ଫୁଲବାଣୀ, ୧୬/୮ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପୁଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଦେଶକୁ ସ୍ଵାଧୀନ କରିବା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରି ଏହି କଷ୍ଟଲବ୍ଧ ସ୍ଵାଧୀନତାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି।
କନ୍ଧମାଳ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶର ସ୍ଵାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ନୂତନ ସରକାରଙ୍କ ଦ୍ଵାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଥିବା ପ୍ରଶାସନିକ ଦୂରତ୍ୱ କମାଇବା ପାଇଁ ପ୍ରଚେଷ୍ଟା କରାଯିବା ସହ ସମସ୍ୟା ସମାଧାନ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। ଆୟୋଜିତ ପରେଡରେ ପୁଲିସ ବାହିନୀ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶ୍ରେଷ୍ଠ ବିବେଚିତ ଦଳମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ।