ସୁବର୍ଣ୍ଣପୁର, ୨୦/୬ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଇନ୍ଦ୍ରମା ସଭାଗୃହରେ ମହାନଦୀ ବଞ୍ଚାଅ ସମସ୍ୟାକୁ ନେଇ ଆଲୋଚନାଚକ୍ର। ବିଶିଷ୍ଟ ସମାଜସେବୀ ଗୌରୀଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଓଡ଼ିଶାରେ ଥିବା ବଡ଼ ନଦୀ ମହାନଦୀ ସହ ବିଭିନ୍ନ ଶାଖାନଦୀ, ଛୋଟ ଛୋଟ ନଦୀର କିପରି ସୁରକ୍ଷା କରିହେବ ସେଥିପ୍ରତି ଅଞ୍ଚଳର ସଚେତନ ନାଗରିକଙ୍କୁ ଆହ୍ବାନ ଦେଇଛନ୍ତି। ଓଡ଼ିଶାର ଜୀବନ ରେଖା ମହାନଦୀ ଜଳ ବିବାଦ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ବେଳେ ତାର ସମାଧାନ ସହିତ ସୁରକ୍ଷା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ସୁଦର୍ଶନ ଦାସ କହିଛନ୍ତି ଯେ, ଆମ ଜୀବନରେଖା ମହାନଦୀ ଆଜି ଗଭୀର ସଙ୍କଟରେ ଗତି କରୁଛି। ଦିନକୁ ଦିନ ନଦୀର ପ୍ରବାହ କମି କମି ଯାଉଛି। ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ନଦୀ ଜଳକୁ ଅଟକାଇ ରଖିଛି। ଏହାର ଜଳଧାରଣ କ୍ଷମତା କମି କମି ଯାଉଛି। ତେଣୁ ଆଗାମୀ ଦିନରେ ଆମ ରାଜ୍ୟବାସୀଙ୍କ ପାଇଁ ଜଳ ସଙ୍କଟ ସୃଷ୍ଟି ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ। ତେଣୁ ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାର (ଓଡ଼ିଶା, ଛତିଶଗଡ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମାଧାନ କରିବାକୁ ଆଲୋଚନାଚକ୍ରରେ ଦାବି କରାଯାଇଛି। ସେହିପରି କଳକାରଖାନା ଗୁଡ଼ିକର ଦୂଷିତ ଜଳ ଓ ବର୍ଜ୍ୟବସ୍ତୁ ମହାନଦୀ ପାଣିରେ ମିଶି ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି । ଫଳରେ ଲୋକେ ସ୍ନାନ କରିବା ସମ୍ଭବ ହେଉନାହିଁ। ଦୂଷିତ ଜଳ ଯୋଗୁଁ ଅନେକ ଜଳଚର ଜୀବଙ୍କ ମୃତ୍ୟୁ ହେଉଛି। ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହେଉନାହିଁ। ତେଣୁ ଯେଉଁମାନେ ମହାନଦୀକୁ କଳକାରଖାନାରୁ ନିର୍ଗତ ଦୂଷିତ ଜଳ ଛାଡୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଦଳମତ ନିର୍ବିଶେଷରେ ଉପସ୍ଥିତ ଥିବା ସମସ୍ତ ସଚେତନ ନାଗରିକଙ୍କ ନିଷ୍ପତି କ୍ରମେ ମହାନଦୀ ବଞ୍ଚାଅ ସୁବର୍ଣ୍ଣପୁର ଶାଖା ଗଠିତ ହୋଇଥିଲା । ଆସନ୍ତା ଜୁଲାଇ ମାସରେ ମୁକ୍ତିତୀର୍ଥ ପାପକ୍ଷୟ ଠାରେ ମହାନଦୀ ବଞ୍ଚାଅ ସମ୍ମିଳନୀ କରାଯିବ ବୋଲି ଆବାହକ ସୁଦର୍ଶନ ଦାସ ଘୋଷଣା କରିଛନ୍ତି।