ପ୍ରଯୁକ୍ତିବିଦ୍ୟା ଆମକୁ ସୁବିଧା ଦେଇଛି ସତ, ହେଲେ ଏହା ଆମର ଇନ୍ଦ୍ରିୟକୁ ମଧ୍ୟ ସ୍ଥାଣୁ କରିଦେଇଛି । ଏକ ଗବେଷଣା ଅନୁଯାୟୀ, ୭୦% ଲୋକ ବିଶ୍ୱାସ କରନ୍ତି ସୋସିଆଲ ମିଡିଆ ସେମାନଙ୍କର ବାସ୍ତବ ଜୀବନଧାରାକୁ ପ୍ରଭାବିତ କରିଛି । ଆମର କଥାବାର୍ତ୍ତା ଏବେ ପ୍ରଯୁକ୍ତିର ମଧ୍ୟସ୍ଥତା ଉପରେ ନିର୍ଭରଶୀଳ ଏବଂ ଏହା ଆମକୁ ପରସ୍ପରଠାରୁ ଭାବଗତ ଭାବେ ଦୂର କରିଦେଇଛି । ଯେତେବେଳେ ଆମେ କୌଣସି ଦୁଃଖଦ ଘଟଣା ଜାଣୁ, ଆମେ ଏକ ଇମୋଜି ବା ଛୋଟ ମନ୍ତବ୍ୟ ସହିତ ପ୍ରତିକ୍ରିୟା ପ୍ରକାଶ କରୁ । ସଶରୀରେ ସେମାନଙ୍କ ପାଖକୁ ଯାଇ ପ୍ରବୋଧନା ଦେବା, ସହାନୁଭୁତି ପ୍ରଦର୍ଶନ କରିବା ବା ସହାୟତାର ହାତ ବଢ଼ାଇବାକୁ ଉଚିତ ମଣିନଥାଉ ।
ବିଶ୍ୱ କ୍ରମଶଃ ସମ୍ପୂର୍ଣ୍ଣ ଡିଜିଟାଲ ହେଉଛି, ଏହା ଆଶ୍ଚର୍ଯ୍ୟଜନକ ନୁହେଁ । କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ, ଡିଜିଟାଲ ଦୁନିଆ ଭିତରେ ମଣିଷ ସୁଲଭତା ଲୁଚିଲୁଚି ଯାଉଛି । କୃତ୍ରିମ ବୁଦ୍ଧିମତ୍ତା ଚାଟବଟ୍ଠାରୁ ଡେଟିଂ ଆପ୍ସ ପର୍ଯ୍ୟନ୍ତ ସବୁକିଛି ହେଉଛି ଆଜିର ବାସ୍ତବ ଜୀବନର ପ୍ରତିଚ୍ଛବି । ଆମେ ଅନଲାଇନରେ ସପିଂ କରୁଛୁ । ଆମର ବ୍ୟବସାୟକୁ ଅନଲାଇନରେ ଗଢୁଛୁ, ଅବସର ସମୟ ଅନଲାଇନରେ ବିତାଉଛୁ ଏବଂ ନୂତନ ଓ ପୁରାତନ ବନ୍ଧୁମାନଙ୍କ ସହ ଅନଲାଇନରେ ସମ୍ପର୍କକୁ ବଢାଉଛୁ । ବର୍ତ୍ତମାନ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬୮% ମଣିଷ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ ଓ ସମସ୍ତେ ଅନଲାଇନରେ ଜୀବନ ବିତାଉଛନ୍ତି । ଆମେ ଏପରି ଏକ ବିଶ୍ୱର ନିକଟତର ହେଉଛୁ ଯେଉଁଠାରେ ସାମାଜିକ ପାରସ୍ପରିକ କ୍ରିୟା ମୁଖ୍ୟତଃ ଡିଜିଟାଲ । ତେବେ ମନରେ ପ୍ରଶ୍ନ ଉଠେ, ଏହାର ପ୍ରୟୋଗ ସକାରାତ୍ମକ ନା ନକାରାତ୍ମକ ପରିବର୍ତ୍ତନ ସୃଷ୍ଟି କରୁଛି? ନୂତନ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ପରିଣାମ ସ୍ୱରୂପ ମଣିଷର ପାରସ୍ପରିକ କ୍ରିୟା ମଜଭୁତ ହେଉଛି ନା କ୍ଷତିଗ୍ରସ୍ତ ହେଉଛି?
