ନୂଆଦିଲ୍ଲୀ ୦୯/୧୨: ଭାରତରେ କର୍ମସ୍ଥଳୀରେ କାମ ଶେଷ ହେବା ପରେ ବି କାମ ପିଛା ଛାଡ଼େନାହିଁ । ଗୋଟିଏ ପଟେ ଦେଶରେ ୭୦ ଘଣ୍ଟା କାମକୁ ନେଇ ବିତର୍କ ଲାଗି ରହିଛି । ଅନ୍ୟପକ୍ଷେ, ଏବେ ଏଆଇ ସହିତ ମଣିଷର ଉତ୍ପାଦକତାକୁ ତୁଳନା କରାଯାଉଛି । ଏଆଇ ଯୋଗୁ ଚାକିରି ଚାଲିଯିବା ଖବର ମଧ୍ୟ ନିୟମିତ ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଭାରତର କର୍ମଜୀବୀଙ୍କ ପାଇଁ ଏକ ନୂଆ ବିଲ୍ ଉପସ୍ଥାପନ କରାଯାଇଛି । ଏହାକୁ ଉତ୍ତପ୍ତ ମରୁଭୂମିରେ ଦଲକାଏ ଥଣ୍ଡା ପବନ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ପାଇଁ ଏହା କେବଳ ମନକୁ ବୁଝେଇବା ଭଳି ।
ବିଲ୍ର ନାଁ ‘ରାଇଟ୍ ଟୁ ଡିସ୍କନେକ୍ଟ ବିଲ୍୨୦୨୫’ । ଏନ୍ସିପି (ଶରଦ ପାୱାର ଗୋଷ୍ଠୀ) ସାଂସଦ ସୁପ୍ରିୟା ସୁଲେ ସଂସଦରେ ଏହାକୁ ଉପସ୍ଥାପନ କରିଛନ୍ତି । ବିଲ୍ରେ ଏମ୍ପ୍ଲଇ ୱେଲ୍ଫେୟାର ଅଥରିଟି ଗଠନ ପାଇଁ ପ୍ରସ୍ତାବ ରଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ୍ରେ ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ସ୍ୱତନ୍ତ୍ର ଅଧିକାର ମିଳିବା ବିଷୟରେ କୁହାଯାଇଛି । ତାହା ହେଉଛି କର୍ମଚାରୀ ଅଫିସ୍ ସମୟ ପରେ, ଛୁଟିରେ କିମ୍ବା ବ୍ୟକ୍ତିଗତ ସମୟରେ କାମ ସହ ସଂଶ୍ଳିଷ୍ଟ କଲ୍, ମେସେଜ୍ କିମ୍ବା ଇମେଲ୍ର ଉତ୍ତର ଦେବାକୁ ମନା କରିପାରିବେ । ଅର୍ଥାତ୍ ଯଦି ଆପଣଙ୍କର ଅଫିସ୍ ଟାଇମ୍ ଶେଷ ହୋଇଯାଇଛି, ତେବେ ଅଫିସ୍ କଲ୍ ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ ସମୟରେ ଦଖଲ ଦେଇପାରିବ ନାହିଁ ।
