ନୂଆଦିଲ୍ଲୀ,୨୯/୦୮: ଗତ ଦୁଇ ବର୍ଷ ଭଳି ଏଥର ମଧ୍ୟ  ଡାଏମଣ୍ଡ ଲିଗ୍‌ରେ ନୀରଜ ଚୋପ୍ରାଙ୍କୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସ୍ୱିଜରଲାଣ୍ଡର ଜୁରିଖ ସହରରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲ୍‌ରେ ସେ ୮୫.୦୧ ମିଟର ଦୂର ଜାଭେଲିନ୍‌  ଫିଙ୍ଗି ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲେ । ଜର୍ମାନୀର ଜୁଲିଆନ ୱେବର ୯୧.୫୧ ମିଟର ଥ୍ରୋ ବଳରେ ପ୍ରଥମ ସ୍ଥାନ ଅଧିକାର  କରି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ । କେସର୍ଣ୍ଣ ୱାଲକଟ  ୮୪.୯୫ ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ । 

ନୀରଜଙ୍କ ପ୍ରଦର୍ଶନ ସେଭଳି ଆକର୍ଷଣୀୟ ରହି ନଥିଲା ।  ଅନ୍ତିମ ଥ୍ରୋ’ରେ ସେ ଦ୍ୱିତୀୟ ସ୍ଥାନକୁ ଉଠିଥିଲେ । ନୀରଜ ପ୍ରଥମ  ପ୍ରୟାସରେ ୮୪.୩୫ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ ।  ୱେବରଙ୍କ ପ୍ରଥମ ଥ୍ରୋ ରହିଥିଲା ୯୧.୩୭ ମିଟର । ସେହିପରି  ୱାଲକଟ ପ୍ରଥମ ପ୍ରୟାସରେ ୮୪.୯୫ ମିଟର ଥ୍ରୋ କରିଥିଲେ ।ୱେବରଙ୍କ ଦ୍ୱିତୀୟ ଥ୍ରୋ’ ମଧ୍ୟ ୯୧.୫୧ ମିଟର ରହିଥିଲା । 

ଚଳିତ ସିଜନରେ ଏହା ଥିଲା ସବୁଠୁ ବିଶାଳ ଥ୍ରୋ’ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ନିକଟତର ହୋଇ ପାରିନଥିଲେ ।  ନୀରଜଙ୍କ ଦ୍ୱିତୀୟ ଥ୍ରୋ’ ୮୨ମିଟର ରହିଥିଲା । ଏହାପରେ  ନୀରଜଙ୍କ ୩ଟି ଥ୍ରୋ ଫାଉଲ ଘୋଷିତ ହୋଇଥିଲା । ୱେବରଙ୍କ ତୃତୀୟ ଥ୍ରୋ ଫାଉଲ ରହିଥିବାବେଳେ ଚତୁର୍ଥ ଥ୍ରୋ ୮୩.୬୬  ଓ ପଞ୍ଚମ ଥ୍ରୋ ୮୬.୪୫ ରହିଥିଲା । ଅନ୍ୟ ନିକଟତମ  ପ୍ରତିଦ୍ୱନ୍ଦ୍ୱୀ ୱାଲକଟଙ୍କ ଦ୍ୱିତୀୟ ଓ ତୃତୀୟ ଥ୍ରୋ ଯଥାକ୍ରମେ  ୭୯.୯୧ ଓ ୮୧.୭୮ ମିଟର ରହିଥିବାବେଳେ ଚତୁର୍ଥ ଥ୍ରୋ’  ଫାଉଲ ଘୋଷିତ ହୋଇଥିଲା । ୫ରାଉଣ୍ଡ ସୁଦ୍ଧା ନୀରଜ ତୃତୀୟ  ସ୍ଥାନରେ ରହିଥିଲେ। ଅନ୍ତିମ ରାଉଣ୍ଡ୍‌ରେ ସେ ୮୫.୦୧ ମିଟର  ଥ୍ରୋ କରି ଦ୍ୱିତୀୟକୁ ଉଠିଥିଲେ । ୱାଲକଟଙ୍କ ଅନ୍ତିମ ରାଉଣ୍ଡ  ଥ୍ରୋ ୭୮.୩୦ ମିଟର ରହିଥିଲା । ୱେବର ଅନ୍ତିମ ରାଉଣ୍ଡରେ  ୮୮.୬୬ ମିଟର ଥ୍ରୋ କରିଥିଲେ । ନୀରଜ କ୍ରମାନ୍ୱୟରେ  ୨୬ଟି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । 

ଚଳିତ ବର୍ଷ ନୀରଜ ପ୍ରଥମ କରି ୯୦ମିଟର ଅତିକ୍ରମ କରିବାରେ ସଫଳ ହୋଇଥିଲେ । ଦୋହାରେ ଅନଷ୍ଠିତ ଡାଏମଣ୍ଡ ଲିଗ୍‌ର ପ୍ରଥମ ଲେଗରେ ସେ ୯୦.୨୩ ମିଟର ଦୂର ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହାପରେ ସେ ପ୍ୟାରିସ୍‌ ଲେଗ୍‌ରେ ୮୮.୧୬  ମିଟର ଥ୍ରୋ ବଳରେ ପ୍ରଥମ ସ୍ଥାନ ଅଧିକାର କରି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ । ପରବର୍ତ୍ତୀ ୨ଟି ଲେଗ୍‌ ସିଲେସିଆ  ଓ ବ୍ରସେଲ୍ସରେ ସେ ଭାଗ ନେଇ ନଥିଲେ । ସୂଚନାଯୋଗ୍ୟ,  ନୀରଜ ୨୦୨୨ରେ ଡାଏମଣ୍ଡ ଲିଗ୍‌ ଚାମ୍ପିଅନ୍‌ ହୋଇଥିଲେ ।