ଜଗତସିଂହପୁର,୧୪/୧୨: ବାଲି ଚୋରା ଚାଲାଣକୁ ନେଇ ଜିଲ୍ଲା ପ୍ରଶାସନର କଠୋର ଆଭିମୁଖ୍ୟ । ତିର୍ତ୍ତୋଲ କିଳିପାଳ, କୁଜଙ୍ଗ ଗୋବର୍ଦ୍ଧନପୁର ଓ ତିର୍ତ୍ତୋଲ ଜଇପୁର ବାଲି ସୈରାତ ଉପରେ ଚଢ଼ାଉ କରାଯାଇଛି। ଏଥିସହ ଗତକାଲି ପ୍ରଶାସନ ତରଫରୁ ଜିଲ୍ଲା ଖଣି ଅଧିକାରୀଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ମଧ୍ୟ ଦିଆଯାଇଛି । ପ୍ରଥମଥର ପ୍ରଶାସନ ଖଣି ବିଭାଗକୁ ଟାର୍ଗେଟ କରିଛି। ଗୋଟେପଟେ ପ୍ରଶାସନ ଜିଲ୍ଲା ଭିତରେ ବାଲି ଚୋରା ଚାଲାଣକୁ ଲଗାମ ଦେଉଥିବା ବେଳେ ସେପଟେ ପାରାଦ୍ୱୀପର ଏକ କମ୍ପାନୀ ବାଲି ମୂଲ୍ୟକୁ ବଢ଼ାଇ ଦେଇଛି । ଫଳରେ କେତେକ ବାଲି ମାଫିଆ କଟକ ଜିଲ୍ଲା ଅଧୀନ ଖେଣ୍ଟାଳ, ବାରଦା, ବାବୁଜଙ୍ଗ ସହ କେନ୍ଦ୍ରାପଡ଼ାର ବଡ଼ପାଳ ଆଦି ଅଞ୍ଚଳରୁ ବାଲି ଲୁଟି ପାରାଦ୍ୱୀପ ଚାଲାଣ କରୁଛନ୍ତି । ଯଦ୍ୱାରା ଜଗତସିଂହପୁର ଜିଲ୍ଲାର ବହୁ ନିରୀହ ଟ୍ରକ ମାଲିକ ଆର୍ଥିକ ଓ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି।