ମୁମ୍ବାଇ,୨୪।୧୧: ବଲିଉଡର 'ହି-ମ୍ୟାନ୍' ଧର୍ମେନ୍ଦ୍ର ଦେଓଲଙ୍କ ୮୯ ବର୍ଷ ବୟସରେ ହୋଇଛି ପରଲୋକ। ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡ୍ରେ ଅଭିନୟ ଦ୍ବାରା ସୃଷ୍ଟି କରିପାରିଥିଲେ ନିଜର ସ୍ବତନ୍ତ୍ର ସ୍ଥାନ। ସେ ହେଉଛନ୍ତି ଏଭଳି ଜଣେ ତାରକା ଯାହାଙ୍କ ଅଭିନୟ ଏବଂ ବ୍ୟକ୍ତିତ୍ବ ଖୁବ୍ ଭିନ୍ନ ଥିଲା। ତେବେ ଏଭଳି ଏକ ସମୟ ଥିଲା ଯେତେବେଳେ ବଲିଉଡର 'ଡ୍ରିମ୍ ଗାର୍ଲ' ହେମା ମାଳିନୀଙ୍କ ପ୍ରେମରେ ପଡିଥିଲେ ବଲିଉଡର 'ହି-ମ୍ୟାନ୍। ସେତେବେଳେ ଆରମ୍ଭ ହୋଇଥିଲା ଜୋରଦାର ଚର୍ଚ୍ଚା ଏବଂ ବିବାଦ। କାରଣ ପୂର୍ବରୁ ଧର୍ମେନ୍ଦ୍ର ବିବାହ କରିସାରିଥିଲେ।
ଧର୍ମେନ୍ଦ୍ର ଓ ହେମାଙ୍କ ପ୍ରେମ ସମ୍ପର୍କ ଥିଲା ସବୁଠୁ ଭିନ୍ନ। ଏଭଳି ଏକ ପ୍ରେମ କାହାଣୀ ଯାହାକି, ସବୁ ନୀତି-ନିୟମକୁ ମଧ୍ୟ ଭାଙ୍ଗି ନେଇଥିଲା। ଏହା କେବଳ ଫିଲ୍ମ ଦୁନିଆର ଗ୍ଲାମର ନଥିଲା, ବଂର ସାମାଜିକ ନୀତି-ନିୟମଠାରୁ ଉର୍ଦ୍ଧ୍ବରେ ଥିଲା। ‘ହେମା ମାଳିନୀ: ବେୟଣ୍ଡ ଦ ଡ୍ରୀମ୍ ଗାର୍ଲ’ ରେ ହେମା ମାଳିନୀ ତାଙ୍କ ବାୟୋଗ୍ରାଫିରେ ବହୁତ କିଛି କଥା ଖୋଲି କହିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଦୁହିଁଙ୍କ ପ୍ରେମ କିଭଳି ସବୁଠୁ ନିଆରା ଥିଲା। ହେମାଙ୍କ ମା’ ଜୟା ଚକ୍ରବର୍ତ୍ତୀ ଥରେ ତାଙ୍କୁ ଅଭିନେତା ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ମଧ୍ୟ ମନାଇ ଦେଇଥିଲେ। ଏହାର କାରଣ ଥିଲା ଧର୍ମେନ୍ଦ୍ର ପୂର୍ବରୁ ପ୍ରକାଶ କୌରଙ୍କୁ ବିହାର କରିଥିବା ବେଳେ ୪ଟି ସନ୍ତାନର ବାପା ମଧ୍ୟ ହୋଇସାରିଥିଲେ। କିନ୍ତୁ ବିଧିର ବିଧାନ ହୁଏତ କିଛି ଅଲଗା ଥିଲା।