ତେବେ, ଏହି ବିଲ୍ ସରକାରଙ୍କ ତରଫରୁ ନୁହେଁ, ବରଂ ଜଣେ ସାଂସଦଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ଉପସ୍ଥାପନ କରାଯାଇଛି । ଲୋକସଭା ଓ ରାଜ୍ୟସଭାର ଯେକୌଣସି ସଦସ୍ୟଙ୍କୁ ଏଭଳି ବିଲ୍ ଉପସ୍ଥାପନ କରିବାର ଅଧିକାର ଅଛି, ଯାହାକୁ ସେମାନେ ଆବଶ୍ୟକ ମନେକରନ୍ତି । ସାଧାରଣତଃ ଏଭଳି ବିଲ୍ ସଂସଦରେ ଉପସ୍ଥାପନ ପରେ ଚର୍ଚ୍ଚାକୁ ଆସେ, ସରକାର ଜବାବ ଦିଅନ୍ତି ଏବଂ ଅଧିକାଂଶ ମାମଲାରେ ଏହାକୁ ଫେରାଇ ଦିଆଯାଏ । ଅର୍ଥାତ୍ ମୋଟାମୋଟି ଏଭଳି ବିଲ୍ ନୀତି ପରିବର୍ତ୍ତନ ଅପେକ୍ଷା ଏକ ମଜଭୁତ ବାର୍ତ୍ତା ଦେବା ପାଇଁ ଉପସ୍ଥାପନ କରାଯାଏ ।
ଏହା ସତ୍ତେ୍ୱ ‘ରାଇଟ୍ ଟୁ ଡିସ୍କନେକ୍ଟ’ ବିଲ୍ ଉପରେ ସୋସିଆଲ ମିଡିଆଠୁ ନେଇ କର୍ମଜୀବୀଙ୍କ ମଧ୍ୟରେ ଚର୍ଚ୍ଚା ବଢୁଛି । ଲୋକେ ଏହାକୁ ଭାରତର କର୍ମ ସଂସ୍କୃତିରେ ପରିବର୍ତ୍ତନର ଏକ ସମ୍ଭାବ୍ୟ ଶୁଭାରମ୍ଭ ବୋଲି କହୁଛନ୍ତି । ତେବେ ବିଶ୍ୱର କିଛି ଦେଶରେ ଏଭଳି ନିୟମ କଡ଼ାକଡ଼ି ଓ ବ୍ୟବସ୍ଥିତ ଭାବେ ଲାଗୁ ହୋଇସାରିଛି ।
ଫ୍ରାନ୍ସ ପ୍ରଥମ :
ରାଇଟ୍ ଟୁ ଡିସ୍କନେକ୍ଟ ଆଇନ ସର୍ବପ୍ରଥମେ ଫ୍ରାନ୍ସରେ ୨୦୧୭ରେ ଲାଗୁ ହୋଇଥିଲା । କର୍ମଜୀବନ ସନ୍ତୁଳନକୁ ସୁଧାରିବା ଓ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା । ଏହି ଆଇନ ଅନୁସାରେ, ଅଫିସ୍ ସମୟ ଶେଷ ହେବା ପରେ କର୍ମଚାରୀଙ୍କୁ କୌଣସି ପ୍ରକାର କଲ୍, ଇମେଲ୍ ବା ମେସେଜ୍ର ଉତ୍ତର ଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଆଇନ ଅନୁସାରେ, ଫ୍ରାନ୍ସର କମ୍ପାନିମାନଙ୍କୁ ଏହା ମଧ୍ୟ ସ୍ଥିର କରିବାକୁ ପଡ଼ିଲା ଯେ କର୍ମଚାରୀ କେତେବେଳେ ଉପଲବ୍ଧ ହେବେ ଏବଂ ତାଙ୍କର କେଉଁ ସମୟକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କୁହାଯିବ । ଏହି ନିୟମ ବିଶ୍ୱର ଅନେକ ଦେଶ ପାଇଁ ମଡେଲ ହୋଇଛି ।
ଜର୍ମାନୀରେ କାମ ସମୟ ସବୁଠୁ ସନ୍ତୁଳିତ :
