ନୂଆଦିଲ୍ଲୀ : ବାସନ ମାଜିବା ପାଇଁ ବ୍ୟବହାର କରାଯାଉଥିବା ସ୍ପଞ୍ଜ ଆପଣଙ୍କୁ କରିପାରେ ଅସୁସ୍ଥ । ବିଶେଷଜ୍ଞଙ୍କ ଅନୁଯାୟୀ, ସ୍ପଞ୍ଜକୁ କିପରି ବ୍ୟବହାର କରିବେ, କେତେ ଦିନ ପର୍ଯ୍ୟନ୍ତ କରିବେ ଏବଂ ଏହାର ଗୁଣବତ୍ତା କିପରି, ସେଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ।

ଏପ୍ରିଲ ୨୦୨୬ରେ ‘ ଏନଭାୟରମେଣ୍ଟାଲ ଆଡଭାନ୍ସେସ ’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବାସନ ଧୋଇବା ସମୟରେ ସ୍ପଞ୍ଜ ଘଷିବା ଦ୍ୱାରା ପ୍ରତିବର୍ଷ ଜଣେ ବ୍ୟକ୍ତି ଅଜାଣତରେ ଅନେକ ଗ୍ରାମ୍ ମାଇକ୍ରୋପ୍ଲାଷ୍ଟିକ ନିର୍ଗତ କରିଥାଏ। ଏହି ସ୍ପଞ୍ଜ କେବଳ ମାଇକ୍ରୋପ୍ଲାଷ୍ଟିକର ଉତ୍ସ ନୁହେଁ, ବରଂ ଏହା ଜଳ ବ୍ୟବହାର ମଧ୍ୟ ବଢ଼ାଉଛି। ଗବେଷଣା ପାଇଁ ସ୍ପଞ୍ଜକୁ ବ୍ୟବହାର ପୂର୍ବରୁ ଓ ପରେ ଓଜନ କରାଯାଇ ଥିଲା। ଲ୍ୟାବ୍‌ରେ ‘ସ୍ପଞ୍ଜବବ୍’ ନାମକ ଏକ ମେସିନ୍ ସାହାଯ୍ୟରେ ବାସନ ମାଜିବା ଭଳି ପରିସ୍ଥିତି ସୃଷ୍ଟି କରି ପରୀକ୍ଷଣ ହୋଇ ଥିଲା।

ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ସ୍ପଞ୍ଜ ପ୍ରତିଥର ବ୍ୟବହାର ବେଳେ ଘୋରି ହୋଇଥାଏ, ଯାହା ଫଳରେ ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ବାହାରି ଥାଏ। ଜଣେ ବ୍ୟକ୍ତି ପ୍ରତିବର୍ଷ ପ୍ରାୟ ୦.୬୮ ଗ୍ରାମରୁ ୪.୨୧ ଗ୍ରାମ ପର୍ଯ୍ୟନ୍ତ ମାଇକ୍ରୋପ୍ଲାଷ୍ଟିକ ବାହାର କରି ଥାଏ। ସମୁଦାୟ ହିସାବ କଲେ ଏହା ବାର୍ଷିକ ଅନେକ ଟନ୍ ମାଇକ୍ରୋପ୍ଲାଷ୍ଟିକରେ ପରିଣତ ହେଉଛି। ଆପଣ ସ୍ପଞ୍ଜକୁ ଯେତେ ଜୋରରେ ଘଷିବେ, ସେତିକି ଅଧିକ କ୍ଷତିକାରକ କଣିକା ବାହାରିବ।

କ’ଣ କହନ୍ତି ବିଶେଷଜ୍ଞ ?

ପରିବେଶ ବିଶେଷଜ୍ଞ ପ୍ରୀତି ମହେଶ ବାନ୍ଧିଆଙ୍କ ଅନୁସାରେ, ସ୍ପଞ୍ଜକୁ ପ୍ରତି ୭ ରୁ ୧୫ ଦିନ ମଧ୍ୟରେ ବଦଳାଇବା ଉଚିତ୍। ସମୟ ଅନୁସାରେ ନ ବଦଳାଇଲେ ଏହା ଜୀବାଣୁଙ୍କ ଘର ପାଲଟି ଯାଏ। CSE ର ଅନୁମିତା ରାୟ ଚୌଧୁରୀଙ୍କ ଅନୁଯାୟୀ, ସ୍ପଞ୍ଜ ବଦଳରେ ବଜାରରେ ଏବେ ସିଲିକନ୍ ବ୍ରଶ୍ ଏବଂ ସିଲିକନ୍ ଗ୍ଲୋଭସ୍ ଉପଲବ୍ଧ। ଓଦା ସ୍ପଞ୍ଜରେ ବ୍ୟାକ୍ଟେରିଆ ଖୁବ୍ ଶୀଘ୍ର ବଢ଼ନ୍ତି, ଯାହା ଫଳରେ ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ।

ସ୍ପଞ୍ଜ ସଫା କରିବାର ଉପାୟ-

  • ଓଦା ସ୍ପଞ୍ଜକୁ ମାଇକ୍ରୋୱେଭରେ ୧ ମିନିଟ୍ ଗରମ କଲେ ୯୯.୯୯୯୯୯% ବ୍ୟାକ୍ଟେରିଆ ମରିଯାଆନ୍ତି।
  • ଡ୍ରାଏ-ସାଇକେଲରେ ରଖିଲେ ୯୯.୯୯୯୮% ଜୀବାଣୁ ନଷ୍ଟ ହୁଅନ୍ତି।
  • ବ୍ଲିଚ୍, ଲେମ୍ବୁ ପାଣି କିମ୍ବା ସାଧାରଣ ପାଣିରେ ଧୋଇଲେ ଏହାର ପ୍ରଭାବ କମ୍ ରହିଥାଏ।

ସ୍ପଞ୍ଜର ଉତ୍ତମ ବିକଳ୍ପ-

ଡିସୱାଶର୍ : ଏହା ବାସନକୁ ଅଧିକ ସଫା ଏବଂ ଜୀବାଣୁମୁକ୍ତ କରେ।

ସିଲିକନ୍ ଡିସ୍ ବ୍ରଶ୍ : ଏହାର ପୃଷ୍ଠ ଚିକ୍କଣ ହୋଇଥିବାରୁ ଏଥିରେ ବ୍ୟାକ୍ଟେରିଆ ବଢ଼ିପାରନ୍ତି ନାହିଁ।