ପୁରୀ, ୧୯/୧୧ : କୌଣସି କାରଣରୁ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ନ କରିପାରିଲେ ପତିତପାବନଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ପ୍ରାପ୍ତି ହୁଏ । ହେଲେ ଏବେ ଆଖି ପୂରାଇ ପତିତପାବନଙ୍କ ଦର୍ଶନ କରିବା ବି କଷ୍ଟ ହେଲାଣି । ପ୍ରାଶାସନିକ ମନମାନି ଭକ୍ତଙ୍କୁ ଏପରି କଷ୍ଟ ଦେଉଛି । ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରହିଛି ମହାପ୍ରଭୁ ପତିତପାବନଙ୍କ ପ୍ରତିମୂର୍ତ୍ତି । ପ୍ରଶାସନର ବ୍ୟାରିକେଡ୍ ଯନ୍ତ୍ରଣା ଯୋଗୁଁ ୭୫ ମିଟର ଦୂରରୁ ଏହି ଠାକୁରଙ୍କ ଦର୍ଶନ ମିଳୁଛି । ଦୃଷ୍ଟିଶକ୍ତି କମ୍ ଥିବା ବୃଦ୍ଧବୃଦ୍ଧାମାନେ ଏତେ ଦୂରରୁ ଠାକୁର ଦର୍ଶନ କରିନପାରି ହିନସ୍ତା ହେଉଛନ୍ତି । ପୁଣି ସେଇ ବାଟ ଦେଇ ଯାନବାହନ ଚଳାଚଳ ହେଉଥିବାରୁ ଏକ ଲୟରେ ଠାକୁର ଦର୍ଶନ କରୁଥିବା ଅନେକ ଭକ୍ତଙ୍କ ଗୋଡ଼ ଉପରେ ଗାଡ଼ିମୋଟର ଚଢ଼ି ଯାଉଛି । ହେଲେ ସେପଟେ ସିଂହଦ୍ୱାର ସମ୍ମୁଖରେ ଅଯଥାରେ ବିରାଟ ସ୍ଥାନକୁ ବ୍ୟାରିକେଡ୍ ବୁଲାଇ ଖାଲି ରଖାଯାଇଛି । ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ଏହି ବ୍ୟାରିକେଡ୍‌କୁ ସମ୍ପୂର୍ଣ୍ଣ ଘୁଞ୍ଚାଇ ପତିତପାବନ ଦର୍ଶନ ସୁଲଭ କରିବାକୁ ଦାବି ହେଉଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉନି ।

ପତିତପାବନଙ୍କୁ ଦର୍ଶନ କରିବାକୁ ହେଲେ ସିଂହଦ୍ୱାର ସାମ୍ନାରେ ଏକ ନିର୍ଦ୍ଧାରିତ ସରଳ ରେଖାରେ ଠିଆ ହେବାକୁ ପଡ଼ିଥାଏ । ଏଣେତେଣେ ବିଛୁରିତ ଠିଆ ହେଲେ ଏହି ଠାକୁରଙ୍କ ଦର୍ଶନ ମିଳେନି । ତେଣୁ ଛୁଟିଦିନ, ପର୍ବପର୍ବାଣି ଦିନମାନଙ୍କରେ ପତିତପାବନଙ୍କ ଦର୍ଶନ ନିମନ୍ତେ ସିଂହଦ୍ୱାର ସମ୍ମୁଖ ୭୫ ମିଟର ପରେ କରାଯାଇଥିବା ଲୁହା ବାଡ଼ ବାହାର ରାସ୍ତାରେ ଠିଆ ହୋଇ ଜଗା ଦର୍ଶନ କରିବା ଖୁବ୍ କଷ୍ଟକର ହେଉଛି । ଭାରିଯାନ, ହାଲୁକା ଯାନ, ମୋଟର ସାଇକେଲ ପ୍ରଭୃତି ଗାଡ଼ିମୋଟର ଯାତାୟାତ କରୁଥିବା ରାସ୍ତାରେ ଭକ୍ତଙ୍କୁ ଠାକୁର ଦର୍ଶନ କରିବାରେ ହିନସ୍ତା ହେବାକୁ ପଡ଼ୁଛି । ଦୋଳମଣ୍ଡପ ସାହି, ବାଲିସାହି, ମାଟିମଣ୍ଡପ ସାହି ପ୍ରଭୃତିକୁ ଯାତାୟାତ ନିମନ୍ତେ ସ୍ଥାନୀୟ ଲୋକ ନାହିଁ ନଥିବା କଲବଲ ହେଉଛନ୍ତି ।

ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି । ବିଦେଶୀଙ୍କୁ ଶ୍ରୀମନ୍ଦିର ଭିତରକୁ ମନା ଥିବାରୁ ସେମାନେ ପରମ୍ପରା ମୁତାବକ ଶ୍ରୀମନ୍ଦିର ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଯାଆନ୍ତି । ଦେଶ ବିଦେଶରେ ଲକ୍ଷାଧିକ ଶ୍ରୀଜଗନ୍ନାଥଙ୍କ ଭକ୍ତ ରହିଥିବାରୁ ପ୍ରତିଦିନ ଶତାଧିକ ଭକ୍ତ ପତିତପାବନଙ୍କ ଦର୍ଶନ କରି ନିଜର ମନୋବାଞ୍ଛା ଜଣାନ୍ତି । ଅନେକ ସେମାନଙ୍କ ନିକଟ ସମ୍ପର୍କିୟଙ୍କୁ ଭିଡିଓ କଲ୍ ଦ୍ୱାରା ପତିତପାବନଙ୍କ ଦର୍ଶନର ସୁଲଭତା ଦେବାକୁ ଚେଷ୍ଟା କରନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଏହି ବିଦେଶୀ ଭକ୍ତମାନଙ୍କୁ ଅରୁଣ ସ୍ତମ୍ଭ ନିକଟରୁ ପତିତପାବନଙ୍କ ଦର୍ଶନ ମିଳୁନି । ୭୫ ମିଟର ଦୂରରେ ହୋଇଥିବା ବ୍ୟାରିକେଡ ପରେ ସେମାନଙ୍କୁ କଷ୍ଟକର ଠାକୁର ଦର୍ଶନ ମିଳୁଛି । ସେହିପରି ବୃଦ୍ଧବୃଦ୍ଧା, ଗର୍ଭବତା, ଶିଶୁମାନେ ଶ୍ରୀମନ୍ଦିର ଭିତର ଭିଡ଼ ଓ ଠେଲାପେଲାକୁ ଡରି ପତିତପାବନଙ୍କୁ ଦର୍ଶନରେ ନିତ୍ୟ ସେମାନଙ୍କ ଦର୍ଶନ ଆଶା ପୂରାନ୍ତି । ହେଲେ ଖୁବ୍ ଦୂରରୁ ଓ ଗାଡ଼ି ଯାତାୟାତ ରାସ୍ତାରେ ସେମାନଙ୍କ ପତିତପାବନ ଦର୍ଶନ କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଏହି ରାସ୍ତା ଦେଇ ଶବ ସ୍ୱର୍ଗଦ୍ୱାର ଯାଇଥାଏ । ଅଶୌଚ ବ୍ୟକ୍ତିମାନେ ଶବର ମୁକ୍ତି ଓ ନିଜର ମନୋବାଞ୍ଛା ପତିତପାବନଙ୍କୁ ଦର୍ଶନ କରି ଜଣାନ୍ତି । ହେଲେ ଖୁବ୍ ଦୂରରୁ ଭକ୍ତଙ୍କ ଭିଡ଼ ଭିତରେ ଶବ ନେବା ଓ ଶବକୁ କିଛି କ୍ଷଣ ରଖି ମନୋବାଞ୍ଛା ଜଣାଇବା ସମ୍ଭବ ହେଉନି । ଏହି ବାଟ ଦେଇ ଶବ ନେଇ ଗାଡ଼ି ଯିବାକୁ ମଧ୍ୟ ପ୍ରଶାସନ ବନ୍ଦ କରି ଦେଇଛି । ଫଳରେ ଅନେକ ଜୀବର ମୁକ୍ତି ବାଟ ବନ୍ଦ ହୋଇଯାଇଛି । ୭ ବର୍ଷ ପୂର୍ବେ ସିଂହଦ୍ୱାର ଆଗରେ କିମ୍ବା ଅରୁଣ ସ୍ତମ୍ଭ ନିକଟରେ କୌଣସି ବ୍ୟାରିକେଡ୍ ନଥିଲା । ବିଦେଶୀମାନେ ଅରୁଣ ସ୍ତମ୍ଭ ଛୁଇଁ ପତିତପାବନଙ୍କୁ ଦର୍ଶନ କରିବାର ସୁଯୋଗ ପାଉଥିଲେ । ବୃଦ୍ଧବୃଦ୍ଧା, ଗର୍ଭବତୀ, ଶିଶୁମାନେ ମଧ୍ୟ ଅରୁଣ ସ୍ତମ୍ଭ ପାଖରେ ପତିତପାବନ ଦର୍ଶନ କରିପାରୁଥିଲେ । ହେଲେ ୨୦୧୮ ମସିହାରେ ପ୍ରଶାସନ ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିଲା । ଏଥିସହ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କ ଦର୍ଶନ କଷ୍ଟ ବଢ଼ି ଚାଲିଛି । ଏହି ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥାକୁ ତତ୍କାଳୀନ ସମୟରେ ସ୍ଥାନୀୟ ଅନେକ ଲୋକ ବିରୋଧ କରିଥିଲେ । ମାତ୍ର ପ୍ରଶାସନ ଜିଦରେ ଅଟଳ ରହି ଲୁହା ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥା କଷ୍ଟ ବଢ଼ାଇ ଚାଲିଛି । କରୋନା ସମୟରେ ସିଂହଦ୍ୱାର ଠାରୁ ବ୍ୟାରିକେଡକୁ ଧୀରେ ଧୀରେ ଘୁଞ୍ଚାଇବା ଆରମ୍ଭ କରି ଏବେ ୭୫ ମିଟର ପରେ ଶ୍ରଦ୍ଧାଳୁଙ୍କୁ ପତିତପାବନ ଦର୍ଶନ ମିଳୁଛି । ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୭୫ ମିଟର ମଧ୍ୟରେ ଥିବା ଅନେକ ମଠକୁ ଉଚ୍ଛେଦ କରାଯାଇଛି । ହେଲେ ସିଂହଦ୍ୱାର ନିକଟରେ ଅଯଥା ଖାଲି ସ୍ଥାନ ପଡ଼ିଥିବା ବେଳେ ଯାତାୟାତ ରାସ୍ତାରେ ପ୍ରଶାସନ ଦ୍ୱାରା କୃତ୍ରିମ ଗହଳି ସୃଷ୍ଟି କରାଯାଉଛି । ତୁରନ୍ତ ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ବ୍ୟାରିକେଡ୍ ଘୁଞ୍ଚା ଯାଇ ଖାଲିଥିବା ସ୍ଥାନରେ ଭକ୍ତଙ୍କ ସୁଲଭ ପତିତପାବନ ଦର୍ଶନ ବ୍ୟବସ୍ଥା ଓ ସୁବିଧା ଦେବାକୁ ବରିଷ୍ଠ ସେବାୟତ ସୁନିଲ ପୂଜାପଣ୍ଡା, ବିଶ୍ୱଜିତ୍ ମହାପାତ୍ର ପ୍ରମୁଖ ମତ ଦେଇଛନ୍ତି ।