ଭୁବନେଶ୍ୱର,୧୮/୧୦:  ଲମ୍ବା ଘଣ୍ଟା ଚକଟା । ଘନଘନ ତର୍ଜମା ।  ବୈଷୟିକ ଟିମ୍‌ର ଜୋରଦାର କସରତ ।  ସରକାରଙ୍କ ମାରାଥନ ବୈଠକ ।  ଶେଷରେ କଳ୍ପନା ଛକ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବାଟ ବାହାର  କରିଛି ପୂର୍ତ୍ତ ବିଭାଗ । କଟକ ରୋଡରୁ  ଲୁଇସ୍‌ ରୋଡ୍‌ ଭାୟା କଳ୍ପନା ଛକ ଉପର  ଦେଇଯିବ ଅତ୍ୟାଧୁନିକ ଫ୍ଲାଏଓଭର ।  ବଡ଼ କଥା ହେଲା, କଳ୍ପନା ଛକ ଓ  ମ୍ୟୁଜିୟମ ଛକରେ ଫ୍ଲାଏଓଭର ଉପରେ  ରହିବ ଦୁଇଟି ଗୋଲେଇ (ରୋଟାରୀ) ।  ଗୋଟିଏ ଗୋଲେଇ ଦେଇ ରାଜମହଲ  ଛକକୁ ଓ ଅନ୍ୟଟିରେ ମାଉସୀ ମା’ ଛକ  ଦିଗରେ ଯିବାକୁ ହେବ । ଖୁବଶୀଘ୍ର ଏହି  ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିବ  ପୂର୍ତ୍ତ ବିଭାଗ । ସମ୍ଭବତଃ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ଟେଣ୍ଡର ଡକାଯିବ ।

ଲକ୍ଷ୍ମୀସାଗର ପଟୁ ଆସିଲେ ପୁରୁଣା  ଷ୍ଟେସନ ବଜାର ଅତିକ୍ରମ କରିବା ପରେ  ପରେ ଆରମ୍ଭ ହେବ ଏହି ଫ୍ଲାଏଓଭର ।  କଳ୍ପନା ଛକ, ମ୍ୟୁଜିୟମ ଛକ ଉପର  ଦେଇଯିବ । ଲୁଇସ୍‌ ରୋଡ୍‌ ଉପର  ହୋଇ ରବି ଟକିଜ୍‌ ପୂର୍ବରୁ (ପେଟ୍ରୋଲ  ପମ୍ପ ପାଖରେ) ସରିବ । ରବି ଟକିଜ  ଛକ ଉପର ଦେଇ ଫ୍ଲାଏଓଭର ନେବାକୁ  ପୂର୍ବରୁ ଯୋଜନା ଥିଲା । ମାତ୍ର ରବି  ଟକିଜ ପରେ ପରେ ମୁକ୍ତେଶ୍ୱର ମନ୍ଦିର  ଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ପ୍ରାଧିକରଣ  (ଏଏସ୍‌ଆଇ)ର ଅନୁମତି ବିନା  ଫ୍ଲାଏଓଭର ହୋଇପାରିବନି । ତେଣୁ  ଆଗାମୀ ଦିନରେ ଏଏସ୍‌ଆଇ ଅନୁମତି  ମିଳିବା ପରେ ରବି ଟକିଜ ଉପର ଦେଇ  ଫ୍ଲାଏଓଭର ଯିବ । ବର୍ତ୍ତମାନ ରବି ଟକିଜ  ପୂର୍ବରୁ ଫ୍ଲାଏ ଓଭର ସରିବ । ପ୍ରସ୍ତାବିତ ଫ୍ଲାଏଓଭର ଚଉଡ଼ା ୩ ଲେନ୍‌  ରହିବା ସମ୍ଭାବନା ଅଛି । ଉଭୟ ପାଶ୍ୱର୍ରେ  ଦେଢ଼ ଲେନ୍‌ ରହିବ । ଏହାବାଦ୍‌ ତଳେ  ସର୍ଭିସ୍‌ ରାସ୍ତା ପୂର୍ବଭଳି ରହିବ । କଟକ  ରୋଡ ପଟୁ ଫ୍ଲାଏଓଭର ଉପରେ  ଆସୁଥିବା ଗାଡ଼ିମୋଟର ଉପରେ ଥିବା  କଳ୍ପନା ଛକ ଉପର ଗୋଲେଇ ଦେଇ  ରାଜମହଲକୁ ଯିବେ । ସେହିପରି  ମ୍ୟୁଜିୟମ ଛକରେ ବି ଫ୍ଲାଏଓଭର  ଗୋଲେଇରେ ମାଉମୀ ମା’ ଛକ ପଟକୁ  ଯିବାକୁ ହେବ ।  

ପ୍ରସ୍ତାବିତ ଯୋଜନା ଅନୁସାରେ  ରାଜମହଲ ଓଭରବ୍ରିଜ୍‌ ଯେଉଁଠି  ସରିଛି, ତାର କିଛି ଆଗରେ ଏକ ରେଳ  ଓଭରବ୍ରିଜ୍‌ ଅଛି । ସେଠାରୁ କିଛି ବାଟ  ଆଗକୁ ଗଲେ ରାସ୍ତାର ଡାହାଣ ପାଶ୍ୱର୍ରେ  ଫରଚ୍ୟୁନ୍‌ ହୋଟେଲ ପାଖରୁ ଫ୍ଲାଏଓଭର  ଆରମ୍ଭ ହେବ । ଏଠାରୁ ଉପରକୁ ଉଠି  କଳ୍ପନା ଛକ ଆଡ଼କୁ ଯିବାକୁ ହେବ ।  କଳ୍ପନା ଛକରୁ ଫ୍ଲାଏଓଭରର ଡେଣା  ଉଭୟ ଦିଗକୁ (ବାମ/ଡାହାଣ) ଲମ୍ବିବ ।  ଗୋଟିଏ ପାଶ୍ୱର୍ କଟକ ରୋଡ ଆଡ଼କୁ  ଓ ଅନ୍ୟଟି ମ୍ୟୁଜିୟମ୍‌ ଛକ ଆଡ଼କୁ ।  

ରବି ଟକିଜ୍‌ ଛକରେ ଯେଭଳି ଭିଡ଼  ନ ହେବ, ସେଥିପାଇଁ ଛକକୁ ଭାଙ୍ଗି  ପ୍ରଶସ୍ତ କରାଯିବ । ରବି ଟକିଜ୍‌ ଛକରୁ  ସାନିଟାରିୟମ୍‌ ରାସ୍ତାକୁ ଚଉଡ଼ା କରିବାକୁ  ମଧ୍ୟ ପୂର୍ତ୍ତ ବିଭାଗ ଯୋଜନା କରିଛି ।  କଳ୍ପନା ଛକ, ମ୍ୟୁଜିୟମ୍‌ ଛକ, ଭଞ୍ଜ  କଳାମଣ୍ଡପ ଛକ, ଲୁଇସ୍‌ ରୋଡ୍‌ ଛକ ଓ  ରବି ଟକିଜ୍‌ ଛକକୁ ଚଉଡ଼ା କରିବା ସହ  ଏହାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ।  କଳ୍ପନା ଫ୍ଲାଏଓଭର ପାଇଁ ପ୍ରାୟ ୪୨୮  କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।