ନୂଆଦିଲ୍ଲୀ,୧୧/୦୩ : ସଂସଦୀୟ ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଜି (ମଙ୍ଗଳବାର) ଦ୍ବିତୀୟ ଦିନରେ ବି ଚାଲିପାରୁନି ଗୃହ କାର୍ଯ୍ୟ । ତ୍ରିଭାଷୀ ପ୍ରସଙ୍ଗ ଓ ଏନଇପିକୁ ନେଇ ଉଠୁଛି ପଡୁଛି ଗୃହ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଜୋରଦାର ହଙ୍ଗମା କରିଛି ଡିଏମକେ । ସଂସଦ ବାହାରେ ଡିଏମକେ ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ଡିଏମକେ ସାଂସଦମାନେ ଗର୍ଜନ କରିଛନ୍ତି ।

ସଂସଦରେ ଡିଏମକେର ହଙ୍ଗାମା- ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି) ଓ ତ୍ରିଭାଷୀ ଫର୍ମୁଲାକୁ ନେଇ ଡିଏମଏକ ସାଂସଦମାନେ ଦୁଇ ଦିନ ହେବ ସଂସଦରେ ଜୋରଦାର ହଙ୍ଗମା କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସ୍ଲୋଗାନ ବାଜି କରିଛନ୍ତି । ଡିଏମକେ ସାଂସଦ କାନିମୋଝୀ କହିଛନ୍ତି, '' ଆମକୁ ତ୍ରିଭାଷୀ ଏବଂ ନୂଆ ଶିକ୍ଷା ନୀତିରେ ସ୍ବାକ୍ଷର କରିବାକୁ କହି କେନ୍ଦ୍ର ସରକାର ତାମିଲନାଡୁକୁ ଦେବାକୁ ଥିବା ଟଙ୍କାକୁ ଅଟକାଉଛନ୍ତି । ସେମାନେ ତାମିଲନାଡୁ ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ତାମିଲନାଡୁ ପିଲାଙ୍କ ପାଇଁ ଆସୁଥିବା ଫଣ୍ଡକୁ ଅଟକାଇବାକୁ ସେମାନଙ୍କର କୌଣସି ଅଧିକାର ନାହିଁ । ହିନ୍ଦୀ ବାହାନାରେ ତାମିଲନାଡୁବାସୀଙ୍କ ଭାବନା ସହ ଖେଳୁଛନ୍ତି । ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ତାମିଲନାଡୁ ଲୋକ ବେଇମାନ ଓ ଅସଭ୍ୟ ବୋଲି କହିଥିଲେ । ଆମେ ତାଙ୍କଠୁ ଏହା କେବେ ଆଶା କରିନଥିଲୁ । ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ଆମେ ଚାହୁଁଛୁ ସେ କ୍ଷମା ମାଗନ୍ତୁ ।''

କଣ ତ୍ରିଭାଷୀ ପ୍ରସଙ୍ଗ ? କେନ୍ଦ୍ର ସରକାର ଏନଇପିରେ ତିନୋଟି ଭାଷା ପଢିବା ଲାଗି ବ୍ୟବଧାନ ରଖିଛନ୍ତି । ଏଥିରେ ସ୍ଥାନୀୟ ଭାଷା ବ୍ୟତୀତ ଇଂରାଜୀ ଓ ହିନ୍ଦୀ ପଢାଇବାକୁ ବ୍ୟବସ୍ଥା ରହିଛି । ତାମିଲନାଡୁର ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୀନ ସରକାର ଏହାର ବିରୋଧ କରିଛି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲଗାତାର ଏ ନେଇ ଟିପ୍ପଣୀ ଦେଇ ଆସୁଛନ୍ତି । ସଂସଦୀୟ ବଜେଟ୍ ଅଧିବେଶନ ଆରମ୍ଭ ଦେବା କ୍ଷଣି ଡିଏମକେ ଏହି ପ୍ରସଙ୍ଗ ଉଠାଇଥିଲା । ଦ୍ବିତୀୟ ଦିନରେ ବି ସମାନ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା କରିଥିଲା ।

ଅଧିକ ପଢନ୍ତୁ...ରାଜ୍ୟସଭାରେ ରେଳ (ସଂଶୋଧନ) ବିଧେୟକ ୨୦୨୫ ପାରିତ

ଡିଏମକେକୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର- ସଂସଦୀୟ ବଜେଟ୍ ଅଧିବେଶନ ପ୍ରଥମ ଦିନରେ ଡିଏମକେ ତ୍ରିଭାଷୀ ଓ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗ ଉଠାଇଥିଲା । ଏହାର ଜବାବ ରଖି ଡିଏମକେକୁ ଘେରିଥିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାମିଲନାଡୁ ସରକାରଙ୍କ ଉପରେ ବର୍ଷିଥିଲେ । ତାମିଲନାଡୁ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି ବେଲି ଟିପ୍ପଣୀ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସେମାନେ ବର୍ବାଦ କରି ଦେଉଛନ୍ତି । ଭାଷାର ପ୍ରତିବନ୍ଧକ ଛିଡା କରିବା ତାଙ୍କର ଏକମାତ୍ର କାର୍ଯ୍ୟ । ସେମାନେ କେବଳ ରାଜନୀତି କରୁଛନ୍ତି । ସେମାନେ ଅଗଣତାନ୍ତ୍ରିକ ଓ ଅସଭ୍ୟ । ଯେଉଁମାନଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ସେମାନେ କେବଳ ହୋହାଲ୍ଲା କରି ଭ୍ରମିତ କରନ୍ତି ବୋଲି କହିଥିଲେ ।