ନୂଆଦିଲ୍ଲୀ,୦୧/୧୧: ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଏକ ସଂଗଠନ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ, ଦିକ୍ଷାନ୍ତ ଆଇଏଏସ୍ ଏବଂ ଅଭିମନୁ ଆଇଏଏସ୍ କୋଚିଂ ସେଣ୍ଟର ବିରୁଦ୍ଧରେ ଏକ ଆଦେଶ ପାସ କରିଛି, ଯେଉଁଥିରେ ଉଭୟ କୋଚିଂ ସେଣ୍ଟର ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନ, ଅନୁଚିତ ବାଣିଜ୍ୟ ଅଭ୍ୟାସ ଏବଂ ଗ୍ରାହକ ଅଧିକାର ଉଲ୍ଲଂଘନ ପାଇଁ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ଏହି ଜରିମାନା ଲଗାଯାଇଛି।
ଏହି କୋଚିଂ ସେଣ୍ଟରଗୁଡ଼ିକ ଉପରେ ଜୋରିମାନା ଲାଗୁ ହେବା ପରେ, ଗ୍ରାହକ ବ୍ୟାପାର ବିଭାଗ ଶନିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଏକ ଶ୍ରେଣୀ ଭାବରେ ଗ୍ରାହକଙ୍କ ଅଧିକାରକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ ଏବଂ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା କୌଣସି ସାମଗ୍ରୀ କିମ୍ବା ସେବାର କୌଣସି ମିଥ୍ୟା କିମ୍ବା ଭ୍ରମାତ୍ମକ ବିଜ୍ଞାପନ ନ ହେବା ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଉଭୟ ମାମଲାରେ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଏହି ଦୁଇଟି କୋଚିଂ ସେଣ୍ଟର ବିରୁଦ୍ଧରେ ସଫଳ ୟୁପିଏସ୍ସି ପ୍ରାର୍ଥୀଙ୍କଠାରୁ ମିଳିଥିବା ଅଭିଯୋଗର ବିଚାର କରିଛି, ଯେଉଁମାନଙ୍କର ନାଁ ଏବଂ ଫଟୋଗ୍ରାଫଗୁଡିକ ବିଜ୍ଞାପନରେ ସେମାନଙ୍କ ସମ୍ମତି ବିନା ସେମାନଙ୍କ ଫଳାଫଳର କ୍ରେଡିଟ୍ ନେବାକୁ ବ୍ୟବହାର କରାଯାଇଥିଲା। ଏହି ଅଭିଯୋଗଗୁଡ଼ିକର ତଦନ୍ତ କରିବା ପରେ, ମୁଖ୍ୟ କମିଶନର ନିଧି ଖାରେ ଏବଂ କମିଶନର ଅନୁପମ ମିଶ୍ରଙ୍କ ନେତୃତ୍ୱରେ ସିସିପିଏ, ଦିକ୍ଷାନ୍ତ ଆଇଏଏସ୍ ଏବଂ ଅଭିମନୁ ଆଇଏଏସ୍ଙ୍କ ବିରୁଦ୍ଧରେ ନିର୍ଦ୍ଦେଶ ଜାରି କରିଛି।
ସିସିପିଏ ମିନି ଶୁକ୍ଳା (ଅଲ୍ ଇଣ୍ଡିଆ ରାଙ୍କ ୯୬, ୟୁପିଏସ୍ସି ସିଭିଲ୍ ସର୍ଭିସେସ୍ ୨୦୨୧)ଙ୍କଠାରୁ ଏକ ଅଭିଯୋଗ ପାଇଥିଲା, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ନାଁ ଏବଂ ଫଟୋଗ୍ରାଫ୍ ତାଙ୍କ ସମ୍ମତି ବିନା ଦିକ୍ଷାନ୍ତ ଆଇଏଏସ୍ କୋଚିଂ ସେଣ୍ଟରର ପ୍ରଚାରରେ ବ୍ୟବହାର କରାଯାଇଥିଲା। ସେ ସ୍ପଷ୍ଟ କରିଥିଲେ ଯେ ସେ କେବେ ଦିକ୍ଷାନ୍ତ ଆଇଏଏସ୍ ସହିତ ଜଡ଼ିତ ନଥିଲେ ଏବଂ କେବଳ ଚହଲ ଏକାଡେମୀରେ ଏକ ମକ୍ ଇଣ୍ଟରଭ୍ୟୁରେ ଅଂଶଗ୍ରହଣ କରିଥିଲେ, ଯାହା ସେ ପରେ ଜାଣିବାକୁ ପାଇଲେ ଯେ ଏହା ଦିକ୍ଷାନ୍ତ ଆଇଏଏସ୍ ସହିତ ମିଳିତ ଭାବରେ କରାଯାଇଥିଲା।
ଅଭିମନ୍ୟୁ ଆଇଏଏସ୍ ଏକାଡେମୀ ବିରୁଦ୍ଧରେ ନତାଶା ଗୋୟଲ (ଅଲ୍ ଇଣ୍ଡିଆ ରାଙ୍କ ୧୭୫, ୟୁପିଏସ୍ସି ସିଭିଲ୍ ସର୍ଭିସେସ୍ ୨୦୨୨)ଙ୍କ ଠାରୁ ସିସିପିଏ ଏକ ଅଭିଯୋଗ ପାଇଥିଲା। ଅଭିଯୋଗରେ କୁହାଯାଇଛି ଯେ ଅଭିମନୁ ଆଇଏଏସ୍ କୋଚିଂ ସେଣ୍ଟର ତାଙ୍କୁ ମିଥ୍ୟା ଭାବରେ ସେମାନଙ୍କର ଛାତ୍ର ବୋଲି ଦାବି କରିଛି ଏବଂ ତାଙ୍କ ସମ୍ମତି ବିନା ତାଙ୍କ ନାଁ ଏବଂ ଫଟୋ ବ୍ୟବହାର କରିଛି। ଭ୍ରମାତ୍ମକ ବିଜ୍ଞାପନ ଏବଂ ଅନୁଚିତ ବ୍ୟବସାୟିକ ଅଭ୍ୟାସର ଅଭିଯୋଗ ପ୍ରମାଣିତ ହେବା ପରେ ଆଜି ପର୍ଯ୍ୟନ୍ତ ସିସିପିଏ ବିଭିନ୍ନ କୋଚିଂ ପ୍ରତିଷ୍ଠାନକୁ ୫୭ ଟି ନୋଟିସ୍ ଜାରି କରିଛି। ସିସିପିଏ ଏପର୍ଯ୍ୟନ୍ତ ୨୭ ଟି କୋଚିଂ ପ୍ରତିଷ୍ଠାନ ଉପରେ ୯୮.୬ ଲକ୍ଷରୁ ଅଧିକ ଜରିମାନା ଲଗାଇଛି ଏବଂ ବିଜ୍ଞାପନରେ ଏପରି ଭ୍ରମାତ୍ମକ ଦାବି କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।