ନୀଳଗିରି,୨୫/୦୫: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ନୀଳଗିରିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆଗକୁ ସ୍ନାନପୂର୍ଣ୍ଣିମା ଆସୁଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ନୀତି ହେବା ପାଇଁ ଚନ୍ଦନ କାଠର ଆବଶ୍ୟକତା ରହିଛି । ଏହାକୁ ଆଖି ଆଗରେ ରଖି ରବିବାର ନୀଳଗିରି ଅଞ୍ଚଳର ଭକ୍ତ ସଂଜୀବ କୁମାର ମହାପାତ୍ର ବାଡ଼ିରେ ଥିବା ଚନ୍ଦନ କାଠ କାଟି ଦାନ କରିଛନ୍ତି । ଠାକୁରମାହାଲ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ସୋନମ ଦାସ, ପୂଜକ ସରୋଜ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଓଜନ କରି ଚନ୍ଦନ କାଠକୁ ଠାକୁରମାହାଲରେ ରଖାଯାଇଛି ।
କୋଟି ଓଡ଼ିଆଙ୍କ ମଉଡ଼ ମଣି ମହାପ୍ରଭୁ ଜଗନ୍ନାଥ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଜାରି ରହିଛି । ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ହୋଇଛି ରଥଖଳା । ତୃତୀୟ ଶ୍ରୀକ୍ଷେତ୍ର ବାଲେଶ୍ୱର ନୀଳଗିରିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ପାଇଁ ଚନ୍ଦନ କାଠ ଦାନ କରି ସାନିଧ୍ୟ ଲାଭ କରିଛନ୍ତି ଭକ୍ତ ସଂଜୀବ କୁମାର ମହାପାତ୍ର । ମହାପ୍ରଭୁ ଦିବ୍ୟ ରଥଯାତ୍ରାରେ ତାଙ୍କ ବାଡ଼ିର ଚନ୍ଦନ କାଠ ଲାଗି ହେବାର ସୌଭାଗ୍ୟ ମିଳିଥିବାରୁ ସେ ଧନ୍ୟ ମନେ କରିଛନ୍ତି ।