ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି । ଆଉ ଏହି ସମୟରେ ଏବେ ବିରୋଧୀ ଦଳର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର। ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଚୂଡ଼ାନ୍ତ ହେବା ପରେ,ଏବେ ‘ଇଣ୍ଡି’ ମେଣ୍ଟର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା। ଏହାରି ଭିତରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ‘ଇଣ୍ଡି’ ମେଣ୍ଟ DMKର ରାଜ୍ୟସଭା ସାଂସଦ ତିରୁଚି ଶିବାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବରେ ବାଛିପାରେ । ସୂତ୍ରରୁ ଆସୁଥିବା ସୂଚନା ଅନୁଯାୟୀ, ଶିବାଙ୍କୁ ବିରୋଧୀ ପ୍ରାର୍ଥୀ କରିବା ଏକ ରଣନୈତିକ ପଦକ୍ଷେପ, ଯାହା ଆଗାମୀ ନିର୍ବାଚନରେ ତାମିଲନାଡୁର ଏହି ବରିଷ୍ଠ ରାଜନେତାଙ୍କୁ ତାଙ୍କ ରାଜ୍ୟର ଅନ୍ୟ ଜଣେ ନେତାଙ୍କ ବିପକ୍ଷରେ ଠିଆ କରାଇବ ଏବଂ ଆଞ୍ଚଳିକ ରାଜନୀତିର ମୁଖ୍ୟ ପ୍ରତିବନ୍ଧକକୁ ଦୂର କରିବ ।
ହେଲେ ଶିବାଙ୍କ ନାମ ଉପରେ ଅନୁଷ୍ଠାନିକ ପ୍ରାର୍ଥୀତ୍ୱ କେବଳ ସେତେବେଳେ ଘୋଷଣା କରାଯିବ ଯେତେବେଳେ, ବିରୋଧୀ ଦଳ ଗୁଡ଼ିକ ଆଜି ସନ୍ଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ସେମାନଙ୍କର ପ୍ରାର୍ଥୀ ନିଷ୍ପତ୍ତି ନେବା ପାଇଁ ଏକ ବୈଠକ କରିବେ। ଏହା ବିଶ୍ୱାସ କରାଯାଉଛି ଯେ ସନ୍ଧ୍ୟାରେ ନାମ ଚୂଡ଼ାନ୍ତ ହେବ, କାରଣ କଂଗ୍ରେସ ବ୍ୟତୀତ, DMK ହେଉଛି ଇଣ୍ଡି ମେଣ୍ଟର ଅନ୍ୟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର।
ସୂଚନାଥାଉକି,ତାମିଲନାଡୁରେ ବିଜେପିର ଅନ୍ୟତମ ପ୍ରମୁଖ ନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଗତକାଲି (ରବିବାର) ସନ୍ଧ୍ୟାରେ କେନ୍ଦ୍ରର ଶାସକ ଦଳ ଦ୍ୱାରା ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି।