ନୂଆଦିଲ୍ଲୀ,୧୪।୧୦: ରଣ ଭୂମିରେ ଶତ୍ରୁ ଦେଶ ହେବ ଧରାଶାୟୀ। ଚୀନ୍ ଓ ପାକିସ୍ତାନ ସହ ଲଢିବାକୁ ମିଳିବ ବଳ । ଭାରତୀୟ ସେନାରେ ଯୋଡି ହେବାକୁ ଯାଉଛି ସ୍ବଦେଶୀ ହାଇଟେକ୍ ଇଲୋକ୍ଟ୍ରୋନିକ୍ସ ଓ୍ବାରଫେୟାର ସିଷ୍ଟମ ‘ଧରାଶକ୍ତି’। ଏହି ସିଷ୍ଟମ ଶତ୍ରୁ ରାଷ୍ଟ୍ରର ରାଡାର ସିଷ୍ଟମର ସିଗନାଲକୁ ଜାମ କରିଦେବ। ଏହାଛଡା ସଶସ୍ତ୍ର ସେନାର ସଞ୍ଚାର କ୍ଷମତାକୁ ମଧ୍ୟ ବହୁଗୁଣ ବଢାଇ ଦେବ। ‘ଧରାଶକ୍ତି’ ଇଣ୍ଟିଗ୍ରେଟେଡ୍ ଇଲେକ୍ଟ୍ରୋନିକ୍ ଓ୍ବାରଫେୟାର ସିଷ୍ଟମକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି । ଏହାକୁ ଅଧିକ ପରିମାଣରେ ଉତ୍ପାଦନ ପାଇଁ ୫,୧୫୦ କୋଟି ଟଙ୍କାର ଅର୍ଡର ଦିଆଯାଇଛି।
ଧରାଶକ୍ତି ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ଶତ୍ରୁର ଇଲେକ୍ଟ୍ରୋନିକ୍ ସିଗନାଲକୁ ଜାମ କରିବା ସହ ଆବଶ୍ୟକ ହେଲେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିପାରେ।ଏହାର କମ୍ୟୁନିକେସନ୍ ସେଗମେଣ୍ଟ ଶତ୍ରୁର ରେଡିଓ ଫ୍ରିକ୍ବେଏନ୍ସିକୁ ଚିହ୍ନଟ କରିବାରେ ଖୁବ୍ ସକ୍ଷମ।ଏହାକୁ ଏଭଳି ଡିଜାଇନ୍ କରାଯାଇଛି ଯେପରି ରାଜସ୍ଥାନର ମରୂଭୂମିର ସର୍ବାଧିକ ତାପମାତ୍ରାରେ ବି କାମ କରିପାରିବ। ‘ଧରାଶକ୍ତି’ ରେ ଆଡଭାନ୍ସ ଇଲେକ୍ଟ୍ରୋ-ଅପ୍ଟିକାଲ ସୁଟ୍ ରହିଛି। ଏଥିରେ ହାଇ-ରିଜୋଲ୍ୟୁସନ୍ ଭିଜୁଆଲ ଓ ଇନ୍ଫ୍ରାରେଡ୍ ସେନ୍ସର ମଧ୍ୟ ରହିଛି। ଧରାଶକ୍ତି ଇଲୋକ୍ଟୋନିୀକ୍ସ ଓ୍ବାରଫେୟାର ସିଷ୍ଟମରେ ଆଧୁନିକ ଉପକରଣ ଲଗାଯାଇଛି। ଫଳରେ ଏହା ଖୁବ୍ ସଠିକ୍ ଟାର୍ଗେଟ କରିଥାଏ। ଏହାଦ୍ବାରା ଯୁଦ୍ଧଭୂମିରେ ଭାରତର ସର୍ଭିଲାନ୍ସ କ୍ଷମତା ବୃଦ୍ଧି ପାଇବ। ଗୋଟିଏ ପଟେ ଶତ୍ରୁଙ୍କୁ ଟାର୍ଗେଟ ଧ୍ବଂସ କରିବା ସହ ଅନ୍ୟପକ୍ଷେ ସଞ୍ଚାର କ୍ଷମତା ବଢାଇ ଦେବ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ବଜେଟ୍ ପାଇଛି। ଏଥିରୁ ୯୨,୨୧୧ କୋଟିରୁ ଅଧିକ ବ୍ୟବହାର କରାଯାଇସାରିଛି। ଏହାର ଅର୍ଥ ହେଉଛି ଅକ୍ଟୋବର ମାସର ଅଧା ସମୟ ବିତିନି ତଥାପି ବଜେଟର ୫୦% ରୁ ଅଧିକ ଖର୍ଚ୍ଚ ହୋଇସାରିଛି। ଏହି ସଂଖ୍ୟା କେବଳ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏବେ ‘ଧରାଶକ୍ତି‘ ଯୁଦ୍ଧ ପ୍ରଣାଳୀର ବହୁଳ ଉତ୍ପାଦନ ପାଇଁ ମଞ୍ଜୁରୀ ଦେଇଛି। ଏହାକୁ ଭାରତର ତିନି ବାହିନୀ - ସ୍ଥଳସେନା, ବାୟୁସେନା ଏବଂ ନୌସେନା ପାଇଁ ପ୍ରସ୍ତୁତ କରାଯାଉଛି।