ବାରିପଦା,୨୦/୧୧ : ପବିତ୍ର ମହୋଦଧି ଅମାବାସ୍ୟା ତିଥିରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ପବିତ୍ର ଦେବ ଦୀପାବଳୀ ନୀତି ପାଳିତ ହୋଇଛି l ପୁରୀ ଶ୍ରୀମନ୍ଦିରରେ ଏହି ନୀତି ବେଶ ଧୁମ୍ ଧାମରେ ପାଳିତ ହେଉଥିବାବେଳେ ଚଳିତ ବର୍ଷ ପ୍ରଥମ ଥର ଲାଗି ବାରିପଦା ବଡ଼ ଜଗନ୍ନାଥ(ଶ୍ରୀ ଶ୍ରୀ ହରି ବଳଦେବଜୀଉ ବିଜେ)ମନ୍ଦିରରେ ଅଗଣିତ ଭକ୍ତ ଏକଜୁଟ ହୋଇ ଦେବଦୀପାବଳି ପାଳନ କରିଥିଲେ। ମହାପ୍ରଭୁଙ୍କ ସନ୍ଧ୍ୟା ଆରତୀ ପରେ ପୂଜା ଅର୍ଚ୍ଚନା କରାଯାଇ ମନ୍ଦିର ବାହାରେ ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଜାଳିବା ସହ ମନ୍ଦିର ପ୍ରାଙ୍ଗଣରେଥିବା ଭାଗବତ ମଣ୍ଡପରେ ରଙ୍ଗୋଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିତ୍ର ଅଙ୍କନ ସହିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା l ମୃଦଙ୍ଗ ଗିନି, ଝାଞ୍ଜ, କରତାଳି ତାଳେ ତାଳେ ହୁଳହୁଳି ଓ ହରିବୋଲରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା l ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଧ୍ଵନି ଏହି ଆଧ୍ୟାତ୍ମିକ ପରିବେଶକୁ ଆହୁରି ରୁଦ୍ଧିମନ୍ତ କରିଥିଲା l
ସୂଚନାଯୋଗ୍ୟ, ତିନି ଦିନ ଧରି ପାଳିତ ହେଉଥିବା ଦେବ ଦୀପାବଳୀ ଉତ୍ସବ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଆରମ୍ଭ ହୋଇ ପ୍ରତିପଦା ତିଥିରେ ସମାପ୍ତ ହେବ। ଏହିକ୍ରମରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଅଦିତି ଓ କାଶ୍ୟପଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥ ତ୍ରେତୟା ଯୁଗର ନିଜ ପିତା ଦଶରଥ ଓ ମାତା କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ଦିଅନ୍ତି। ସେହିପରି ପ୍ରତିପଦା ତିଥିରେ ଶୁକ୍ରବାର ମହାପ୍ରଭୁ ଦ୍ୱାପର ଯୁଗର ପିତାମାତା ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ଅର୍ଘ୍ୟ ପ୍ରଦାନ କରିବେ।
ଏହି ସମୟରେ ଶ୍ଵେତ ବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ସେହି ବେଶରେ ହିଁ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। ଏହି ପବିତ୍ର ଉତ୍ସବକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ପ୍ରଥମ ଥର ପାଇଁ ଆମେ ମୟୂରଭଞ୍ଜିଆ ପକ୍ଷରୁ ପାଳନ କରି ସାରା ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳ କାମନା କରାଯାଇଛି l ଘରେ ଘରେ ଘିଅ ଦୀପ ଜାଳିବା ସହ ମନ୍ଦିର ଗୁଡ଼ିକରେ ଘିଅ ଦୀପ ଜାଳି ଏହି ଉତ୍ସବକୁ ଅଧିକରୁ ଅଧିକ ସାର୍ବଜନୀନ କରାଯାଇଛି l ଏଠାରେ ସୂଚନାଯୋଗ୍ୟଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ସୁନାରାମ ସିଂଙ୍କ ପ୍ରସ୍ତାବକୁ ପାଳନ କରିବାକୁ ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଉଦଯାପନୀ ଦିବସରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ ଚୌଧୁରୀ ନିଜର ସମ୍ମତି ପ୍ରଦାନ କରିଥିବାବେଳେ ତାଙ୍କ ଆହ୍ୱାନରେ ପ୍ରଥମ ଥର ପାଇଁ ଏହି ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷା ତଥା ମୟୂରୀର କାର୍ଯ୍ୟକାରୀ ଅଧ୍ୟକ୍ଷା ଡଃ ବନଜା ମହାନ୍ତି, ଶିକ୍ଷାବିତ୍ ଦେବଜିତ ପୃଷ୍ଟି, ଶିକ୍ଷାବିତ ପୂର୍ଣ୍ଣିମା ପଣ୍ଡା, ଶିକ୍ଷାବିତ୍ ବୈଜୟନ୍ତୀମାଲା ପାଲ, ଶିକ୍ଷାବିତ୍ କମଳ ଲୋଚନ ମହାକୁଡ, କବି ସୁଧାମୟୀ ଦାସ, ଚିତ୍ର ଶିଳ୍ପୀ ପ୍ରଣତି ପଟ୍ଟନାୟକ, ଚିତ୍ର ଶିଳ୍ପୀ ନିବେଦିତା ମହାନ୍ତ, ମହାପ୍ରଭୁଙ୍କ ସେବିକା ଶିବାନୀ କାନୁନ ଗୋ, ଅଲିଭା ସାହୁ, ଜୟଜିତ ପୃଷ୍ଟି, ଚିନ୍ମୟ ଷଡ଼ଙ୍ଗୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଆଗାମୀ ବର୍ଷ ଗୁଡିକରେ ଏହି ମହାନ ପରମ୍ପରାକୁ ପ୍ରତିଟି ଓଡ଼ିଆ ଘରେ ପହଞ୍ଚାଇବାକୁ ସଂକଳ୍ପ ନିଆଯାଇଛି l