ନୂଆଦିଲ୍ଲୀ,୨୬/୪ : ମହାରାଷ୍ଟ୍ରର ନାଗପୁରରେ ବାଗେଶ୍ୱର ଧାମର ମୁଖ୍ୟ ପୂଜକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଛତ୍ରପତି ଶିବାଜୀ ମହାରାଜଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ମହାରାଷ୍ଟ୍ରରେ ଝଡ଼ ସୃଷ୍ଟି କରିଛି । ଯାହାପରେ ସେ ସମାଲୋଚନାର ଶିକାର ହୋଇଛନ୍ତି। ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦ ଏହାକୁ ବହୁଜନ ସମାଜର ଅପମାନ ବୋଲି କହିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି। ଏହି ମାମଲା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖି ଧୀରେନ୍ଦ୍ର ଶାସ୍ତ୍ରୀ ଘଟଣା ଉପରେ ନିଜର ମତ ସ୍ପଷ୍ଟ କରି ଏକ ଭିଡ଼ିଓ ଜାରି କରି କହିଥିଲେ, "ଆମେ ଶିଷ୍ୟ-ଗୁରୁ ପରମ୍ପରାର ଏକ ଉଦାହରଣ ଦେଉଥିଲୁ। ଏଥିରେ ମହାରାଜା ଶିବାଜୀଙ୍କ ବିଷୟରେ ଅପମାନଜନକ କିଛି ନାହିଁ । ଏହା ଅନାବଶ୍ୟକ ଅଟେ‘।
ନାଗପୁରରେ ଏକ କାର୍ଯ୍ୟକ୍ରମ ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଦାବି କରିଥିଲେ ଯେ, ଶିବାଜୀ ମହାରାଜ ଯୁଦ୍ଧ କରି କ୍ଳାନ୍ତ ହୋଇଯାଇଥିଲେ ଏବଂ ସମର୍ଥ ରାମଦାସ ସ୍ୱାମୀଙ୍କୁ ତାଙ୍କର ମୁକୁଟ ହସ୍ତାନ୍ତର କରିବାକୁ ଚାହୁଁଥିଲେ। ଏହି ସମୟରେ ମଞ୍ଚରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନେକ ବହୁଜନ ସଂଗଠନ ଏହାର ପ୍ରତିବାଦ କରିଥିଲେ।
ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଏହା ଐତିହାସିକ ଭାବରେ ଭୁଲ ଏବଂ ବହୁଜନ ବୀରମାନଙ୍କ ମର୍ଯ୍ୟଦା ଉପରେ ଆକ୍ରମଣ। ସାଂସଦ ଚନ୍ଦ୍ରଶେଖର ଆଜାଦ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଶିବାଜୀ ମହାରାଜ କ୍ଳାନ୍ତ ହୋଇଯାଇଥିଲେ ଏବଂ ତାଙ୍କର ମୁକୁଟ ତ୍ୟାଗ କରିବାକୁ ଚାହୁଁଥିଲେ ବୋଲି କହିବା ତାଙ୍କ ଅଦମ୍ୟ ସାହସର ଅପମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ପୋଷ୍ୟ ଭାଇ" ଧୀରେନ୍ଦ୍ର ନାଗପୁରର ଏକ ମଞ୍ଚରୁ ଏହା କହିଥିଲେ, ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଉପସ୍ଥିତି ଥିଲେ । ବହୁଜନ ବୀରମାନଙ୍କ ଅବଦାନକୁ ହ୍ରାସ କରିବା, ସେମାନଙ୍କ ସଂଘର୍ଷକୁ ଦୁର୍ବଳ କରିବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ବିକୃତ କରିବା ପାଇଁ ବିଜେପି-ଆରଏସଏସର ନିରନ୍ତର ପ୍ରୟାସର ପରିଣାମ।