୧୯୭୦ ମସିହାରେ ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ 'ତୁ ହସିନ୍ ମୈଁ ଜବାନ' ଫିଲ୍ମର ସେଟରେ ଦେଖା ହୋଇଥିଲେ। ଡ୍ରିମ୍ ଗାର୍ଲଙ୍କୁ ଦେଖି ପ୍ରେମରେ ପଡି ଯାଇଥିଲେ ହି-ମ୍ୟାନ୍। ଆଖିରେ ଆଖିରେ ଆରମ୍ଭ ହୋଇଥିବା ପ୍ରେମରୁ ଲୁଚାଛପା ଦେଖା ସାକ୍ଷାତ ଓ ପରେ ପ୍ରତିଶୃତିରେ ପରିଣିତ ହୋଇଥିଲା। ସେ ପର୍ଯ୍ୟନ୍ତ ଦୁହେଁ ଲଗାତାର ଦେଇ ସାରିଥିଲେ ୪୦ରୁ ଅଧିକ ହିଟ୍ ଫିଲ୍ମ। ପରଦା ପଛରେ ପରୀରାଇଜର ପ୍ରେମକାହାଣୀ ଭଳି ଥିଲା ଉଭୟଙ୍କ ସମ୍ପର୍କ। ଯେଉଁଥିରେ ଆପୋଷ ବୁଝାମଣା ଏବଂ ମର୍ଯ୍ୟାଦା ଥିଲା, ଯାହାକୁ ହେମା ନିଜେ ତାଙ୍କ ଜୀବନୀରେ ଉଲ୍ଲେଖ କରିଛନ୍ତି। କିନ୍ତୁ ଧର୍ମେନ୍ଦ୍ର ଜଣେ ବିବାହିତ ପୁରୁଷ ଥିବାରୁ ଏହା ସାମାଜିକ ପ୍ରଶ୍ନ ପାଲଟି ଯାଇଥିଲା। ସେତବେଳେ ସବୁ କିଛି ପରିବର୍ତ୍ତନ ହୋଇଯାଇଥିଲା ଯେତେବେଳେ ହେମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଧର୍ମେନ୍ଦ୍ର।
ବହୁ ବାଦ ବିବାଦ ଏବଂ ଚର୍ଚ୍ଚା ପରେ ଉଭୟ ୧୯୮୦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ବି ହେମାଙ୍କୁ ସମାଲୋଚନାର ପାତ୍ର ହେବାକୁ ପଡିଥିଲା। ତାଙ୍କୁ ପ୍ରକାଶ କୌରଙ୍କ ଘର ଭାଙ୍ଗି ଦେଇଥିବା ଦ୍ବିତୀୟ ମହିଳା ଭାବରେ କୁହାଯାଇଥିଲା। ଏସବୁ ପରେ ଧର୍ମେନ୍ଦ୍ରଙ୍କ ପୂର୍ବ ପରିବାରକୁ ସମ୍ମାନ ଦେଇ ହେମା ଅଲଗା ରହିବାର ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ ମୁଁ କାହାକୁ ଡିଷ୍ଟର୍ବ କରିବାକୁ ଚାହୁଁନଥିଲି। ପୂର୍ବରୁ ଧର୍ମେନ୍ଦ୍ରଙ୍କ ୪ଟି ସନ୍ତାନ ସନ୍ନି ଦେଓଲ, ବବି ଦେଓଲ ଦୁଇ ଝିଅ ଅଜିତା ଏବଂ ବିଜେତା ଜନ୍ମ ହୋଇସାରିଥିଲେ। ବିବାହ ପରେ ଧର୍ମେନ୍ଦ୍ର ଏବଂ ହେମାଙ୍କ ଦୁଇ ଝିଅ ଇଶା ଏବଂ ଆହାନାଙ୍କ ହୋଇଥିଲା ଜନ୍ମ। ତେବେ ଧର୍ମେନ୍ଦ୍ର ନିଜର ଦୁଇ ପରିବାର ଭିତରେ ସବୁବେଳେ ବାଲାନ୍ସ କରି ଚାଲିଥିଲେ। ଦୁଇ ପତ୍ନୀ ଏବଂ ୬ ଜଣ ପିଲାଙ୍କ ଭିତରେ ସମାନ ଭଲ ପାଇବା ଦେବାରେ କେବେ ଅବହେଳା କରି ନାହାଁନ୍ତି। ଏବେ ତାଙ୍କର ମୃତ୍ୟୁ ପରିବାରକୁ ଗଭୀର ଆଘାତ ଦେଇଛି।