ପ୍ରଯୁକ୍ତିର ଏହି ବିଶାଳ ସମୁଦ୍ରରେ, ମାନବ ଯୋଗାଯୋଗର ସେହି ଛୋଟ ଦ୍ୱୀପଟି କେଉଁଠି ନା କେଉଁଠି ବୁଡ଼ିଗଲା ଭଳି ଲାଗୁଛି । ଇଣ୍ଟରନେଟ ଖୋଲିଲା ମାତ୍ରେ ସୂଚନାର ବନ୍ୟା, ବିଜ୍ଞାପନର ଘଣ୍ଟି, ବାର୍ତ୍ତାର ପ୍ରାବଲ୍ୟ, ଅଗଣିତ ଭିଡିଓ, ରିଲ୍ ଏବଂ ଅପଡେଟ୍ର ସମ୍ଭାର । ଏହି ଡିଜିଟାଲ କୋଳାହଳରେ ଭାବଗତ ସମ୍ପର୍କ ସତେଯେମିତି ଏକ ବିରଳ ଉପଲବ୍ଧି ହୋଇଗଲାଣି । ପୂର୍ବରୁ ଲୋକମାନେ ଗାଁ କୋଠଘରେ, ଘର ଅଗଣାରେ ବା ଚା’ ଦୋକାନରେ ଘଣ୍ଟା ଘଣ୍ଟା କଥା ହେଉଥିଲେ, ଥଟ୍ଟା-ମଜ୍ଜା, ଗପ- ସପ ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ କରୁଥିଲେ ତାହା ପ୍ରାୟତଃ ଆଉ ଦେଖାଯାଉନାହିଁ । ଏପରିକି ନିଜ ଘରେ ମଧ୍ୟ ଏକାଠି ବସି ଗପସପ କରିବା ଓ ଏକାଠି ଖାଇବାର ଦୃଶ୍ୟ ବି ଆଉ ଦେଖିବାକୁ ମିଳୁନାହିଁ । ଆଜି ସମସ୍ତେ ନିଜ ନିଜ ଘରେ ଏକୁଟିଆ ବସି ସେମାନଙ୍କର ଡିଜିଟାଲ ସ୍କ୍ରିନରେ ହଜିଯାଉଛନ୍ତି । ଏହି ପରିବର୍ତ୍ତନ ବୈଷୟିକ ସୁବିଧାର ଫଳାଫଳ ନୁହେଁ, ବରଂ ଯୋଗାଯୋଗହୀନତାର ଏକ ଗଭୀର ସଙ୍କଟର ସୂଚକ, ଯାହା ଆମର ସାମାଜିକ ଏବଂ ଭାବପ୍ରବଣତାର ଜୀବନକୁ ଖିନଭିନ କରୁଛି । ଜଣଙ୍କ ସହ କଥାବାର୍ତ୍ତା କରିବା କେବଳ ଶବ୍ଦ ଆଦାନ ପ୍ରଦାନର ବିଷୟ ନୁହେଁ ।
ଏଥିରେ ଆଖି ସହ ଆଖିର ମିଳନ, କଣ୍ଠସ୍ୱରର ଉଷ୍ମତା ଏବଂ ଭାବନାର ଆଦାନ ପ୍ରଦାନ ଅନ୍ତର୍ଭୁକ୍ତ । କିନ୍ତୁ ଆଜିର ପିଢ଼ି ଏତେ ବ୍ୟସ୍ତ ହୋଇଗଲାଣି ଯେ କାହା ପାଖରେ ଶୁଣିବାକୁ ସମୟ ନାହିଁ । ଏକ ଅଧ୍ୟୟନ ଅନୁଯାୟୀ, ଜଣେ ବ୍ୟକ୍ତି ହାରାହାରି ଦିନକୁ ୭/୮ଘଣ୍ଟା ଡିଜିଟାଲ ସ୍କ୍ରିନରେ ବିତାଇଥାନ୍ତି, ଯାହାର ଅଧିକାଂଶ ସୋସିଆଲ ମିଡିଆ, ଷ୍ଟ୍ରିମିଂ ବା ମେସେଜିଂରେ ବିତାଇଥାଏ । ସେହି ସମୟରେ ସାମ୍ନାସାମ୍ନି କଥାବାର୍ତ୍ତାର ସମୟ ପ୍ରତିଦିନ ମାତ୍ର ୨୦-୩୦ ମିନିଟ୍ ହ୍ରାସପାଇଛି । କଥାବାର୍ତ୍ତା ଏବେ ପ୍ରତିକ୍ରିୟାରେ ସୀମିତ । ‘ଠିକ୍ ଅଛି, ହଉ ଦେଖିବା, ଓକେ’ ବା ଇମୋଜି