ରାଜଗାଙ୍ଗପୁର, ୩୧/୦୩ : ସ୍ୱାମୀ ରୋଗରେ ପଡ଼ିଥିଲେ ବୋଲି ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ ସ୍ତ୍ରୀ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଘରକୁ ଫେରି ନଥିଲେ । ଏପଟେ ସ୍ତ୍ରୀକୁ ଝୁରି ଝୁରି ଶେଷରେ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୫୨ ବର୍ଷୀୟ ଦିବ୍ୟାଙ୍ଗ ସ୍ୱାମୀ । ହ୍ୱିଲ ଚେୟାର ଯୋଗେ ନିଜ ଘରୁ ୬ କିଲୋମିଟର ରାସ୍ତା ଅତିକ୍ରମ କରି ୬ଘଣ୍ଟା ପରେ ଥାନାରେ ପହଞ୍ଚି ଗୁହାରି କରିଛନ୍ତି ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ଅଞ୍ଚଳରେ ।
ଦିବ୍ୟାଙ୍ଗ ଜଣକ ହେଉଛନ୍ତି କେଶ୍ରାମାଲ ପଞ୍ଚାୟତ କୁଞ୍ଚୁଟୋଲି ଅଞ୍ଚଳର ଅସାଢ଼ୁ ଏକ୍କା । ଅସାଢୁ ପ୍ରେମ ବିବାହ କରିଥିଲେ । ହସଖୁସିରେ ଜୀବନ ଠିକ ଚାଲିଥିଲା କିନ୍ତୁ ୪ବର୍ଷ ତଳେ ବାତବ୍ୟାଧି ଯୋଗୁ ବିଛଣାରେ ପଡିଥିଲେ ଅସାଢ଼ୁ । ବର୍ଷେ କାଳ ବିଛଣାରେ ପଡି ଚିକିତ୍ସା ପରେ ସାମାନ୍ୟ ଉଠାବସା କରିବାରେ ସକ୍ଷମ ହେଲେ । କିନ୍ତ ସେବେଠାରୁ ହ୍ୱିଲ ଚେୟାର ହିଁ ସାହା ଭରସା ସାଜିଛି । କିନ୍ତୁ ବ୍ୟାଧି ଯୋଗୁ ଅସହାୟ ହୋଇ ପଡିବାରୁ ୨ବର୍ଷ ତଳେ ସ୍ତ୍ରୀ ଘର ଛାଡ଼ି କୁତ୍ରା ପଞ୍ଚରା ସ୍ଥିତ ଏକ ସମ୍ପର୍କୀୟ ଘରକୁ ଚାଲିଯାଇଥିଲେ । ଏହା ଭିତରେ ଅସାଢ଼ୁ ଦୁଇଥର ବୁଝାସୁଝା କରି ସ୍ତ୍ରୀକୁ ଘରକୁ ଫେରାଇ ଆଣିଥିଲେ । ଅନେକ ଦିନ ହେବ ସ୍ତ୍ରୀ ଛାଡି ଚାଲିଯିବା ପରେ ଆଉ ଫେରିବାକୁ ଅମଙ୍ଗ । ଛୁଆ ପିଲା ନ ଥିବାରୁ ଅସାଢୁ ବର୍ତ୍ତମାନ ବଡ଼ ଭାଇଙ୍କ ଉପରେ ନିର୍ଭରଶୀଳ । ବଡ଼ ଭାଇଙ୍କ ମଧ୍ୟ ଦୁଃଖ ଅନେକ । ଆୟ ବୋଲି କିଛି ନାହିଁ । ଏପଟେ ଅସାଢ଼ୁ ଦିବ୍ୟାଙ୍ଗ ଭତ୍ତା ପାଇଁ ଅନେକଥର ପ୍ରୟାସ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନାହିଁ ।
ସ୍ତ୍ରୀ ଫେରି ଆସିଲେ କିଛିଟା ସହଯୋଗ ମିଳିବ ବୋଲି ଚିନ୍ତା କରି ଗତ ରବିବାର ସକାଳ ୯ଟାରେ କିଛି ବିସ୍କୁଟ, ପାଣି ବୋତଲ ଧରି ନିଜ ହ୍ୱିଲ ଚେୟାରରେ ଘରୁ ବାହାରିଥିଲେ ରାଜଗାଙ୍ଗପୁର ଥାନା ଅଭିମୁଖେ ନିଜର ଗୁହାରୀ ଜଣାଇବାକୁ । ହାତରେ ହ୍ୱିଲ ଚେୟାରକୁ ଗଡ଼ାଇ ଗଡ଼ାଇ ପ୍ରାୟ ଅପରାହ୍ଣ ୩ଟାରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ । ଦୁର୍ବଳ ଅନୁଭବ କରିବାରୁ ଉକ୍ତ ଦିନ ରାତ୍ରୀରେ ରାଜଗାଙ୍ଗପୁର ବସଷ୍ଟାଣ୍ଡରେ ରାତ୍ରୀଯାପନ କରିଥିଲେ । ସୋମବାର ଥାନାରେ ପହଞ୍ଚି ନିଜର ଗୁହାରୀ ଜଣାଇଥିଲେ। ଏତେ ବାଟ ଫେରି ଯିବାକୁ ଶକ୍ତି ନଥିବାରୁ ସୋମବାର ବସଷ୍ଟାଣ୍ଡ ପରିସରରେ ଯାତ୍ରୀ ପ୍ରତୀକ୍ଷାଳୟରେ ରାତ୍ରୀ ବିତାଇବା ପରେ ସକାଳୁ ଘରକୁ ଫେରିଯିବେ ବାଲି କହିଛନ୍ତି ଅସାଢ଼ୁ । ପ୍ରଶାସନ ଏହି ଅସହାୟଙ୍କୁ ସହାୟ ହୋଇ ଭତ୍ତାଟିଏ ଯୋଗାଇ ଦେଲେ ସେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ଅସାଢ଼ୁ।
ଏହି ଖବରଟିକୁ ପଢନ୍ତୁ- ବିବାହ ବିଚ୍ଛେଦ ଖୁସିରେ ୯ କିମି ଦଣ୍ଡବତ ଯାତ୍ରା, ଭାଇରାଲ୍ ହେଉଛି ଭିଡିଓ