ବୌଦ୍ଧ,୧୯/୧୨ : ଷଷ୍ଠ ତମ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରୀ ଗତ ୧୭ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ସଦର ଜାନକୀ ଭିକାରି ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଥିଲା l ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂଗଠନର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରି ଦେଶମାତୃକାର ସେବାରେ ସମର୍ପିତ କରିବା, ପିଲାମାନଙ୍କର ବ୍ୟବହାର ପରିବର୍ତ୍ତନ ସହ ନେତୃତ୍ୱ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ l
ଜିଲ୍ଲା ଅତିରିକ୍ତ ଏସପି ସାର୍ଥକ ରାୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବାବେଳେ ଏସଡିପିଓ ଲରେନ ରାଉତରାୟ, ପ୍ରାଥମିକ ଶିକ୍ଷା ବିଭାଗର ଉପନିର୍ଦ୍ଦେଶିକା ଜୟଶ୍ରୀ ଦୋରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ହାଡ଼ିବନ୍ଧୁ ବେହେରା ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ l ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂଗଠନର ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l
ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଉକ୍ତ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସମ୍ପାଦକ ଚିତ୍ତରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ l ଦ୍ଵିତୀୟ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇଥିବାବେଳେ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ଅଶୋଭ ରଞ୍ଜନ ମାଲି ଓ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବେହେରା ଅଥିତି ଭାବେ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ତୃତୀୟ ଦିବସରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବୌଦ୍ଧ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, କନ୍ଧମାଳ ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସ ସମ୍ପାଦକ ଶ୍ରୀ ବେହେରା ସମ୍ମାନୀତ ଅତିଥି ଭାବରେ ମଂଚାସୀନ ଥିଲେ l
କାର୍ଯ୍ୟକ୍ରମର ଉକ୍ତ ୩ଦିନ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯଇଥିଲା ଯଥା କଲର ପାର୍ଟି, ବ୍ୟାଣ୍ଡ ପ୍ରଦର୍ଶନ, ଗେଟ ଓ କେମ୍ପ କ୍ରାଫଟ, ମାର୍ଚ୍ଚ ଫାଷ୍ଟ, ଡ୍ରାମା, ଶାରୀରିକ କ୍ରୀଡ଼ା ପ୍ରଦର୍ଶନ, ଫୁଡ ଭିଲା, ଲୋକ ନୃତ୍ୟ, ଆଞ୍ଚଳିକ ଯାତ୍ରା ଆଦି ଦଳଗତ ପ୍ରତିଯୋଗିତା, ଅଦରକାରୀ ପଦାର୍ଥରୁ ଶ୍ରେଷ୍ଠ ପଦାର୍ଥ ତିଆରି, ଆତ୍ମବିଶ୍ୱାସ ରାଲି, ପ୍ରାଥମିକ ଚିକିତ୍ସା, କୁଇଜ, ହାତ ତିଆରି ଜିନିଷ, ରଙ୍ଗୋଲି, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା କରିବା ସହ ଦୁଃସାହସିକ କ୍ରୀଡ଼ା, ପାହାଡ଼ ଚଢା, ଗ୍ରାମ ସଫେଇ ଓ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା l ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫୦୦ଛାତ୍ରଛାତ୍ରୀ ତଥା ମାର୍ଗଦର୍ଶି ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମନମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଜିତେନ୍ଦ୍ର ହୋତା ଓ ଶିକ୍ଷକ ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିବାବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେହେର ଧନ୍ୟବାଦ ଦେଇଥିଲେ l ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀ, ସିଆରସିସି, ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ l