ରାମଚଣ୍ଡୀ,୧୪/୦୧: ଆଉ ମାତ୍ର ୩ ସପ୍ତାହ ପରେ ମାଘ ସପ୍ତମୀ ବୁଡ଼ । ଏ ବର୍ଷ ଚନ୍ଦ୍ରଭାଗା ତୀର୍ଥରେ ରେକର୍ଡ  ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି  ଅନୁମାନ କରାଯାଉଛି । ହେଲେ ଜିଲ୍ଲା  ପ୍ରଶାସନ ଓ କୋଣାର୍କ ଏନ୍‌ଏସି ପକ୍ଷରୁ  ଏ ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହୋଇନି । ଏହି ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟ  ଦର୍ଶନ ଓ ଦାନ କଲେ ସମସ୍ତ ପାପରୁ  ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ  ବିଶ୍ୱାସ ରହିଛି । ପ୍ରତିବର୍ଷ ମାଘବୁଡ଼ ପାଇଁ  ତିନି ପର୍ଯ୍ୟାୟରେ ପ୍ରସାଶନର ବୈଠକ  ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ  ମାତ୍ର ଗୋଟିଏ ଥର ବୈଠକ ହୋଇଛି । ପ୍ରଶାସନିକ ଅଧିକାରୀମାନେ ଚୁପ୍‌ ବସିଛନ୍ତି ।  

ଗତ ୨୭ ତାରିଖରେ କୋଣାର୍କ  ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ  ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୁଡ଼ର ୭ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ  କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।  ମାତ୍ର ଏ ପର୍ଯ୍ୟନ୍ତ ପୁଷ୍କରିଣୀ ଜଳ ନିଷ୍କାସନ  କାର୍ଯ୍ୟ ଆରମ୍ଭ ହୋଇନି । ପୁଷ୍କରିଣୀ  ଚତୁଃପାଶ୍ୱର୍ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ  ରହିଛି । ଫଳରେ ଶ୍ରଦ୍ଧାଳୁମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି । ମାଘ ସପ୍ତମୀ ବୁଡ଼ ବେଳେ ଏକ  ସପ୍ତାହ ମଧ୍ୟରେ କାର୍ଯ୍ୟ ତରବରିଆ ଭାବେ  କରାଯାଉଛି । ଅଧିକାରୀମାନେ ସମୟ ଅଭାବ  ଦର୍ଶାଇ ଦୋଷ ଛଡ଼ାଉଛନ୍ତି । ଠିକାଦାର  ମନଇଛା କାମ କରି କାର୍ଯ୍ୟାଦେଶ ନେଉଛନ୍ତି ।  ପୁଷ୍କରିଣୀକୁ ଠିକ୍‌ ଭାବେ ସଫା କରାଯାଉ  ନଥିବାରୁ ଜଳ ପତ୍ତନ କମ୍‌ ରହୁଛି । ଅଳିଆ  ଆବର୍ଜନା ବି ପଡ଼ି ରହୁଥିବା ଦେଖିବାକୁ  ମିଳୁଛି । ଫଳରେ ଶ୍ରଦ୍ଧାଳୁମାନେ ବୁଡ଼  ପକାଇବା ସମୟରେ ଅସନ୍ତୋଷ ପ୍ରକାଶ  କରିଥାନ୍ତି । ଏନେଇ ବିଭିନ୍ନ ସମୟରେ  ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁମାନେ ଜିଲ୍ଲା ପ୍ରସାଶନ  ନିକଟରେ ଅଭିଯୋଗ କରିଥିବା ନଜିର ରହିଛି ।  

ଏବେ ତୀର୍ଥ ପୁଷ୍କରିଣୀରେ ମାତ୍ର  ଅଣ୍ଟାଏ ପାଣି ରହିଥିବାବେଳେ ଜଳ  ଗୋଳିଆ ଓ ଆବର୍ଜନା ଭର୍ତ୍ତି ହୋଇ ରହିଛି ।  ମାଘ ସପ୍ତମୀ ପୂର୍ବରୁ ପୁଷ୍କରିଣୀରୁ ପଙ୍କ  ଉଦ୍ଧାର କାର୍ଯ୍ୟ ହେଉଥିଲେ ମଧ୍ୟ ଦଳପୂର୍ଣ୍ଣ  ଗୋଳିଆ ପାଣି ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା  ସୃଷ୍ଟି କରୁଛି । ତୀର୍ଥ ପୁଷ୍କରଣୀରୁ ତୁରନ୍ତ  ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲା  ପ୍ରଶାସନ ପଦକ୍ଷେପ ନେବା ନିମନ୍ତେ  ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଉଛି ।