କୋକସରା,୮/୧୨: କଳାହାଣ୍ଡି ଜିଲ୍ଲାରେ ଗତ ୨୯ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଟିଆ ମଣ୍ଡିରେ ଖରିଫ୍ ଧାନ ମଣ୍ଡି ଖୋଲାଯାଇଛି।କିନ୍ତୁ କୌଣସି ଚାଷି ଙ୍କ ଧାନ କ୍ରୟ କରାଯାଇ ନାହିଁ। ପରବର୍ତ୍ତୀ ସମୟରେ ବିମଳାମଣ୍ଡି ରୁ ୨ ଜଣ ଚାଷୀ ଙ୍କ ଠାରୁ ୧୫୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ସେବେଠାରୁ ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ପର୍ଯ୍ୟନ୍ତ ମଧ୍ୟ ମଣ୍ଡି ଆରମ୍ଭ ହୋଇ ପାରିନାହିଁ। ଯାହା ଫଳରେ ଚାଷୀଙ୍କ ମୁଠାଏ ମଧ୍ୟ ଧାନ ଉଠାଣ ହୋଇପାରିନି। ଅଭାବୀ ଧାନ ବିକ୍ରି ସହ ଚାଷୀ ନିଜର ଖର୍ଚ୍ଚ ସାଧନ ପାଇଁ ଦଲାଲ ଙ୍କୁ ୧୫୦୦/୧୭୦୦ ମଧ୍ୟରେ ବିକ୍ରି କରୁଛି। କୋକସରା ବ୍ଳକରେ ମଧ୍ୟ ଧାନ ମଣ୍ଡି ଆରମ୍ଭ ହୋଇ ନଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ।
କୋକସରା ବ୍ଲକରେ ୬ଟି ପ୍ୟାକ୍ସ ରହିଥିବାବେଳେ ଏହି ପ୍ୟାକ୍ସ ଗୁଡ଼ିକ ଅଧିନରେ ମୋଟ ୨୩ ଗୋଟି ଧାନ ମଣ୍ଡି ୭ ଗୋଟି ଉପ ମଣ୍ଡି ରହିଛି। ଚଳିତବର୍ଷ ୬ଟି ପ୍ୟାକ୍ସ ଧାନ କ୍ରୟ କରୁଥିବା ବେଳେ ଗୋଟିଏ ମାତ୍ର ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବା ନେଇ ସୂଚନା ରହିଛି। ବ୍ଳକରେ ୮୦ ପ୍ରତିଶତ ଧାନ କଟା ସରିଥିବାବେଳେ ଚାଷୀମାନେ ଅମଳ ପରେ ଧାନ କୁ ଖଲା, ଘରେ ଓ ଖୋଲା ଆକାଶ ତଳେ ରଖି ମଣ୍ଡି ଖୋଲିବା ଦିନକୁ ଚାହିଁ ବସି ଶୀତ କାକରରେ ପଡି ରହିଛନ୍ତି।
ବ୍ଳକରେ ମୋଟ୍ ୧୩ ହଜାର ୧୦୬ ଜଣ ଚାଷୀ ଖରିଫ୍ ଧାନ ବିକ୍ରୀ ନିମନ୍ତେ ପଞ୍ଜିକରଣ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କାଁ ଭାଁ ଚାଷୀଙ୍କ ଟୋକନ୍ ଆସିଥିବା ବେଳେ ଟୋକନ ନ ଆସିଥିବା ଚାଷୀ ଦ୍ୱନ୍ଦରେ ରହିଛନ୍ତି। ଏଣେ ଏହାର ସୁଯୋଗ ନେଇ ଦଲାଲ୍ ମାନେ ସକ୍ରିୟ ହୋଇ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଧାନ କ୍ରୟ କରି ନେଉଛନ୍ତି। ଚାଷୀ ମଧ୍ୟ ନିଜର ଆବଶ୍ୟକତାକୁ ପୂରଣ କରିପାବା ଓ ଧାର କରଜ ସୁଝିବା ଚିନ୍ତାରେ ବାଧ୍ୟ ହୋଇ କମ୍ ଦରରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ବିଳମ୍ବିତ ଧାନ ମଣ୍ଡି ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିଥିବାବେଳେ ଅସାଧୁ ମିଲର୍ସ ଓ ଧାନ ବେପାରି ଏହାର ଫାଇଦା ନେବାରେ ଲାଗି ପଡିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜତା ମିଶ୍ରଙ୍କ ପ୍ରତିକ୍ରିୟା ନେବାରୁ ମିଲର୍ସଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ସରିବା ପରେ ମଣ୍ଡି ଆରମ୍ଭ ହେବ ବୋଲି କହିଛନ୍ତି।