ମାଡ୍ରିଡ: ଡିଏମକେ ସାଂସଦ କନିମୋଝି କରୁଣାନିଧି, ଯିଏ ଅପରେସନ ସିନ୍ଦୁର ପରେ ଭାରତର ଆନ୍ତର୍ଜାତୀୟ ସମ୍ପର୍କ କାର୍ଯ୍ୟକ୍ରମର ଅଂଶ ଭାବେ ସ୍ପେନରେ ଏକ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି, ତାଙ୍କୁ ଭାରତର ରାଷ୍ଟ୍ରୀୟ ଭାଷା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ମାଡ୍ରିଡରେ ଭାରତୀୟ ପ୍ରବାସୀମାନଙ୍କୁ ସମ୍ବୋଧିତ କରିବା ସମୟରେ ତାଙ୍କର ଜବାବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କନିମୋଝି କହିଛନ୍ତି ଯେ, “ଭାରତର ରାଷ୍ଟ୍ରୀୟ ଭାଷା ହେଉଛି ଏକତା ଓ ବିବିଧତା। ଏହା ହେଉଛି ଏହି ପ୍ରତିନିଧି ଦଳ ବିଶ୍ୱକୁ ଦେଉଥିବା ବାର୍ତ୍ତା, ଏବଂ ଆଜି ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ମନେକରୁଛୁ।”
ଏହି ପ୍ରଶ୍ନ ଏବଂ ତାଙ୍କ ଉତ୍ତର ତାମିଲନାଡୁରେ ଡିଏମକେ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ତିନି-ଭାଷା ଫର୍ମୁଲା ଉପରେ ଚାଲିଥିବା ତୀବ୍ର ବିବାଦର ପୃଷ୍ଠଭୂମିରେ ଆସିଛି। ଡିଏମକେ ଏହି ନୀତିକୁ ହିନ୍ଦୀ ଅନୁସାରେ ରାଜ୍ୟମାନଙ୍କ ଉପରେ ହିନ୍ଦୀ ଲଦିବାର ଏକ ପ୍ରୟାସ ଭାବେ ଦେଖୁଛି। ଅନ୍ୟପଟେ ଏହାକୁ ଫେଡେରାଲିଜିମ ଓ ଆଞ୍ଚଳିକ ସ୍ୱାୟତ୍ତଶାସନ ବିରୁଦ୍ଧରେ ଏକ ଆକ୍ରମଣ ବୋଲି ଅଭିହିତ କରିଛି। କନିମୋଝି ନିଜେ କେନ୍ଦ୍ର ସରକାରଙ୍କୁ ଏନଇପି ବିରୋଧ କରିବା ପାଇଁ ତାମିଲନାଡୁକୁ ଆର୍ଥିକ ଅନୁଦାନ ଅଟକାଇବା ଅଭିଯୋଗ ଆଣିଛନ୍ତି।
କନିମୋଝିଙ୍କ ନେତୃତ୍ୱାଧୀନ ଏହି ସର୍ବଦଳୀୟ ପ୍ରତିନିଧି ଦଳରେ ସମାଜବାଦୀ ପାର୍ଟିର ରାଜୀବ କୁମାର ରାୟ, ବିଜେପିର ବ୍ରିଜେଶ ଚୌଟା, ଆରଜେଡିର ପ୍ରେମ ଚନ୍ଦ୍ର ଗୁପ୍ତା, ଏଏପିର ଅଶୋକ କୁମାର ମିତ୍ତଲ ଏବଂ ପୂର୍ବତନ ରାଷ୍ଟ୍ରଦୂତ ମଞ୍ଜୀବ ସିଂ ପୁରୀ ଓ ଜାୱେଦ ଅଶରଫ ସାମିଲ ଅଛନ୍ତି। ଏହି ଦଳ ପାଞ୍ଚଟି ଦେଶର ଗସ୍ତରେ ଥାଇ ସ୍ପେନରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଠାରେ ସେମାନେ ଆତଙ୍କବାଦ ବିରୋଧରେ ଭାରତର ‘ଶୂନ୍ୟ ସହନଶୀଳତା’ ନୀତିକୁ ଜୋରଦାର ଭାବେ ଉପସ୍ଥାପନ କରିଛନ୍ତି।
ସ୍ପେନରେ ଦଳଟି ସ୍ପେନର ବୈଦେଶିକ ମନ୍ତ୍ରୀ ଜୋସେ ମାନୁଏଲ ଆଲବାରେସଙ୍କୁ ଭେଟିଛି ଏବଂ ମାଡ୍ରିଡରେ ଆତଙ୍କବାଦ ପୀଡିତଙ୍କ ସଂଘ ସହ ଆଲୋଚନା କରିଛି। ଏହି ସଂଘ ବିଶ୍ୱରେ ସବୁଠାରୁ ବଡ ଆତଙ୍କବାଦ ପୀଡିତ ସଂଗଠନମାନଙ୍କ ମଧ୍ୟରୁ ଅନ୍ୟତମ। ଏବଂ ୪,୦୦୦ରୁ ଅଧିକ ପୀଡିତଙ୍କୁ ସାମାଜିକ-ମାନସିକ ସମର୍ଥନ ଯୋଗାଇ ଯୋଗାଇଥାଏ ବୋଲି ସୂଚନା ରହିଛି। ଏହି ବୈଠକରେ ଭାରତ ସୀମାପାର ଆତଙ୍କବାଦର ମୁକାବିଲା କରିବାରେ ନିଜର ଅଭିଜ୍ଞତା ବାଣ୍ଟିଛି।
କନିମୋଝିଙ୍କ ଏହି ଉତ୍ତର କେବଳ ଏକ କୂଟନୈତିକ ବୟାନ ନୁହେଁ, ବରଂ ଭାରତର ବିବିଧ ସାଂସ୍କୃତିକ ଓ ଭାଷାଗତ ପରିଚୟକୁ ଆନ୍ତର୍ଜାତୀୟ ମଞ୍ଚରେ ଉଜାଗର କରିବାର ଏକ ଶକ୍ତିଶାଳୀ ପ୍ରୟାସ। ଏହା ସୋସିଆଲ ମିଡିଆରେ ବ୍ୟାପକ ପ୍ରଶଂସା ପାଇଛି। ଯେଉଁଠାରେ ଅନେକ ଯୁଜର୍ସ ଏହାକୁ ଭାରତର ବହୁସାଂସ୍କୃତିକ ପରିଚୟର ଏକ ଉପଯୁକ୍ତ ପ୍ରତିନିଧିତ୍ୱ ଭାବେ ଦେଖୁଛନ୍ତି।
ସ୍ପେନ ସରକାର ମଧ୍ୟ ଭାରତର ଆତଙ୍କବାଦ ବିରୋଧୀ ପ୍ରୟାସକୁ “ଅନନ୍ୟ” କହିବା ସହ ଏଥି ନିମନ୍ତେ ସମର୍ଥନ ପ୍ରକାଶ କରିଛନ୍ତି। ଯାହା ଏହି ଗସ୍ତର କୂଟନୈତିକ ସଫଳତାକୁ ଆହୁରି ଜୋରଦାର କରିଛି। ପ୍ରତିନିଧି ଦଳ ଏହାପରେ ଭାରତ ଫେରିବେ, ଯେଉଁଠାରେ ଏହି ବୟାନ ଏବଂ ଏହାର ପ୍ରଭାବ ସମ୍ୱଦ୍ଧରେ ଆହୁରି ଅଧିକ ଆଲୋଚନାର କରାଯିବ ବୋଲି ଆଶା କରାଯାଉଛି।