କଟକ,୦୬/୦୬: ପରିବାରର ସହମତିରେ ଗର୍ଭପାତ କରିବାକୁ ଆସିଥିଲେ । ଗର୍ଭପାତ କଲାବେଳେ ପେଟରେ ଥିବା ମଳ ନଳୀକୁ କାଟିଦେଲେ ଡାକ୍ତର । ପେଟ ସଂକ୍ରମିତ ହୋଇଗଲା । ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆସାମ ରାଇଫଲ୍‌ସ୍‌ର ଜଣେ ଯବାନଙ୍କ ପତ୍ନୀ । କଟକ ରାଣୀହାଟସ୍ଥିତ ଏକ  ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା ଜନିତ ତ୍ରୁଟି  କାରଣରୁ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା  ଘଟିଛି । ମାହାଙ୍ଗା ଜଳେଶ୍ୱରପୁର ଅଞ୍ଚଳର  ସଂପୃକ୍ତ ମହିଳାଙ୍କ ପକ୍ଷରୁ ମଙ୍ଗଳାବାଗ୍‌  ଥାନାରେ ଏନେଇ ଏତଲା ଦାଏର କରାଯାଇଛି ।  ଏତଲା ଆଧାରରେ ପୁଲିସ୍‌ ଡାକ୍ତରଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ବି ରୁଜୁ କରିଛି । 

ଜମ୍ମୁ-କାଶ୍ମୀର ସୀମାରେ ଏବେ ମୁତୟନ  ଥିବା ସମର କୁମାର ସାମଲଙ୍କ ପତ୍ନୀ ଦୀପ୍ତିମୟୀ  ବାରିକ ଏବେ ଚିକିତ୍ସା ଜନିତ ତ୍ରୁଟି କାରଣରୁ ଗୁରୁତର ସ୍ୱାସ୍ଥ୍ୟ ସଂକଟରେ ପଡିଛନ୍ତି । ପୂର୍ବରୁ  ସେମାନଙ୍କର ଦୁଇଟି ସନ୍ତାନ ରହିଛନ୍ତି ।  ମେ’ ୧ ତାରିଖରେ ଦୀପ୍ତିମୟୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ସେ ରାଣୀହାଟର  ଘରୋଇ ନର୍ସିଂହୋମ୍‌ରେ ସ୍ତ୍ରୀ ରୋଗ ଓ  ପ୍ରସୂତି ବିଭାଗର ଜଣେ ବିଶେଷଜ୍ଞଙ୍କୁ ଦେଖା  କରିଥିଲେ। ସେଠି ସବୁ ରିପୋର୍ଟ ଯାଞ୍ଚ୍‌ ହେବା  ପରେ ସେ ୧୧ ସପ୍ତାହର ଗର୍ଭବତୀ ଥିବା  ଜାଣିବାକୁ ପାଇଥିଲେ । ପୂର୍ବରୁ ଦୁଇଟି ସନ୍ତାନ  ଥିବାରୁ ପରିବାରର ସହମତିରେ ଗର୍ଭପାତ  କରିବାକୁ ଡାକ୍ତରଙ୍କୁ କହିଥିଲେ । ଡାକ୍ତର ମଧ୍ୟ  ଏଥିରେ ରାଜି ହୋଇଥିଲେ । ପରଦିନ ତାଙ୍କର  ଗର୍ଭପାତ କରାଯାଇଥିଲା ଏବଂ ଦୀପ୍ତିମୟୀ  ଡିସ୍‌ଚାର୍ଜ ବି ହୋଇଥିଲେ । କିନ୍ତୁ ଘରକୁ ଯିବା  ପରେ ପେଟରେ ଯନ୍ତ୍ରଣା ଅନୁଭବ କଲେ ଏବଂ  ପେଟ ଫୁଲିବାକୁ ଲାଗିଲା ।  