ଉଦଳା/ବାରଙ୍ଗ,୧୬/୦୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ବାରଙ୍ଗ ଥାନା ପୁଲିସ ମୟୁରଭଞ୍ଜ ଯାଇ ତଦନ୍ତ ଜାରି ରଖିଛି । ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଟିଲାବଣି ଗ୍ରାମରେ ଥିବା ଚନ୍ଦ୍ରିକାଙ୍କ ପୈତୃକ ଘରକୁ ଯାଇ ପୁଲିସ ଟିମ୍ ପଚରାଉଚରା କରିଛି । ଖାସ୍ କରି ଭୀମ୍ସେନ୍ ଟୁଡୁଙ୍କ ଜୀବନକୁ ନୂଆ ବାନ୍ଧବୀ ଆସିବା ପରେ କ’ଣ ସବୁ ହୋଇଥିଲା ତାହା ପୁଲିସ ଟିମ୍ ପଚାରି ବୁଝିଛି । ଦୁଇ ଦିନରେ ଦୁଇ ଥର ପୁଲିସ ଟିମ୍ ଚନ୍ଦ୍ରିକାଙ୍କ ଘରକୁ ଯାଇଥିବା ଜଣାପଡ଼ିଛି ।
ବାରଙ୍ଗ ପୁଲିସର ୪ ଜଣିଆ ଟିମ୍ ରବିବାର ସନ୍ଧ୍ୟାରେ ଚନ୍ଦ୍ରିକାଙ୍କ ଘରେ ପହଞ୍ଚିଥିଲା । ରାତି ୧୧ଟା ପର୍ଯ୍ୟନ୍ତ ଚନ୍ଦ୍ରିକାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା । ପରେ ସେଠାରୁ ଟିମ୍ ଚାଲିଆସିଥିଲା । ସୋମବାର ସକାଳୁ ପୁଣି ପୁଲିସ ଟିମ୍ ଚନ୍ଦ୍ରିକାଙ୍କ ଘରକୁ ଯାଇ ବାପା, ମା, ମାମୁ, ମାଇଁ ଏବଂ ମାମୁ ଝିଅ ରଶ୍ମିତାଙ୍କୁ ପଚରାଉଚରା କରିଥିଲା । ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାକୁ ପରିବାର ଲୋକଙ୍କର ଯାହା ସନ୍ଦେହ, ଆଶଙ୍କା ଓ ପ୍ରମାଣ ରହିଛି ସେ’ନେଇ ପୁଲିସ ପଚରାଉଚରା କରିଛି । ବିଶେଷ କରି ଚନ୍ଦ୍ରିକା ଓ ଭୀମସେନଙ୍କ ସମ୍ପର୍କ, ହଠାତ୍ ସମ୍ପର୍କରେ ଆସିଥିବା ତିକ୍ତତା, ଭୀମସେନଙ୍କ ନୂଆ ବାନ୍ଧବୀଙ୍କ ଏହି କାଣ୍ଡରେ ସମ୍ପୃକ୍ତି ଓ ଚନ୍ଦ୍ରିକାଙ୍କ ଯେଉଁ ଡାଏରୀ ହଜିବା କଥା କୁହାଯାଉଛି ସେଭଳି ବିଷୟରେ ପୁଲିସ ଟିକିନିକି ପଚରାଉଚରା କରିବା ସହିତ ବ୍ୟକ୍ତିଗତ ଭାବେ ସମସ୍ତଙ୍କର ବୟାନ ମଧ୍ୟ ରେକର୍ଡ କରିଛି । ସାଢେ ୪ ଘଣ୍ଟାରୁ ଅଧିକ ସମୟ ଧରି ପୁଲିସ ସେଠାରେ ରହି ପଚରାଉଚରା କରି ଉଦଳାରୁ ଫେରିଥିବା କୁହାଯାଉଛି । ତେବେ ଯେଉଁସବୁ ତଥ୍ୟ ଏବେ ପୁଲିସକୁ ମିଳିଛି ତାହାର ଖିଅକୁ ପୁଲିସ ଏକାଠି