ପଠାଇବା ଯଥେଷ୍ଟ ବୋଲି ବିବେଚନା କରାଯାଏ । କିନ୍ତୁ ଏହା କ'ଣ ପ୍ରକୃତରେ ଭାବର ଆଦାନ ପ୍ରଦାନର ବା କଥାବାର୍ତ୍ତାର ଶୈଳୀ? ପ୍ରକୃତ କଥାବାର୍ତ୍ତା ସେତେବେଳେ ହୁଏ, ଯେତେବେଳେ ଆମେ ଅନ୍ୟଜଣଙ୍କୁ ଧୈର୍ଯ୍ୟର ସହିତ ଶୁଣୁ, ତାଙ୍କ ଭାବନାକୁ ବୁଝୁ ଏବଂ ଅନ୍ତରଙ୍ଗତାର ସହିତ ନିଜର ଚିନ୍ତାଧାରା ପରିପ୍ରକାଶ କରୁ ।
ଆଜିର ପିଢ଼ି ନିଜ ମନର କଥା କହିବାରେ ପାରଙ୍ଗମ, କିନ୍ତୁ ଶୁଣିବାର କଳାକୁ ଭୁଲିଯାଉଛନ୍ତି । ସୋସିଆଲ ମିଡିଆ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣେ ବକ୍ତା କରିଛି । କଥା, କାହାଣୀ ବା ରିଲ୍ ମାଧ୍ୟମରେ ବିଶ୍ୱକୁ ସମସ୍ତେ ନିଜର ବାର୍ତ୍ତା ଦେବାକୁ ଚାହାଁନ୍ତି । ଏକ ସର୍ଭେ ଅନୁଯାୟୀ, ପ୍ରତିଦିନ ୮୦% ରୁ ଅଧିକ ଯୁବପିଢ଼ି ସୋସିଆଲ ମିଡିଆରେ ନିଜର ମତାମତ ବା ଅଭିଜ୍ଞତା ବାଣ୍ଟନ୍ତି, କିନ୍ତୁ କେବଳ ୩୦% ଲୋକ ଅନ୍ୟମାନଙ୍କର ପୋଷ୍ଟକୁ ଗଭୀର ଭାବରେ ପଢ଼ନ୍ତି କିମ୍ବା ବୁଝନ୍ତି । ଏହା ଏକପାଖିଆ ଯୋଗାଯୋଗର ଯୁଗ, ଯେଉଁଠାରେ ସମସ୍ତେ କହିବାକୁ ଚାହାଁନ୍ତି, କିନ୍ତୁ କେହି ଶୁଣିବାକୁ ପ୍ରସ୍ତୁତ ନାହାଁନ୍ତି । ପରିବାରରେ ଜେଜେବାପା, ଜେଜେମା’, ଅଜା, ଆଈ ଭଳି ବୟସ୍କମାନଙ୍କ କାହାଣୀ, ଉପଦେଶ ଯାହା ଦିନେ ଜୀବନଶିକ୍ଷାର ଉତ୍ସ ଥିଲା ଏବେ ତାହା ଅତୀତର ସ୍ମୃତି ହୋଇଗଲାଣି । ପିଲାମାନଙ୍କର କଳ୍ପନା ଏବଂ ସ୍ୱପ୍ନ ଯାହା କଥାବାର୍ତ୍ତାରେ ପ୍ରତିଫଳିତ ହେଉଥିଲା, ତାହା ଏବେ ଡିଜିଟାଲ ସ୍କ୍ରିନରେ ପ୍ରସ୍ତୁତ ରିଲ୍ରେ ସୀମିତ ।
ଶିକ୍ଷାନୁଷ୍ଠାନରେ ମଧ୍ୟ ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ଆଲୋଚନା ଔପଚାରିକତାରେ ସୀମିତ ହୋଇଯାଇଛି । ଫଳସ୍ୱରୂପ ଆମେ ପରସ୍ପରଠାରୁ ଭାବଗତ ଭାବରେ ହୋଇଯାଉଛୁ ବିଚ୍ଛିନ୍ନ । ଯୋଗାଯୋଗର ଏହି ଅଭାବ ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ସବୁଠାରୁ ଗଭୀର ପ୍ରଭାବ ପକାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧିରେ ହତାଶବୋଧ ଏବଂ ଚିନ୍ତାର ମାମଲା ୨୫% ବୃଦ୍ଧିପାଇଛି ଏବଂ ଏହାର ଏକ ପ୍ରମୁଖ କାରଣ ହେଉଛି ସାମାଜିକ ବିଚ୍ଛିନ୍ନତା । ଲୋକମାନେ ସେମାନଙ୍କର ଭାବନା ବାଣ୍ଟିବାକୁ କୁଣ୍ଠାବୋଧ କରୁଛନ୍ତି, କାରଣ ସେମାନେ ଭାବନ୍ତି କେହି ସେମାନଙ୍କ କଥାକୁ ଗମ୍ଭୀରତାର ସହିତ ଶୁଣୁନାହାଁନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି, ୬୦% ରୁ ଅଧିକ ଲୋକ ବିଶ୍ୱାସ କରନ୍ତି ସେମାନଙ୍କର ବନ୍ଧୁ କିମ୍ବା ପରିବାର ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରନ୍ତି ନାହିଁ । ତେଣୁ ସେମାନଙ୍କଠାରେ ଏକଲାପଣ ଜନ୍ମନିଏ । ଆମେ ଡିଜିଟାଲ ସ୍କ୍ରିନରେ ଘଣ୍ଟା ଘଣ୍ଟା ବିତାଇଲେ ବି ମନରେ ଶୂନ୍ୟତା ଭରିରହୁଛି । ଏହି ଶୂନ୍ୟତା ଆମର ସମ୍ପର୍କକୁ ଦୁର୍ବଳ କରୁଛି । ବନ୍ଧୁମାନଙ୍କ ମଧ୍ୟରେ ଅନ୍ତରଙ୍ଗ କଥାବାର୍ତ୍ତା, ଯାହା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଚାଲିଥିଲା, ଏବେ ତାହା ହ୍ୱାଟ୍ସଆପ୍, ମେସେଞ୍ଜର ଭଳି ସୋସିଆଲ ଡିଜିଟାଲ ଗ୍ରୁପରେ ହାଲୁକା ଚାଟ୍ ପର୍ଯ୍ୟନ୍ତ ସୀମିତ । ଅନେକ ଯୁକ୍ତି କରନ୍ତି ସମ୍ପ୍ରତି ଯୋଗାଯୋଗର ମାଧ୍ୟମ ବଦଳି ଯାଇଛି ଏବଂ ଆମେ ପୁରୁଣା ଢଙ୍ଗରେ ଫସିରହିବା ଉଚିତ୍ ନୁହେଁ । ଏହା ସତ୍ୟ ଯେ, ପ୍ରଯୁକ୍ତିବିଦ୍ୟା ଯୋଗାଯୋଗକୁ ଦ୍ରୁତ ଏବଂ ସହଜ କରିଛି । ଆମେ ଆଖିପିଛୁଳାକେ ମାଇଲ ମାଇଲ ଦୂରରେ ଥିବା ଲୋକଙ୍କ ସହିତ ଯୋଗାଯୋଗ କରିପାରୁଛେ । କିନ୍ତୁ ଏହି ସମ୍ପର୍କ କ'ଣ ସତରେ ଗଭୀର? କ'ଣ ଭିଡିଓ କଲ୍ ମାଧ୍ୟମରେ ହେଉଥିବା କଥାବାର୍ତ୍ତା ଆମ ତନୁ, ମନ ଓ ଭାବନାକୁ ରୋମାଞ୍ଚିତ କରିପାରୁଛି? ଏହା କ'ଣ ଆମ ମନକୁ ଆନ୍ଦୋଳିତ ବା ଶିହରିତ କରିପାରୁଛି? ପ୍ରଯୁକ୍ତିବିଦ୍ୟା ଆମକୁ ସୁବିଧା ଦେଇଛି ସତ, ହେଲେ ଏହା ଆମର ଇନ୍ଦ୍ରିୟକୁ ମଧ୍ୟ ସ୍ଥାଣୁ କରିଦେଇଛି ।
