- ଫେକ୍ ପୋଷ୍ଟ୍ ଭାଇରାଲ କରୁଛି କ୍ରୋଏସିଆର ଏକ୍ସ ଆଇଡି
- ଆମେରିକାର ରାଜେନ୍ଦ୍ର ମହାପାତ୍ରଙ୍କ ସହ ଧର୍ମେନ୍ଦ୍ରଙ୍କ ସମ୍ପର୍କ ନାହିଁ: ପୃଥ୍ୱୀରାଜ
- ମନ୍ତ୍ରୀଙ୍କୁ ଭେଟିନଥିବା ସ୍ପଷ୍ଟ କଲେ ଡ. ଆର ଜୟରାମନ୍
- ଅପପ୍ରଚାରରୁ ଦୂରେଇ ସତ ଖବର ବିଶ୍ୱାସ କରନ୍ତୁ: ଅନିଲ ବିଶ୍ୱାଳ
ଭୁବନେଶ୍ୱର, ୦୨/୦୬: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିନ୍ଦିତ କରାଇବାକୁ କିଛି ବିରୋଧୀ ଗୋଷ୍ଠୀ ବିଭ୍ରାନ୍ତିକର ତଥ୍ୟ ବୁଲାଉଛନ୍ତି । ସୋସିଆଲ ମିଡିଆରେ ଅନେକ ମିଛ ତଥ୍ୟକୁ ଏକାଠି କରି ସତର ରୂପ ଦିଆଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ରାଜନୈତିକ ସଫଳତା ପ୍ରତି ଇର୍ଷାନ୍ବିତ ହୋଇ ତାଙ୍କ ଛବି ମଳିନ କରିବାକୁ ଏଭଳି ଅପପ୍ରୟାସ ହେଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । କେବଳ ଧର୍ମେନ୍ଦ୍ର ନୁହଁନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିନା କୌଣସି ତଥ୍ୟ ଓ ପ୍ରମାଣରେ ମିଥ୍ୟା ପ୍ରଚାର କରାଯାଉଛି । ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏହା ଭାଇରାଲ ହେଉଛି । ସାମାଜିକ ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କ ସୁନାମ ଓ ସ୍ୱଚ୍ଛ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ବିରୋଧୀ ଲାଗି ପଡ଼ିଛନ୍ତି । କଂଗ୍ରେସ ଏବଂ କିଛି ନିର୍ଦ୍ଦିଷ୍ଟ ଦଳ ବିଭିନ୍ନ ସମୟରେ ଟୁଲକିଟ୍ ବ୍ୟବହାର କରି ସରକାର ବିରୋଧରେ ଅପପ୍ରଚାର କରନ୍ତି । ଏବେ ବିରୋଧୀ ଯେଉଁ ଅପପ୍ରଚାର କରୁଛନ୍ତି, ତାହା ମିଛ ବୋଲି ପ୍ରମାଣିତ ହୋଇଛି । ଘଟଣାର ପ୍ରକୃତ ସତ୍ୟାସତ୍ୟ ଖୁବଶୀଘ୍ର ପଦାକୁ ଆସିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ବିନା ପ୍ରମାଣରେ ସୋସିଆଲ ମିଡିଆରେ ଘଟଣାରେ ଚର୍ଚ୍ଚା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ପ୍ରଥମେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ସହ ଜଣେ ମହିଳାଙ୍କ ଫଟୋକୁ ଭାଇରାଲ କରାଗଲା । ଏହି ଫଟୋ ନିଟ୍ ପେପର ଲିକ୍ ମାମଲାର ଅଭିଯୁକ୍ତ ମନୀଷା ମନ୍ଧାରେ ବୋଲି ପ୍ରଚାର ଚାଲିଲା । କିନ୍ତୁ ଯାଞ୍ଚରୁ ଏହା ମିଛ ପ୍ରମାଣିତ ହେଲା । ଫଟୋରେ ଥିବା ମହିଳା ମହାରାଷ୍ଟ୍ର ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ତଥା ମଡର୍ଣ୍ଣ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିବେଦିତା ଏକବାଟେ ଥିଲେ । ସେ ସୋସିଆଲ ମିଡିଆରେ ଏ ନେଇ ସ୍ପଷ୍ଟୀକରଣ ରଖିଥିଲେ । ଆମେରିକାର ମେଲରୋଜରେ ଥିବା ଏକ ଘର ସହ କେନ୍ଦ୍ରମନ୍ତ୍ରୀଙ୍କୁ ଯୋଡି ଆଉ ଏକ ମିଛ କାହାଣୀ ପ୍ରଚାର ଚାଲିଛି । କ୍ରୋଏସିଆରୁ ପରିଚାଳିତ ଏକ ଏକ୍ସ ଆକାଉଣ୍ଟରୁ ଫେକ୍ ପୋଷ୍ଟ ହୋଇଛି । ସେଠାରେ ରହୁଥିବା ବ୍ୟବସାୟୀ ଦମ୍ପତ୍ତି ରାଜେନ୍ଦ୍ର ମହାପାତ୍ର ଓ କୋମଳ ମହାପାତ୍ରଙ୍କ ସହ ଧର୍ମେନ୍ଦ୍ରଙ୍କର କୌଣସି ଆର୍ଥିକ ବା ବ୍ୟକ୍ତିଗତ ସମ୍ପର୍କ ନାହିଁ । ସେହି ସମାନ ନାଁରେ ତାଳଚେରର ମାଣିକମରା ଅଞ୍ଚଳରେ ଆଉ ଜଣେ ରହୁଛନ୍ତି । ଧର୍ମେନ୍ଦ୍ରଙ୍କ ସହ ତାଙ୍କର ପରିଚୟ ରହିଛି । କିନ୍ତୁ ସେ ଜୀବନରେ କେବେ ଆମେରିକା ଯାଇନାହାନ୍ତି । ମେଲରୋଜରେ ଥିବା ଦମ୍ପତିଙ୍କ ସହ ତାଙ୍କର କୌଣସି ସମ୍ପର୍କ ଥିବାର ପ୍ରମାଣ ନାହିଁ ବୋଲି ତଥ୍ୟ ସାମ୍ନାକୁ ଆସି ସାରିଲାଣି । କେବଳ ନାମ ଓ ପଦବୀ ସମାନ ଥିବାରୁ ଜାଣିଶୁଣି ଧର୍ମେନ୍ଦ୍ରଙ୍କୁ ନିନ୍ଦିତ କରାଇବାକୁ ଏଭଳି ଭ୍ରମ ସୃଷ୍ଟି କରାଯାଇଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି । ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ତଥା ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଡ. ଆର୍. ଜୟରାମନଙ୍କୁ ମଧ୍ୟ ବିବାଦକୁ ଟାଣିବାକୁ ଉଦ୍ୟମ ହୋଇଛି । କିନ୍ତୁ ସେ କେବେ ମେଲରୋଜ୍ ଯାଇନାହାନ୍ତି ବା ମନ୍ତ୍ରୀଙ୍କ ପରିବାରକୁ କେବେ ଭେଟିନାହାନ୍ତି ବୋଲି ନିଜେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି । କୋଏମପ୍ଟ ଏଡୁଟେକ ନିର୍ଦ୍ଦେଶକ ଥିବାରୁ ଅଯଥାରେ ତାଙ୍କ ନାଁକୁ ଟଣାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଅପପ୍ରଚାରକାରୀଙ୍କ ବିରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ନିଟ୍ ଓ ଅନ୍ୟ ପରୀକ୍ଷାକୁ ନେଇ ବିରୋଧୀ କେନ୍ଦ୍ରମନ୍ତ୍ରୀଙ୍କୁ ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି ବୋଲି ଅନେକ ବୁଦ୍ଧିଜୀବି କହିଛନ୍ତି । ପରୀକ୍ଷାରେ ଅନିୟମିତତା ଜଣାପଡ଼ିବା ମାତ୍ରେ ତଥ୍ୟକୁ ନ ଚାପି ତୁରନ୍ତ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ପେପର ସେଟିଂ ଓ ଅନୁବାଦ କରୁଥିବା ବ୍ୟକ୍ତିମାନେ ହିଁ ଏଥିପାଇଁ ଦାୟୀ ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିଛି ।
ଅଧିକ ପଢନ୍ତୁ- TMC VS Mamata: ସରିଯିବ ଦିଦିଙ୍କ ରାଜନୀତି ! ଟିଏମ୍ସିରେ ମମତାଙ୍କ ବିରୋଧରେ ମେଳି, ୫୦ ବିଧାୟକ ଛାଡିପାରନ୍ତି ଦଳ