାରତରେ ତାପମାତ୍ରା ହ୍ରାସ ପାଇଛି। ସକାଳ ୧୦ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ସାରା ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହୁଛି। କୁହୁଡ଼ି ପାଇଁ କିଛି ଦୃଶ୍ୟମାନ ହେଉନି। ଯାତାୟତରେ ବି ଅସୁବିଧା ହେଉଛି। ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ଯୋଗୁଁ ୧୫୦ରୁ ଉର୍ଦ୍ଧ୍ଵ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ସେହିପରି ଟ୍ରେନ୍ ଗୁଡ଼ିକ ମଧ୍ୟ ବିଳମ୍ଵରେ ଚାଲିଛି। 

ଦିଲ୍ଲୀ ସମେତ ଏନସିଆରରେ ଘନ କୁହୁଡ଼ି ଯୋଗୁଁ ନ୍ୟୁନତମ ଦୃଶ୍ୟମାନ ରେକର୍ଡ ହୋଇଛି। ଦିଲ୍ଲୀରେ ସକାଳ ୭ଟା ସୁଦ୍ଧା ୧୦୦-୨୫୦ ମିଟର ଭିଜିବିଲିଟି ରହିଥିଲା। ରାସ୍ତାଘାଟ ସବୁ ଅଦୃଶ୍ୟ ହୋଇଯାଇଥିଲା। ହାଇୱେରେ ସାମ୍ନାରୁ ଆସୁଥିବା ଗାଡ଼ି ଗୁଡ଼ିକ ଦେଖିବା ମୁସ୍କିଲ୍ ହୋଇଯାଇଥିଲା। ସେପଟେ ବିମାନ ଉଡ଼ାଣରେ ବିଳମ୍ଵ ହେଉଥିବାରୁ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ନିଜ ନିଜ ଯାତ୍ରା ସମ୍ବନ୍ଧୀୟ ସୂଚନା ପାଇଁ ଏୟାରଲାଇନ୍‌ସ ସହ ଯୋଗାଯୋଗ କରିବାକୁ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ କୁହାଯାଇଛି। 

ତେବେ ଯାତାୟତ ପ୍ରଭାବିତ ହେବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ ଆଗକୁ ଆହୁରି ଥଣ୍ଡାର ପ୍ରକୋପ ବଢିପାରେ। ଜାନୁଆରୀରେ ଭୟଙ୍କର ଶୀତ ପଡ଼ିବ ବୋଲି ଆକଳନ କରାଯାଉଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।