ପର୍ଯ୍ୟାପ୍ତ ପାଣି ପିଇବା ସତ୍ତେ୍ୱ ଲଗାତାର ଯଦି ଶୋଷ ହେଉଥାଏ, ତାକୁ ଅତି ତୃଷ୍ଣା ବା ‘ପଲିଡିପ୍ସିଆ’ କୁହାଯାଏ । ଏହା ଶରୀରରେ ଜଳଶୁଷ୍କତା ବା ମଧୁମେହ ପରି ସମସ୍ୟାର ସଙ୍କେତ ହୋଇଥାଇପାରେ । ବ୍ୟାୟାମ କରିବା ପରେ, ବହୁତ ଗରମରେ କିମ୍ବା କିଛି ଲୁଣିଆ ଜିନିଷ ଖାଇବା ପରେ ଶୋଷ ଲାଗିବା ସ୍ୱାଭାବିକ । କିନ୍ତୁ ଯଦି ପର୍ଯ୍ୟାପ୍ତ ପାଣି ପିଇବା ପରେ ମଧ୍ୟ ଶୋଷ ଲାଗୁଥାଏ । ତେବେ ଏହା ଆଦୌ ସାଧାରଣ ନୁହେଁ । ବରଂ ଏହା ଜଣାଉଛି ଯେ ଶରୀରରେ ସବୁକିଛି ଠିକ୍‌ ନାହିଁ । ମେଡିକାଲ୍‌ ଭାଷାରେ ଆବଶ୍ୟକଠାରୁ ଅଧିକ ଶୋଷ ଲାଗିବା ସ୍ଥିତିକୁ ‘ପଲିଡିସ୍ପିଆ’ କୁହାଯାଏ । ସହଜରେ କହିବାକୁ ଗଲେ ପ୍ରତ୍ୟେକ ମୁହୂର୍ତ୍ତରେ ଅସାମାନ୍ୟ ଭାବେ ଶୋଷ ଲାଗିଥାଏ । ଚାଲନ୍ତୁ ଜାଣିବା ଡେରାଡୁନ୍‌ କୌଳାଶ ହସ୍ପିଟାଲର ବରିଷ୍ଠ ମେଡିସିନ୍‌ କନ୍‌ସଲଟାଣ୍ଟ ଡାକ୍ତର ଅମରୀଶ ଦୀକ୍ଷିତଙ୍କଠାରୁ ଏ ବିଷୟରେ ଅଧିକ କିଛି । 

ଅତ୍ୟଧିକ ଶୋଷ କାହିଁକି ଲାଗେ? 
ଅତ୍ୟଧିକ ଶୋଷ ଲାଗିବାର ପ୍ରମୁଖ କାରଣ ଶରୀରର ଜଳ ଶୁଷ୍କତା । ଏପରି ସ୍ଥିତି ସେତେବେଳେ ହୋଇଥାଏ, ଯେତେବେଳେ ଅତ୍ୟଧିକ ଝାଳ, ବାନ୍ତି ବା ପତଳା ଝାଡା ଯୋଗୁ ଶରୀରରୁ ତରଳ ପଦାର୍ଥ ବାହାରି ଯାଇଥାଏ । ଅବଶ୍ୟ କେବେ କେବେ ଅତ୍ୟଧିକ ଶୋଷ ଲାଗିବା ଶରୀରରେ ଲୁଚି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇଥାଏ । ଏହି ସ୍ଥିତିରେ ପ୍ରଥମେ ମଧୁମେହର ଯାଞ୍ଚ କରାଯାଇଥାଏ । ରକ୍ତରେ ଶର୍କରା ସ୍ତର ବଢିବା ଦ୍ୱାରା ଶରୀର ଅତିରିକ୍ତ ଶର୍କରାକୁ ପରିସ୍ରା ସାହାଯ୍ୟରେ ବାହାରକୁ ବାହାର କରିବାର ପ୍ରୟାସ କରିଥାଏ । ତେଣୁ ବାରମ୍ବାର ପରିସ୍ରା ଲାଗିଥାଏ । ଫଳରେ ଶରୀରର ଝାଳ ଶୁଷ୍କତା ବଢିବା ସହ ଶୋଷ ଲାଗିଥାଏ । ତେଣୁ ଯଦି ବାରମ୍ବାର ଶୋଷ ଲାଗିବା ସହ ନିମ୍ନ ଲକ୍ଷଣ ଦେଖା ଦେଉଥାଏ, ତେବେ ଏହାକୁ ଅଣଦେଖା ଆଦୌ କରନ୍ତୁନି । 

ଆହୁରି ପଢନ୍ତୁ-ଦରକାରୀ କିନ୍ତୁ ବିଷଠାରୁ କମ୍ ନୁହେଁ ଘରର ଏହି ସବୁ ଜିନିଷ, ଜୀବନ ପାଇଁ ହୋଇପାରେ କ୍ଷତିକାରକ

ଲକ୍ଷଣ 
ବାରମ୍ବାର ପରିସ୍ରା ଲାଗିବା, ଲଗାତାର ଥକ୍କା ଲାଗିବା, ଆଖିକୁ ଝାପ୍‌ସା ଦେଖାଯିବା, ବିନା କାରଣରେ ଓଜନ କମିବା ଓ ଏହାବ୍ୟତୀତ ଅନ୍ୟାନ୍ୟ କେତେକ କାରଣ ମଧ୍ୟ ଦେଖା ଦେଇଥାଏ । 

ଶୋଷ ଲାଗିବାର ଅନ୍ୟ କେତେକ କାରଣ​​​​​​​

କେତେକ ଖାସ୍‌ ଔଷଧ ଖାଇବା, ଅଧିକ ଶୁଷ୍କ ଋତୁ, ଆବଶ୍ୟକଠାରୁ ଅଧିକ କ୍ୟାଫିନ୍‌ ଖାଇବା ଓ ଅତ୍ୟଧିକ ଚିନ୍ତା କେତେକ ଲୋକଙ୍କୁ ବାସ୍ତବରେ ଜଳ ଶୁଷ୍କତା ହୋଇ ନଥାଏ । ବରଂ ‘ଡ୍ରାଇ ମାଉଥ୍‌’ ସମସ୍ୟା ହୋଇଥାଏ । ପାଟି ଶୁଖିବାର ମୁଖ୍ୟ କାରଣ ହେଉଛି ଲାଳର ଉତ୍ପାଦନ କମିବା ।  ଯଦି ଅଧିକ ଶୋଷ ଲାଗୁଥାଏ । ଆବଶ୍ୟକଠାରୁ ଅଧିକ ପାଣି ପିଉଥାନ୍ତି । ଅଚାନକ୍‌ ଅଧିକ ଶୋଷ ବଢିଯାଏ । ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।