ଢେଙ୍କାନାଳ,୧୯/୧୦:ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବାବୁଙ୍କୁ ଘାରିଛି ଚୌକି ମୋହ । ଜଣେ ଜଣେ କିରାଣି ୫ ବର୍ଷରୁ ଅଧିକ ସମୟ ଧରି ସେହି ଗୋଟିଏ ସ୍ଥାନରେ ଗାଦିମାଡ଼ି ବସିଛନ୍ତି । ଯାହାଫଳରେ ଦୁର୍ନୀତି ବଢ଼ୁଥିବା ଶିକ୍ଷକ ମହଲରେ ଅଭିଯୋଗ ହେଉଛି । ଶିକ୍ଷା କାର୍ଯ୍ୟାଳୟର କିରାଣିଙ୍କ କ୍ଷେତ୍ରରେ ବଦଳି ନିୟମ କାର୍ଯ୍ୟକାରୀ ହେଉନି। କୋଳି ଖାଇ ମଞ୍ଜି ପୋତିଲା ଭଳି ଏମାନେ ଶିକ୍ଷା କାର୍ଯ୍ୟାଳୟରେ ଚୌକି ମାଡି଼ ବସିଛନ୍ତି । 

ସୂଚନା ଅନୁସାରେ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ସୁଶିଲା ନାୟକ ୫ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟ କିରାଣି ଦାୟିତ୍ୱରେ ରହିଛନ୍ତି । ବେସରକାରୀ ସ୍କୁଲ୍‌ ଓ କଲେଜ ବିଭାଗର ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ସେକ୍ସନ୍‌ ବୁଝୁଥିବା ପ୍ରତାପ କୁମାର ମହାପାତ୍ର ସାଢ଼େ ୫ ବର୍ଷ ଏଲିମେଣ୍ଟାରୀ ସେକ୍ସନ୍‌ର କିରାଣି ସନ୍ତୋଷ ସାହୁ ୫ ବର୍ଷରୁ ଊଦ୍ଧ୍ୱର୍, ଆକାଉଣ୍ଟାଣ୍ଟ୍‌ ଯୁଗଳ କିଶୋର ଧଳ ୪ ବର୍ଷରୁ ଊଦ୍ଧ୍ୱର୍ ଓ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ସେକ୍ସନ୍‌ର କିରାଣି ପ୍ରିୟଦର୍ଶୀ ମିଶ୍ର ସାଢ଼େ ୩ ବର୍ଷରୁ ଅଧିକ ସମୟ ଗୋଟିଏ ଚୌକିରେ କାର୍ଯ୍ୟ କରିଆସୁଛନ୍ତି । କେବଳ ଶିକ୍ଷା ବିଭାଗ ନୁହେଁ, ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା କିରାଣିମାନେ ମଧ୍ୟ ୫ରୁ ଅଧିକ ବର୍ଷ ଧରି ଗୋଟିଏ ଗୋଟିଏ ସ୍ଥାନରେ ଗାଦି ମାଡି଼ ବସିଛନ୍ତି । 

ଯେତେବେଳେ ବଦଳି ହେବାର ସମ୍ଭାବନା ରହୁଛି କେହି କୁହାକୁହି କରି ବଦଳି ପ୍ରକ୍ରିୟାକୁ ରୋକି ଦେଇଛନ୍ତି ତ ଆଉ କେହି ଉପର ମହଲରେ ନେତା, ମନ୍ତ୍ରୀ, ଅଫିସରଙ୍କୁ ଧରାଧରି କରି ନିଜ ଆସନ ସୁରକ୍ଷିତ ରଖିପାରିଛନ୍ତି । ପ୍ରଧାନଶିକ୍ଷକ, ଶିକ୍ଷକ, କର୍ମଚାରୀ କିଏ କେଉଁଠି କି ବଦଳିବେ, ଡେପୁଟେସନ୍‌, ଅତିଥି ଶିକ୍ଷକ ଚୟନ, ଅନୁଦାନ ପ୍ରଦାନ, ପେନ୍‌ସନ୍‌ ସମେତ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତି ଆଦି ସବୁଥିରେ ଏମାନଙ୍କୁ ନଧରିଲେ କାମ ହୁଏନାହିଁ । ଏମାନଙ୍କୁ ସନ୍ତୁଷ୍ଟ କଲେ କାମ ହୁଏ, ନଚେତ୍‌ ଦୌଡି ଦୌଡି ନୟାନ୍ତ ହେବା ସାର । କିରାଣି ସ୍ତରରେ ଚୂଡ଼ାନ୍ତ ଫାଇଲ୍‌ ପ୍ରସ୍ତୁତ କରାଯାଉଛି । ଅଧିକାରୀ କେବଳ ଦସ୍ତଖତ କରିଥାନ୍ତି ବୋଲି କିଛି ଶିକ୍ଷକ ପ୍ରକାଶ କରିଛନ୍ତି । ସାଧାରଣତଃ ଦୁଇ ତିନିବର୍ଷ ପରେ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବଦଳି ହେବାର ନିୟମ ରହିଛି ।

 କିନ୍ତୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାହା ପରାମର୍ଶ ଓ ଚାପରେ ବର୍ଷ ବର୍ଷ ଧରି ଚୌକି ମାଡି଼ ବସିଥିବା କର୍ମଚାରୀମାନଙ୍କୁ ବଦଳି କରାଯାଉନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଥିବାରୁ ଦୁର୍ନୀତି ବଢ଼ୁଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ରହୁଥିବା ବାବୁମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଅନେକ ସ୍ଥାନରୁ ମାଳ ମାଳ ଅଭିଯୋଗ ଆସିବା ପରେ ଶିକ୍ଷା ବିଭାଗର ଚେତା ପଶିଥିଲା ।

 ଡାଇରେକ୍ସଟର ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ ପକ୍ଷରୁ ଗତ ଅଗଷ୍ଟ ୨୦ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇ ୩ ବର୍ଷରୁ ଅଧିକ ସମୟ ରହିଥିବା ଅତି କମ୍‌ରେ ୫୦ ପ୍ରତିଶତ କର୍ମଚାରୀମାନଙ୍କୁ ଅନ୍ୟ ସେକନ୍ସକୁ ବଦଳି କରିବା ଓ ଆସନ୍ତା ଶିକ୍ଷାବର୍ଷରେ ୨ ବର୍ଷରୁ ଅଧିକ ସମୟ ରହିଥିବା ଅନ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଆସିଛି । ମାତ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହୋଇପାରିନଥିବା ଜଣାପଡ଼ିଛି । ତେବେ କେଉଁ କର୍ମଚାରୀଙ୍କର ବଦଳି ହେବ ସେ ନେଇ ଏକ ତାଲିକା ପ୍ରସ୍ତୁତ କରି ଡାଇରେକ୍ଟର ଅଫିସ୍‌କୁ ଜିଲ୍ଲା ଶିକ୍ଷା ଅଧିକାରିଣୀ ବିନିତା ସେନାପତି ପଠାଇ ଦେଇଛନ୍ତି । ଏହାର ଉତ୍ତର ଆସିଲେ କାର୍ଯ୍ୟକରୀ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରକାଶ କରିଛନ୍ତି । ତେବେ ଦୁର୍ନୀତିଗ୍ରସ୍ତ ଓ ଗାଦି ମାଡି଼ ବସିଥିବା ବାବୁମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଶିକ୍ଷକ ସଂଘଗୁଡି଼କ ପକ୍ଷରୁ ଦାବି ହୋଇଛି ।