ମୁମ୍ବାଇ,୦୫/୧୨: ଆଜି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର କ୍ଷମତାସୀନ ହେବ । ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ନେବେ । ଉପ ମୁଖ୍ୟମନ୍ତ୍ରୀ ହେବେ ଶିବସେନା ନେତା ଏକନାଥ ସିନ୍ଦେ ଓ ଏନ୍ସିପି ନେତା ଅଜିତ ପାୱାର । ମହାୟୁତି ମେଣ୍ଟର ଏହି ୩ ପ୍ରମୁଖ ନେତା ବୁଧବାର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଏହି ସମୟରେ ସେମାନଙ୍କ ସହ ବିଜେପି ପର୍ଯ୍ୟବେକ୍ଷକ ବିଜୟ ରୁପାନି ଓ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଏହାପରେ ରାଜ୍ୟପାଳ ସରକାର ଗଢ଼ିବାକୁ ମହାୟୁତିକୁ ଆମନ୍ତ୍ରଣ କରିଛନ୍ତି । ସରକାର ଗଠନ ଦାବି ପରେ ଫଡ଼ନବିସ, ସିନ୍ଦେ ଓ ଅଜିତ ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ମହାୟୁତ କ୍ୟାବିନେଟ୍ରେ କେତେ ଓ କେଉଁମାନଙ୍କୁ ସାମିଲ କରାଯିବ, ତାହା ନେଇ ପରେ ସୂଚନା ଦିଆଯିବ । ଶପଥ ଗ୍ରହଣ ସମାରୋହ ଗୁରୁବାର ସନ୍ଧ୍ୟା ୫ଟା ୩୦ରେ ଆଜାଦ ମଇଦାନରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସାମିଲ ହେବେ । ତେବେ ଉପ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେଇ ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ଜବାବରେ ଅଜିତ କହିଥିଲେ, କିଏ ନିଅନ୍ତୁ କି ନାହିଁ ତାହା ଭିନ୍ନ କଥା । ମୁଁ କିନ୍ତୁ କାଲି ନିଶ୍ଚିତ ଶପଥ ନେବି । ଏହା ଉପରେ ସିନ୍ଦେ କହିଥିଲେ, ଦିନରେ ଓ ସନ୍ଧ୍ୟାରେ ଶପଥ ନେବାର ଅଭିଜ୍ଞତା ଅଜିତ ଦାଦାଙ୍କର ରହିଛି । ଫଡ଼ନବିସ କହିଥିଲେ, ଆମେ ତିନି ଜଣ ଏକ । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କେବଳ ଟେକ୍ନିକାଲ ପଦବୀ । ମୁଁ ଏକନାଥ ଜୀଙ୍କୁ ସରକାରରେ ସାମିଲ ହେବା ପାଇଁ ଅନୁରୋଧ କରିଛି । ସେ ଆମ ସହ ରହିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ।
ସିନ୍ଦେ କହିଥିଲେ, ମୋତେ କ’ଣ ମିଳିଲା ତାହା ପ୍ରଶ୍ନ ନୁହେଁ । ବରଂ ମହାରାଷ୍ଟ୍ରକୁ କ’ଣ ମିଳିଲା, ସେହି ଭାବନା ଆମ ମନରେ ରହିଛି । ମହାୟୁତିରେ କୌଣସି ମତଭେଦ ନାହିଁ । ଗତ ଥର ଫଡ଼ନବିସ ମୋ ନାମକୁ ନେଇ ସୁପାରିସ କରିଥିଲେ । ଏଥର ମୁଁ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ନେଉଛି ।
ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ନେତା ଫଡ଼ନବିସ କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଉଭୟ ନେତା ୪୫ ମିନିଟ ପର୍ଯ୍ୟନ୍ତ ବୈଠକ କରିଥିଲେ । ସୂତ୍ର ମୁତାବକ, ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସିନ୍ଦେ ରାଜି ହୋଇଛନ୍ତି । କିନ୍ତୁ ଗୃହ ମନ୍ତ୍ରଣାଳୟକୁ ନେଇ ସେ ଅଡ଼ିବସିଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଫଡ଼ନବିସଙ୍କ ନାମ ଚୂଡ଼ାନ୍ତ ହେବା ପରେ ସେ ବିଧାନ ଭବନ ପରିସରରେ ଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ବିଜେପି ନେତା ଓ କର୍ମକର୍ତ୍ତାମାନେ ଉତ୍ସବ ମନାଇଥିଲେ ।
ମହାରାଷ୍ଟ୍ରରେ ଗୁରୁବାର ନୂଆ ସରକାରର ଶପଥ ସମାରୋହ ପରେ ୭ ତାରିଖରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଏହା ୩ ଦିନ ଧରି ଚାଲିବ । ଏହି ସମୟରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ । ବିଧାନସଭା ବାଚସ୍ପତି ନିର୍ବାଚନ ବି ହେବ । ଏହାପରେ ଡିସେମ୍ବର୧୬ରୁ ୨୧ ପର୍ଯ୍ୟନ୍ତ ନାଗପୁରରେ ବିଧାନସଭାର ଶୀତ ଅଧିବେଶନ ହେବ ।
ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ଦକ୍ଷିଣ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୪ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି । ଶପଥ ଉତ୍ସବରେ ମହାୟୁତିର ପ୍ରମୁଖ ଦଳ ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀ ଏବଂ ଏନ୍ସିପି ଅଜିତ ଗୋଷ୍ଠୀ ପକ୍ଷରୁ ବିପୁଳ ସଂଖ୍ୟାରେ ସମର୍ଥକମାନେ ସାମିଲ ହେବେ । ବିଜେପି ପକ୍ଷରୁ ୪୦ ହଜାର ଦଳୀୟ ସମର୍ଥକଙ୍କ ନିମନ୍ତେ ବସିବା ବ୍ୟବସ୍ଥା କରାଯାଇଛି। ୨ ହଜାର ଭିଭିଆଇପିଙ୍କ ପାଇଁ ଆସନ ସଂରକ୍ଷିତ ରହିଛି । ୫୨୦ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।
ଶିବସେନା ନେତା ଉଦୟ ସାମନ୍ତଙ୍କ ମୁତାବକ, ଗୁରୁବାର କେବଳ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ଗଠନ ଓ ବିଭାଗ ଆବଣ୍ଟନ ନେଇ ନିଷ୍ପତ୍ତି ନିଆଯିବ ।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୩ରେ ମହାରାଷ୍ଟ୍ର ଭୋଟ ଫଳ ସାମ୍ନାକୁ ଆସିଥିଲା । ଭୋଟ ଫଳ ଆସିବାର ୧୨ ଦିନ ପରେ ବି ସରକାର ଗଠନ ହୋଇପାରି ନାହିଁ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାୟୁତି ବୈଠକରେ ଅନେକ ଥର ଚର୍ଚ୍ଚା ହୋଇଥିଲା । ହେଲେ ସମାଧାନ ବାହାରି ପାରି ନ ଥିଲା । ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦ ନେବା ପାଇଁ ରାଜି ହୋଇ ନ ଥିଲେ । ଏହାପରେ ଫଡ଼ନବିସଙ୍କ ସହ ସାକ୍ଷାତ ପରେ ବିବାଦ ଟଳିଛି । ମହାରାଷ୍ଟ୍ର ନିର୍ବାଚନରେ ମୋଟ ୨୮୮ ଆସନରୁ ବିଜେପି ସର୍ବାଧିକ ୧୩୨ ପାଇଥିଲା ବେଳେ ଶିବସେନା ସିନ୍ଦେ ୫୭ ଓ ଏନ୍ସିପି ଅଜିତ ୪୧ ଆସନ ପାଇଥିଲା । ସେପଟେ ମହା ବିକାଶ ଅଘାଡ଼ିର ୩ ପ୍ରମୁଖ ଦଳ ଥିବା ଯଥା ଶିବସେନା ଉଦ୍ଧବ ଗୋଷ୍ଠୀ ୨୦ ଆସନ ପାଇଥିଲା ବେଳେ କଂଗ୍ରେସ ୧୬ ଓ ଏନ୍ସିପି ଶରଦ ଗୋଷ୍ଠୀ ୧୦ ଆସନ ପାଇଥିଲା । ସରକାର ଗଢ଼ିବା ପାଇଁ ବହୁମତ ଅଙ୍କ ୧୪୫ ରହିଛି ।