• ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ଏହି ଦୁଇଟି 'ସିଟି ଇକୋନୋମିକ ରିଜିୟନ' ଗଠନ ପାଇଁ ପ୍ରସ୍ତାବ
  • ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଭୁବନେଶ୍ୱର, ରାୟପୁର, ରାଞ୍ଚିର ୩୦୦ କିମି ପରିଧି ମଧ୍ୟରେ ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୯ ।୨ - ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର) ମଡେଲରେ ଏହି ଇକୋନୋମିକ ରିଜିୟନ ଗଠନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଚିଠିଣେ ଦର୍ଶାଇଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଅଞ୍ଚଳରେ ପ୍ରଚୁର ଖଣିଜ ସମ୍ପଦ, ଶିଳ୍ପ ଭିତ୍ତିଭୂମି ରହିଛି । ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯୋଗୁଁ ଏହା ଆଧୁନିକ ଜ୍ଞାନକୌଶଳ, ନବସୃଜନ ଏବଂ ନୂଆ ନୂଆ ଷ୍ଟାର୍ଟଅପ୍ କ୍ଷେତ୍ରରେ ‘ନ୍ୟୁ ଏଜ୍ ଇକୋନୋମୀ’ର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାପିତ କରୁଛି । ଉତ୍ତମ ସଂଯୋଗୀକରଣ ଏବଂ ପ୍ରଚୁର ସମ୍ପଦ ଯୋଗୁଁ ଏହାକୁ ଏକ ‘ସିଟି ଇକୋନୋମିକ ରିଜିୟନ’ ଭାବେ ଗଢ଼ିବା ପାଇଁ ସବୁ ପ୍ରକାର ଯୋଗ୍ୟତା ରହିଛି । ସଡ଼କ ଓ ରେଳପଥ ସହ ଝାରସୁଗୁଡ଼ା (ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର), ରାଉରକେଲା, ସମ୍ବଲପୁର (ଜମାଦାରପାଲି) ଏବଂ ବରଗଡ଼ (ସତିଭଟା)ର ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅଞ୍ଚଳରେ ଥିବା ଦେବ୍ରିଗଡ, ଭୀମମଣ୍ଡଳୀ, ବେଦବ୍ୟାସ, ଖଣ୍ଡାଧାର ପ୍ରଧାନପାଟ ଭଳି ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରଖୁଛି ।

ସେହିପରି ଅନୁଗୋଳ-ଢେଙ୍କାନାଳ ରିଜିୟନ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଭାରତର ଆର୍ଥିକ ପ୍ରଗତି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଠାରେ ପ୍ରଚୁର ପରିମାଣରେ କୋଇଲା, କ୍ରୋମାଇଟ୍ ଏବଂ ଲୁହା ପଥର ମିଳୁଥିବାରୁ ଏହା ଭାରୀ ଶିଳ୍ପ, ନୂତନ କାରଖାନା ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଅନୁଗୋଳ-ଢେଙ୍କାନାଳ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ଦେଇ ନିକଟରେ ଘୋଷଣା କରାଯାଇଥିବା ୫ ନମ୍ବର ଜାତୀୟ ଜଳପଥ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ । ଏହା ତାଳଚେର, କଳିଙ୍ଗନଗର ଓ ପାରାଦୀପ ମଧ୍ୟରେ ଖଣିଜ ଦ୍ରବ୍ୟର ଶସ୍ତା ପରିବହନ ପାଇଁ ରାସ୍ତା ଫିଟାଇବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଓ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟର ରାଜ୍ୟର ମୋଟ ଜିଏସଡିପିରେ ୨୬ % ରୁ ଅଧିକ ଯୋଗଦାନ ରଖୁଛି । ଏହି ଅଞ୍ଚଳରେ ଜିସିସି ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବସ୍ତ୍ର ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ (ବିଶେଷ କରି ଲଘୁ ବନଜାତ ଦ୍ରବ୍ୟ ଭିତ୍ତିକ) କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି। ଏହି ନୂତନ କରିଡରଗୁଡ଼ିକର ବିକାଶ କରାଗଲେ, ଏହା ଶିଳ୍ପାୟନ ଓ ବ୍ୟବସ୍ଥିତ ସହରୀକରଣ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଏବଂ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବାରେ ଏକ ମୁଖ୍ୟ ଆଧାର ସାଜିବ ।

ଏହି ଦୁଇଟି ନୂତନ ଇକୋନୋମିକ ରିଜିୟନ ଗଠନ ହେଲେ ଶିଳ୍ପାୟନକୁ ବଡ଼ ଗତି ମିଳିବା ସହ ହଜାର ହଜାର ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ରାଜ୍ୟ ଓ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ପ୍ରସ୍ତାବ ସମ୍ବନ୍ଧୀୟ ଏକ ବିସ୍ତୃତ ‘କନସେପ୍ଟ ନୋଟ୍’ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।