ଏକ ଗବେଷଣା ଅନୁଯାୟୀ, ୭୦% ଲୋକ ବିଶ୍ୱାସ କରନ୍ତି ସୋସିଆଲ ମିଡିଆ ସେମାନଙ୍କର ବାସ୍ତବ ଜୀବନଧାରାକୁ ପ୍ରଭାବିତ କରିଛି । ଆମର କଥାବାର୍ତ୍ତା ଏବେ ପ୍ରଯୁକ୍ତିର ମଧ୍ୟସ୍ଥତା ଉପରେ ନିର୍ଭରଶୀଳ ଏବଂ ଏହା ଆମକୁ ପରସ୍ପରଠାରୁ ଭାବଗତ ଭାବେ ଦୂର କରିଦେଇଛି । ଯେତେବେଳେ ଆମେ କୌଣସି ଦୁଃଖଦ ଘଟଣା ଜାଣୁ, ଆମେ ଏକ ଇମୋଜି ବା ଛୋଟ ମନ୍ତବ୍ୟ ସହିତ ପ୍ରତିକ୍ରିୟା ପ୍ରକାଶ କରୁ । ସଶରୀରେ ସେମାନଙ୍କ ପାଖକୁ ଯାଇ ପ୍ରବୋଧନା ଦେବା, ସହାନୁଭୁତି ପ୍ରଦର୍ଶନ କରିବା ବା ସହାୟତାର ହାତ ବଢ଼ାଇବାକୁ ଉଚିତ ମଣିନଥାଉ । ସୋସିଆଲ ମିଡିଆରେ ପ୍ରତ୍ୟେକ ଘଟଣା ଉପରେ ଶୀଘ୍ର ମତାମତ ଦେବା ଆମର ଅଭ୍ୟାସ ହୋଇଗଲାଣି, କିନ୍ତୁ ଆମେ ଚିନ୍ତା କରିବା, ବୁଝିବା ଏବଂ ସହାନୁଭୂତି ଦେଖାଇବା ପାଇଁ ବହୁତ କମ୍ ଚେଷ୍ଟା କରୁ । ଏହି ସମ୍ବେଦନହୀନତା ଆମକୁ ମାନବତାଠାରୁ ଦୂରେଇ ନେଉଛି । ଆମେ କ'ଣ ସବୁବେଳେ ‘ଅନଲାଇନ୍' ରହିବାର ଦୌଡ଼ରେ ଆମର ସମ୍ପର୍କକୁ ହରାଇବା? ଅନ୍ୟକୁ ଶୁଣିବା ସମୟର ଅପଚୟ ନୁହେଁ, ବରଂ ସମ୍ପର୍କର ମୂଳଦୁଆ । ଯଦି ଆମେ ଆମର ପରିବାର, ବନ୍ଧୁ କିମ୍ବା ପିଲାମାନଙ୍କ କଥା ଧ୍ୟାନର ସହିତ ଶୁଣିବା, ତେବେ ଆମେ ସେମାନଙ୍କ ମନକୁ ବୁଝିପାରିବା । ବୟସ୍କ ଲୋକଙ୍କ କାହାଣୀରେ ଅନୁଭୂତି ଓ ଅଭିଜ୍ଞତାର ଏକ ଭଣ୍ଡାର ଅଛି, ପିଲାମାନଙ୍କ କଥାରେ ସ୍ୱପ୍ନର ସାଗର ଅଛି ଏବଂ ବନ୍ଧୁମାନଙ୍କ କଥାବାର୍ତ୍ତାରେ ଅସୀମ ଆନନ୍ଦ ରହିଛି ।
କିଛି ସମୟ ପାଇଁ ଡିଜିଟାଲ ଦୁନିଆରୁ ଦୂରେଇ ରହିବା, ଅନ୍ୟର କଥାକୁ ଶୁଣିବା, ଅନ୍ୟପାଇଁ ଟିକେ ସମୟ ଦେବା ଭଳି ଛୋଟ ଛୋଟ ପ୍ରୟାସ ହୁଏତ ଆମକୁ ନୂତନ ଜୀବନ ଦେଇପାରେ । ଏହାଦ୍ୱାରା ନିଶ୍ଚିତ ଏକଲାପଣ ଏବଂ ଭାବଗତ ଦୂରତା ହ୍ରାସ ପାଇପାରିବ । ପ୍ରଯୁକ୍ତିବିଦ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରାଯାଇପାରିବ ନାହିଁ, କିନ୍ତୁ ଏହାକୁ କେବେବି ପାରସ୍ପରିକ ସମ୍ପର୍କକୁ ବଦଳାଇବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ।