ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ବେଆଇନ୍‌ କହି ଅଗ୍ରାହ୍ୟ କରିଦେଲେ ବେଙ୍ଗଲ ସରକାର

Published By : Tapas Panda | October 12, 2024 9:19 PM

Image Courtesy: indiatoday

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନଙ୍କ ସାମୂହିକ ଇସ୍ତଫା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।  ସେପଟେ ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। 

ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ବେଙ୍ଗଲ ସରକାର କହିଛନ୍ତି । ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା ଦରକାର ବୋଲି ମମତା ସରକାର କହିଛନ୍ତି । ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ କଲେଜ ଅଫ ମେଡିସନ ଓ ସାଗର ଦତ୍ତ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜ୍ୟୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଏମଇଆର)ର ଡାକ୍ତରମାନେ ସମର୍ଥନ କରିଛନ୍ତି। ଏହି ସବୁ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଇସ୍ତଫା ଦେବେ । 

ଏହାର ଜବାବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଳ୍ପନ ବନ୍ଦୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର ଏପରି ସାମୂହିକ ଇସ୍ତଫାକୁ ଗ୍ରହଣ କରିବେ ନାହିଁ । ଇସ୍ତ‍ଫା ହେଉଛି କର୍ମଚାରୀ ଓ ଚାକିରି ଦେଇଥିବା ସଂସ୍ଥା ମଧ୍ୟରେ ଥିବା ବ୍ୟକ୍ତିଗତ ପ୍ରସଙ୍ଗ । ରୁଲ ବୁକରେ ଏହା ଉଲ୍ଲେଖ ରହିଛି । ଇସ୍ତଫା ନେଇ ସାମୂହିକ ଚିଠିର କୌଣସି ଆଇନଗତ ବୈଧତା ନାହିଁ । ଆମେ ବିଭିନ୍ନ ସରକାରୀ ହସ୍ପିଟାଲରୁ ବିକ୍ଷିପ୍ତ ଚିଠି ସବୁ ପାଇଛୁ ବୋଲି ସେ କହିଛନ୍ତି । 

ବ୍ୟକ୍ତିଗତ ଭାବେ ଡାକ୍ତରମାନେ ଇସ୍ତଫା ଦେଇ ନଥିବାରୁ ଏହାକୁ ସରକାର ବେଆଇନ ବୋଲି କହିଛନ୍ତି । ତେଣୁ ଆଗକୁ ଡାକ୍ତରଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବାର ଅଶାଙ୍କା ରହିଛି । ଆରଜି କର ମାମଲା ପରେ ନ୍ୟାୟ ଦାବିରେ ବିକ୍ଷୋଭ କରୁଥିବା ଜୁନିୟର ଡାକ୍ତରଙ୍କ ସମର୍ଥନରେ ପ୍ରଥମେ ଏହି କଲେଜ ଓ ହସ୍ପିଟାଲର ଅନେକ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଥିଲେ। ଏହାପରେ ଅନ୍ୟ ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ମଧ୍ୟ ସମାନ ଢଙ୍ଗରେ ସାମୂହିକ ଇସ୍ତଫା ଦେଇଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.