ମୁମ୍ଵାଇ, ୦୫/୦୧ : ବକ୍ସ ଅଫିସରେ ଧୁରନ୍ଧରର ଧମାଲ୍। ପଞ୍ଚମ ସପ୍ତାହରେ ଭାଙ୍ଗିଲା ‘ଛାୱା’ର ରେକର୍ଡ। ୮୦୦ କୋଟି ବ୍ୟବସାୟ ପରେ ବି ଧୁରନ୍ଧର ଅଟକିବାର ନାଁ ଧରୁନି। ରଣବୀର ସିଂଙ୍କ ଏହି ସ୍ପାଇ-ଥ୍ରିଲର ଫିଲ୍ମ ଏବେ ସିଧା ପୁଷ୍ପା-୨ର ଅଲ୍ ଟାଇମ୍ ରେକର୍ଡ ଉପରେ ଆଟାକ୍ କରୁଛି। ପୁଷ୍ପା-୨ ପରେ ଧୁରନ୍ଧର ୮୦୦ କୋଟି ବ୍ୟବସାୟ କରିଥିବା ଦ୍ଵିତୀୟ ହିନ୍ଦୀ ଫିଲ୍ମ।
ମାସ ଯାକର ବକ୍ସ ଅଫିସ୍ ରନ୍ ରେ ଶୁକ୍ରବାର ଧୁରନ୍ଧର ୧୦ କୋଟିରୁ କମ୍ ବ୍ୟବସାୟ କରିଥିଲା। ହେଲେ ଶନିବାର ଫିଲ୍ମ ବଡ଼ ଲମ୍ଫ ମାରିଥିଲା। ୩୦ତମ ଦିନରେ ଫିଲ୍ମ ୧୨.୬୦ କୋଟି ବ୍ୟବସାୟ କରିଥିଲା। ଏହାପରେ ରବିବାର ଫିଲ୍ମ ୧୪ କୋଟି ଟଙ୍କା ବ୍ୟବସାୟ କରିଛି। ୩୧ତମ ଦିନରେ ଧୁରନ୍ଧରର କଲେକ୍ସନ ୮୨୦ କୋଟି ଟପିଛି।
୨୦୨୫ରେ ବିକ୍କି କୌଶଳଙ୍କ ଫିଲ୍ମ ଛାୱା ପଞ୍ଚମ ସପ୍ତାହରେ ୨୨ କୋଟି ବ୍ୟବସାୟ କରିଥିଲା। ଏହି ଦମଦାର୍ ପ୍ରଦର୍ଶନ ପରେ ଛାୱା ଗୋଟିଏ ସପ୍ତାହ ସାରା ୩୧ କୋଟିର ବ୍ୟବସାୟ କରିଥିଲା। ପଞ୍ଚମ ସପ୍ତାହରେ ପୁଷ୍ପା-୨କୁ ପଛରେ ପକାଇ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ଭାବରେ ଆଲ୍ ଟାଇମ୍ ରେକର୍ଡ କରିଥିଲା। ଏବେ ଧୁରନ୍ଧର ବଡ଼ ଅନ୍ତରରେ ଛାୱାର ରେକର୍ଡ ଭାଙ୍ଗିଛି। ପଞ୍ଚମ ସପ୍ତାହର ପ୍ରଥମ ତିନି ଦିନରେ ଫିଲ୍ମ ୩୬ କୋଟି ବ୍ୟବସାୟ କରିଛି। ସେହିପରି ସପ୍ତାହ ସାରା ଫିଲ୍ମ ୫୦ କୋଟି ଟଙ୍କାର ବ୍ୟବସାୟ କରିଛି।
ଧୁରନ୍ଧର ଏବେ ପୁଷ୍ପା-୨ର ଅଲ୍ ଟାଇମ୍ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ବକ୍ସ ଅଫିସରେ ଅଷ୍ଟମ ସପ୍ତାହରେ ୮୩୦ କୋଟି ବ୍ୟବସାୟ କରିଥିଲା। ଧୁରନ୍ଧର ଏହି ରେକର୍ଡ ୫ମ ସପ୍ତାହରେ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।