କରୁଛି । ଯଦି ଆବଶ୍ୟକ ହୁଏ ତାହାଲେ ପଚରାଉଚରା ପାଇଁ ଭୀମସେନ୍ଙ୍କ ନୂଆ ବାନ୍ଧବୀଙ୍କୁ ବାରଙ୍ଗ ଥାନା ପୁଲିସ ଡାକିପାରେ ବୋଲି ସୂଚନା ମିଳିଛି । ଯେହେତୁ ଏତଲାରେ ଚନ୍ଦ୍ରିକାଙ୍କ ମାଆ ଝିଅର ମୃତ୍ୟୁ ପାଇଁ ଭୀମସେନ୍ ଓ ତାଙ୍କର ନୂଆ ବାନ୍ଧବୀଙ୍କୁ ଦାୟୀ କରିଥିଲେ ତେଣୁ ପୁଲିସ ଏବେ ମଧ୍ୟ ଭୀମ୍ସେନ ବାନ୍ଧବୀଙ୍କୁ କ୍ଲିନ୍ଚିଟ୍ ଦେଇନି । ତାଙ୍କୁ ସହ ଅଭିଯୁକ୍ତ ଭାବେ ପୁଲିସ ମାନି ଚାଲୁଛି । ତେବେ ଆଉ କିଛି ଦିନର ତଦନ୍ତ ପରେ ଏସବୁର ସ୍ପଷ୍ଟତା ଆସିବ ବୋଲି ବାରଙ୍ଗ ପୁଲିସ କହିଛି ।
ଅଧିକ ପଢ଼ନ୍ତୁ :- Chandrika Case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ଉଦଳାରେ ଖୋଳତାଡ଼ କରିବ ବାରଙ୍ଗ ପୁଲିସର ଟିମ୍
ଅନ୍ୟପଟେ ଚନ୍ଦ୍ରିକା ଗତ ୩ ତାରିଖରେ ଭୁବନେଶ୍ୱର ଆସିବା ବେଳେ ଯେଉଁସବୁ ସ୍ଥାନକୁ ଯାଇଥିଲେ ତାର ଫୁଟେଜ୍ ସଂଗ୍ରହ ଜାରି ରହିଛି । ଚନ୍ଦ୍ରିକା ପୂର୍ବରୁ କଟକର ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରେ ପଢ଼ୁଥିବାରୁ ସେ’ କଟକ ବିଷୟରେ ଭଲଭାବେ ଅବଗତ ଥିଲେ । ତେଣୁ ଭୁବନେଶ୍ୱରର ଏକାଧିକ ସ୍ଥାନକୁ ଯିବା ପରେ ଏକ ଅଟୋ ଯୋଗେ ତ୍ରିଶୂଳିଆ ଛକକୁ ଆସିଥିଲେ । ସେଠାରେ ଅଟୋରୁ ଓହ୍ଲାଇ ଚାଲିଚାଲି ନେତାଜୀ ସେତୁ ଉପରକୁ ଯାଇଥିଲେ । ଏହି ସମୟରେ ସିସିଟିଭି ଫୁଟେଜ୍ ବାରଙ୍ଗ ଥାନା ପୁଲିସ ହାତରେ ଲାଗିଛି । ବାରଙ୍ଗ ଥାନା ପୁଲିସ ଏବେ ଅନ୍ୟ ଏକ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଥିବା ସୂଚନା ମିଳିଛି । ଚନ୍ଦ୍ରିକାଙ୍କ ଉପରେ ଭୀମସେନ୍ ଗୋରା ହେବାକୁ ଚାପ ପକାଉଥିଲେ ବୋଲି ଅଭିଯୋଗ ହେଉଥିଲା । ଏଥିରେ କେତେ ସତ୍ୟତା ରହିଛି ପୁଲିସ ତାହାର ତଥ୍ୟ ସଂଗ୍ରହ କରି ତର୍ଜମା କରୁଛି । ଯଦି ଏନେଇ ତଥ୍ୟ ପ୍ରମାଣ ମିଳେ ତାହେଲେ ‘ବର୍ଣ୍ଣ ଭେଦଭାବ’ ସମ୍ପର୍କିତ କିଛି ଧାରା ଯୋଡ଼ାଯାଇପାରେ ବୋଲି ସୂଚନା ମିଳିଛି ।