ଯାବତୀୟ ଟେଷ୍ଟ କରିବା  ପରେ ତାଙ୍କୁ କୁହାଯାଇଥିଲା,  ଗର୍ଭପାତ ପରେ କୌଣସି  ଅଂଶ ରହିଯାଇଥିବାରୁ ଏଭଳି  ସମସ୍ୟା ଉପୁଜିଛି । ପୁନର୍ବାର  ଅପରେସନ୍‌ କରାଯାଇଥିଲା ।  ତଥାପି ଦୀପ୍ତିମୟୀଙ୍କ  ସ୍ୱାସ୍ଥ୍ୟରେ କୌଣସି ଉନ୍ନତି  ଆସିନଥିଲା । ପରିବାର ଲୋକେ ଚିନ୍ତାରେ  ପଡିଯାଇଥିଲେ । ସ୍ୱାମୀ ସମର କୁମାର ସାମଲ  ଛୁଟି ନେଇ କଟକରେ ପହଞ୍ଚିଥିଲେ । ଏସ୍‌ସିବିର  ଜଣେ ସର୍ଜନଙ୍କୁ ସାକ୍ଷାତ କରିବାରୁ ସେ ମଳ  ନଳୀରେ ସଂକ୍ରମଣ ହୋଇଥିବା କହିଥିଲେ ।  ସ୍ୱାସ୍ଥ୍ୟାବସ୍ଥା ବିଗିଡି ଚାଲିଥିବାରୁ ଭୁବନେଶ୍ୱର  ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଦୀପ୍ତିମୟୀଙ୍କୁ  ଭର୍ତ୍ତି କରାଯାଇଥିଲା । 

ସେଠାରେ ଡାକ୍ତର ଯାଞ୍ଚ୍‌  କରି ଦେଖିଥିଲେ ଯେ, ଦୀପ୍ତିମୟୀଙ୍କ ମଳ ନଳୀ  ପ୍ରାୟ ୩ ସେଣ୍ଟିମିଟର କଟିଯାଇଛି । ଯାହାଫଳରେ  ମଳ ପେଟରେ ଏଣେ ତେଣେ  ବ୍ୟାପି ସଂକ୍ରମଣ ହେଉଛି ।  ପୁଣିଥରେ ଅପରେସନ୍‌ କରାଯିବା  ପରେ ଷ୍ଟୁଲ୍‌ ବ୍ୟାଗ୍‌ ସହାୟତାରେ  ଏବେ ସେ ମଳତ୍ୟାଗ କରୁଛନ୍ତି ।  ସାଧାରଣ ମଣିଷ ଭଳି ସେ  ମଳତ୍ୟାଗ କରିବାକୁ ଅସମର୍ଥ ।  ଏ ସମ୍ପର୍କରେ ଦୀପ୍ତିମୟୀଙ୍କ ସ୍ୱାମୀ  ସମର ଓ ତାଙ୍କ ଭାଇ ରାଣୀହାଟ  ସ୍ଥିତ ସଂପୃକ୍ତ ନର୍ସିଂହୋମ୍‌କୁ ଅଭିଯୋଗ  କରିଥିଲେ । ତାଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୁପ୍‌  ରହିବାକୁ ଓ କଥା ଚାପିଦେବାକୁ କୁହାଯାଇଥିବା  ଅଭିଯୋଗ ଆଣିଛନ୍ତି ଦୀପ୍ତିମୟୀ । ଏମିତିକି ତାଙ୍କୁ  ନକଲି ଡିସ୍‌ଚାର୍ଜ ପେପର୍‌ ଦିଆଯାଇଥିବା ମଧ୍ୟ  ସେ ପୁଲିସକୁ ଜଣାଇଛନ୍ତି । ଏ ବାବଦରେ  ଦୀପ୍ତିମୟୀ ଗତ ୪ ତାରିଖ ରାତିରେ  ମଙ୍ଗଳାବାଗ୍‌ ଥାନାରେ ଏତଲା ଦେଇଛନ୍ତି ।  ଏତଲା ଆଧାରରେ ପୁଲିସ୍‌ ଡାକ୍ତରଙ୍କ  ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।