ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା । ବାର୍ଷିକ ବୈକୁଣ୍ଠ ଦ୍ବାର ଦର୍ଶନ ଲାଗି ଟିକେଟ୍ କାଉଣ୍ଟର ନିକଟରେ ଦଳାଚକଟା ହୋଇଥିବା ଜଣାପଡ଼ିଛି । ଟିକେଟ ପାଇଁ ଯାଇଥିବା ୬ ଶ୍ରଦ୍ଧାଳୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବୈକୁଣ୍ଠ ଦ୍ୱାର ଦର୍ଶନ କରିବାକୁ ବୁଧବାର ସକାଳୁ ପାଖାପାଖି ୪ ହଜାର ଶ୍ରଦ୍ଧାଳୁ ଟିକେଟ ପାଇଁ ଧାଡ଼ି ଲଗାଇଥିଲେ । ତେବେ ଭକ୍ତମାନଙ୍କୁ ବାଇରାଗୀ ପଟ୍ଟିଦା ପାର୍କରେ ଧାଡ଼ି ଲଗାଇବାକୁ କୁହାଯିବାରୁ ଏହି ଘଟଣା ଘଟିଛି । ଦଳଚକଟା ପରେ ସେଠାରେ ପ୍ରଭଳ ହୋହଲ୍ଲା ହୋଇଛି । ମଲ୍ଲିକା ନାମକ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦଳାଚକଟା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ଚେୟାରମ୍ୟାନ୍ ବି.ଆର ନାଇଡୁ ଏକ ଜରୁରୀ ବୈଠକ ଡକାଇଛନ୍ତି । ବୈଠକ ସରିବା ପରେ ସେ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ଜଣାଇବେ ।
ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ କୁନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେହିଭଳି ରାଜ୍ୟର ଗୃହମନ୍ତ୍ରୀ ଅନୀତା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ଉତ୍ତମ ଚିକତ୍ସା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୃହମନ୍ତ୍ରୀ ଅନୀତା ତିରୁପତି ଜିଲ୍ଲାର ଏସପିଙ୍କୁ ଫୋନ୍ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି । ସେପଟେ ଚନ୍ଦ୍ରବାବୁ ନାଇଡୁ ସ୍ଥାନୀୟ ହସ୍ପିଟାଲର ଜରୁରୀ ସେବା ବିଭାଗର ସ୍ଥିତିକୁ ପରଖିବାକୁ ଗୃହମନ୍ତ୍ରୀ ଅନୀତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମନ୍ଦିରରେ ମହିଳା, ଛୋଟ ପିଲା ଏବଂ ବୟସ୍କଙ୍କ ଲାଗି ବିଶେଷ ବ୍ୟବସ୍ଥା କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି ।