ମୁମ୍ବାଇ,୯/୫ : ୧୯୮୮ମସିହାରେ ବି.ଆର. ଚୋପ୍ରାଙ୍କ ଦ୍ୱାରା ନିର୍ମିତ ମହାଭାରତ ସମସ୍ତେ ଦେଖିଛନ୍ତି । ଆଜି ବି ଏହି ଟିଭି ସିରିଏଲକୁ ନେଇ ଚର୍ଚ୍ଚା ହୋଇଥାଏ । ମହାଭାରତରେ ଆପଣ ଦ୍ରୌପଦୀ ବସ୍ତ୍ରହରଣର ଦୃଶ୍ୟ ବି ନିଶ୍ଚିତ ଦେଖିଥିବେ । ଏହି ଦୃଶ୍ୟ ଇତିହାସରେ ସବୁଠାରୁ ସ୍ମରଣୀୟ ଓ ଚର୍ଚ୍ଚିତ ବୋଲି ଧରାଯାଏ । ବି.ଆର ଚୋପ୍ରାଙ୍କ ଏହି ସିରିଜ ନିଜ ସମୟରେ ଇତିହାସ ରଚିଥିଲା । ଦ୍ରୌପଦୀଙ୍କ ଭୂମିକାରେ ଲୋକପ୍ରିୟ ଅଭିନେତ୍ରୀ ରୂପା ଗାଙ୍ଗୁଲି ନଜର ଆସିଥିଲେ, ଯିଏ ଏବେ ପଶ୍ଚିମବଙ୍ଗରେ ବିଜେପିର ବଡ଼ ନେତା ଅଟନ୍ତି ।

ଦ୍ରୌପଦୀଙ୍କ ବସ୍ତ୍ରହରଣ ଦୃଶ୍ୟକୁ ଚିତ୍ରିତ କରିବା ପାଇଁ, ନିର୍ମାତା ୨୫୦ମିଟରର ଲମ୍ବା ଏକ ହଳଦିଆ ରେଶମ ଶାଢ଼ି ତିଆରି କରିଥିଲେ। ଯଦିଓ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି କେବଳ ୬ ମିଟର ଶାଢ଼ି ପିନ୍ଧିଥିଲେ, କିନ୍ତୁ ଏହି ଲମ୍ବା ଶାଢ଼ି ଭଗବାନ ଶ୍ରୀକୃଷ୍ଣ ବଢାଇ ଦେଉଥିବା ଶାଢ଼ିର ସିନକୁ ଦେଖାଇବା ଲାଗି ବ୍ୟବହାର କରାଯାଇଥିଲା।

ଧାରାବାହିକର ନିର୍ଦ୍ଦେଶକ ରବି ଚୋପ୍ରା ପ୍ରକାଶ କରିଥିଲେ ଯେ, ଏହି ଶାଢ଼ିଟି ସେତେବେଳର ଏକ ପ୍ରସିଦ୍ଧ କପଡ଼ା କମ୍ପାନୀ ବିନି ଆଣ୍ଡ କୋ ଦ୍ୱାରା ପ୍ରସ୍ତୁତ ହୋଇଥିଲା। କୁହାଯାଏ ଯେ ୧୯୮୮ମସିହାରେ ଏକ ଭଲ କ୍ରିପ୍ ସିଲ୍କ ଶାଢ଼ିର ମୂଲ୍ୟ ୪୫୦ରୁ ୭୫୦ଟଙ୍କା ମଧ୍ୟରେ ଥିଲା । ଏହି ସମୟରେ ୨୫୦ମିଟରର ଲମ୍ବା ଶାଢ଼ିକୁ ପ୍ରସ୍ତୁତ କରିବାକୁ ପ୍ରାୟ ୩୪,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ସେତେବେଳେ ବ୍ୟୟ ବହୁଳ ଥିଲା ।