ହେମଗିରି, ୧୬/୦୬ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ମନୋହରପୁର କୋଇଲା ଖଣି ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା। କୋଇଲା ପରିବହନ ବାଧାପ୍ରାପ୍ତ। ଡୁଳିଙ୍ଗା ଓ ସାନ ଘୁମୁଡ଼ା ପଞ୍ଚାୟତର ବିସ୍ଥାପିତ ପରିବାର କ୍ଷତିପୂରଣ ଦାବିରେ କୋଇଲା ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି।
ସୂଚନାନୁଯାୟୀ, ହେମଗିରି ବ୍ଲକ ଅନ୍ତର୍ଗତ ଡୁଳିଙ୍ଗା ଓ ସାନ ଘୁମୁଡ଼ା ପଞ୍ଚାୟତର ବିସ୍ଥାପିତ ପରିବାରର ଝିଅମାନଙ୍କୁ ପଣନାତୁଣୀ ଦର୍ଶାଇ ଆରଆର ପଲିସିରେ କମ୍ପାନୀ କ୍ଷତିପୂରଣରୁ ବଞ୍ଚିତ କରିଥିବା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଏପରିକି ଜମି ଅଧିଗ୍ରହଣ ସମୟରେ ଆଦିବାସୀମାନେ ପାଇଥିବା ଜଙ୍ଗଲ ଜମି ପଟ୍ଟାକୁ ଚଞ୍ଚକତା କରି ତହସିଲ କର୍ମଚାରୀଙ୍କ ଜରିଆରେ ଭୟଭୀତ କରି ଫେରସ୍ତ ନିଆଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କୁ କ୍ଷତିପୂରଣ ନଦେଇ କମ୍ପାନୀ କୋଇଲା ଖଣି କରିଛି। ତେଣୁ ବିସ୍ଥାପିତ ପରିବାରର ଝିଅ ଓ ଜଙ୍ଗଲ ଜମିପଟ୍ଟା ପାଇ କ୍ଷତିପୂରଣରୁ ବଞ୍ଚିତ ହୋଇଥିବା ପରିବାର ନିଜ ହକ୍ ପାଇଁ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି। ହେଲେ ସେମାନଙ୍କୁ କେବଳ ପ୍ରତିଶ୍ରୁତି ମିଳୁଛି। ତେଣୁ ବିସ୍ଥାପିତମାନେ ଅତିଷ୍ଠ ହୋଇ ଆଜି ହିମାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମନୋହରପୁର କୋଇଲା ଖଣି ସମ୍ମୁଖରେ ଧାରଣାରେ ବସିଛନ୍ତି।