ଜର୍ମାନୀରେ କାମର ସମୟକୁ ବିଶ୍ୱର ସବୁଠୁ ସନ୍ତୁଳିତ କୁହାଯାଏ । ଏଠାରେ ହାରାହାରି କର୍ମଚାରୀ ସପ୍ତାହରେ ମାତ୍ର ୩୪ରୁ ୩୬ ଘଣ୍ଟା କାମ କରନ୍ତି । ଖାସ୍ କଥା ହେଉଛି, ଏଠାରେ ଛୁଟିକୁ ପ୍ରକୃତରେ ଛୁଟି ରୂପେ ଦେଖାଯାଏ । ଫକ୍ସୱାଗନ, ବିଏମ୍ଡବ୍ଲ୍ୟୁ ଓ ଡେମଲର ଭଳି ନାମି କମ୍ପାନିରେ ଅଫିସ୍ ସମୟ ଶେଷ ହେବା ମାତ୍ରେ କର୍ମଚାରୀଙ୍କ ଅଫିସ୍ ଇମେଲ୍ ଆପଣାଛାଏଁ ବନ୍ଦ ହୋଇଯାଏ । ଅର୍ଥାତ୍ ବସ୍ ଚାହିଁଲେ ବି ଛୁଟି ଦିନରେ କିମ୍ବା ରାତିରେ କାମ ସହ ସଂଶ୍ଳିଷ୍ଟ କୌଣସି ମେସେଜ୍ ପଠାଇପାରିବେ ନାହିଁ ।
ସ୍ପେନ୍ରେ ସପ୍ତାହାନ୍ତ ପ୍ରକୃତରେ ବ୍ୟକ୍ତିଗତ :
ସ୍ପେନ୍ରେ ସପ୍ତାହାନ୍ତର ଅର୍ଥ ପ୍ରକୃତରେ ବ୍ୟକ୍ତିଗତ ସମୟ । ଏଠାରେ ଆଇନ କର୍ମଚାରୀଙ୍କୁ ନିଜ ଅଫ୍ ଟାଇମ୍ରେ ବସ୍ଙ୍କ କଲ୍, ମେସେଜ୍ କିମ୍ବା ଇମେଲ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିବାକୁ ଅଧିକାର ଦେଇଛି । କମ୍ପାନି କିମ୍ବା ମ୍ୟାନେଜମେଣ୍ଟ୍ ଏହାକୁ ନେଇ କର୍ମଚାରୀଙ୍କ ଉପରେ କୌଣସି ଚାପ ପକାଇ ପାରିବେ ନାହିଁ ।
ନରୱେ ଓ ଡେନ୍ମାର୍କରେ ବ୍ୟକ୍ତିଗତ ଜୀବନକୁ ପୂର୍ଣ୍ଣ ସ୍ୱାଧୀନତା :
ଏଠାରେ କର୍ମ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ମାନବକୈନ୍ଦ୍ରିକ । ଲୋକେ ଦିନରେ ହାରାହାରି ମାତ୍ର ୬-୭ ଘଣ୍ଟା କାମ କରନ୍ତି । ଏଠାରେ ଅଫିସ୍ ସମୟରେ ଦାୟିତ୍ୱକୁ ଯେତିକି ଗୁରୁତ୍ୱ ଦିଆଯାଏ, କାମ ପରେ ଜୀବନକୁ ମଧ୍ୟ ସେତିକି ପ୍ରାଥମିକତା ଦିଆଯାଏ । ଅଫିସ୍ ଶେଷ ହେବା ପରେ ଲୋକେ ପରିବାର ସହ ସମୟ ବିତାନ୍ତି, ବୁଲିବାକୁ ଯାଆନ୍ତି, ଫିଟନେସ୍ ଉପରେ ଧ୍ୟାନ ଦିଅନ୍ତି ଏବଂ ବ୍ୟକ୍ତିଗତ ଜୀବନକୁ ପୂର୍ଣ୍ଣ ସ୍ୱାଧୀନତାର ସହ ବଞ୍ଚନ୍ତି । ସେଥିପାଇଁ ଏହି ଦୁଇ ଦେଶ ବିଶ୍ୱର ସବୁଠୁ ସୁଖୀ ଦେଶ ସୂଚୀ ଅର୍ଥାତ୍ ‘ହାପିନେସ୍ ଇଣ୍ଡେକ୍ସ’ରେ ସର୍ବଦା ଶୀର୍ଷରେ ଥାନ୍ତି । ସୁଖୀ କର୍ମଚାରୀ ହିଁ ସବୁଠୁ ଭଲ କାମ କରିପାରନ୍ତି ବୋଲି ଏଠାରେ ବିଶ୍ୱାସ କରାଯାଏ ।