ପୁରୀ,୧୬/୧୨: ସୋମବାର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରର ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ । ସ୍ୱତନ୍ତ୍ର ଚୂଲିରେ ପ୍ରସ୍ତୁତ ପହିଲି ଭୋଗ ହେଲା ଲାଗି। ପହିଲି ଭୋଗ ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୋଇଛି। ଠାକୁରଙ୍କ ସଅଳ ଦର୍ଶନ ସହ ମହାପ୍ରସାଦ ପାଇବେ ଶ୍ରଦ୍ଧାଳୁ । ଅପରାହ୍ନରେ ଠାକୁରଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ ।    

ସାଧାରଣ ଦିନରେ ଶ୍ରୀମନ୍ଦିର ନୀତିରେ ଠାକୁରଙ୍କ ବେଶ ପରେ ରୋଷହୋମ  ହୋଇଥାଏ । ରୋଷହୋମରୁ ଅଗ୍ନି  ଆସିଲେ ଠାକୁରଙ୍କ ଭୋଗ ରନ୍ଧାଯିବା  ପାଇଁ ଚୂଲି ଲାଗିଥାଏ । ପହିଲି ଭୋଗ ମାସରେ କିନ୍ତୁ ମଙ୍ଗଳ ଆଳତି ପରେ ରୋଷହୋମ କରାଯାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଥିଲା । ରାତି ୨ ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି । ୩ଟାରେ ଠାକୁରଙ୍କ ମଙ୍ଗଳ ଆଳତି ଓ ରୋଷହୋମ, ମଇଲମ-ତଡ଼ପଲାଗି ୩ଟା୪୫ ମିନିଟ୍‌, ଅବକାଶ  ସାଢ଼େ ୪ଟା, ସୂର୍ଯ୍ୟପୂଜା ୪ଟା୪୫ମିନିଟ୍‌, ଦ୍ୱାରପାଳ ପୂଜା ଓ ବେଶ ଶେଷ ୫ଟାରେ ହୋଇଛି ।  ୫ଟା୩୦ମିନିଟ୍‌ରୁ ୬ଟା ମଧ୍ୟରେ ପହିଲି ଭୋଗ ଅର୍ପଣ କରାଯାଇଛି । 

ରତ୍ନସିଂହାସନରେ ଅବକାଶ  ପରେ ମହାପ୍ରଭୁ ଅଳଙ୍କାର ଲାଗି ନୀତି । ବେଶ  ସରିବା ପରେ ପହିଲି ଭୋଗ ଅର୍ପଣ । ଏଥିରେ ବଡ଼ଝିଲି, ଦରସୁଆ ବଡ଼ି,  ଦରସୁଆ ଝିଲି, ବଡ଼ବଡ଼ା, କାକେରା, ସାନ ଅମାଲୁ, ନଳି, କାକେରୀ, ଏଣ୍ଡୁରୀ, ମୁଗେଇ,  ଝଡ଼େଇ ନେଦା, ନଡ଼ୁ, ଗଜା, ଖଇରଚୁଳ, ଗଇଁଠା, ମଣ୍ଡା, ଆଦି ଭୋଗ ଲାଗି ହୋଇଛି।